ସିଟିଜେନ୍‌ ଫୋରମ୍‌ର ବାର୍ଷିକ ସମ୍ମିଳନୀ, ‘ନିଖୋଜ ଗଣତନ୍ତ୍ର, ଅସହାୟ ମତଦାତା’

ଭୁବନେଶ୍ୱର: ସିଟିଜେନ୍‌ ଫୋରମ୍‌ର ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଲୋହିଆ ଏକାଡେମି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ‘ନିର୍ବାଚନୀ ସଂସ୍କାର ଓ ଆନୁପାତିକ ପ୍ରତିନିଧିତ୍ବ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ବିକାଶ ରଞ୍ଜନ ଭଟ୍ଟାଚାର୍ଯ୍ୟ ଯୋଗଦେଇ କହିଛନ୍ତି, ରାଜ୍ୟରେ ଗଣତନ୍ତ୍ର ନିଖୋଜ ହୋଇଛି ଓ ମତଦାତା ଅସହାୟ ହୋଇପଡ଼ିଛନ୍ତି। ବାହୁବଳରେ ଶାସନ ଚାଲିଛି। ମତଦାତା ଯେତିକି ଅଛନ୍ତି, ତାହାର କମ୍‌ ପ୍ରତିଶତ ‌ମତଦାନ କରୁଥିବାରୁ ଯୋଗ୍ୟ ଶାସକ କ୍ଷମତାକୁ ଆସି ପାରୁନାହାନ୍ତି। ଏଣୁ ନିର୍ବାଚନୀ ସଂସ୍କାର ସହ ସର୍ବାଧିକ ମତଦାତାଙ୍କ ଦ୍ବାରା ଚୟନ ହେଉଥିବା ନେତା କ୍ଷମତାକୁ ଯିବା ଦରକାର ବୋଲି ସେ କହିଛନ୍ତି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଆଲେଚାନାଚକ୍ରକୁ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏ କେ ମୋଟାଏଦ୍‌, କଲ୍ୟାଣ ରାୟ, ଫୋରମ ଅଧ୍ୟକ୍ଷ ଡ. ମଧୁସୂଦନ ମିଶ୍ର, ଫୋରମ ପାଟ୍ରୋନ୍‌ ଡ. ବିଭୂତି ପଟ୍ଟନାୟକ, ଆବାହକ ପ୍ରଦୀପ୍ତ ନାୟକ, ସିପିଆଇର ଆଶିଷ କାନୁନ୍‌ଗୋ, କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ଓଡ଼ିଶା ଇଲେକ୍ସନ ୱାଚ୍‌ ସଂଯୋଜକ ରଞ୍ଜନ ମହାନ୍ତି, ସହ ଆବାହକ ଇଂ. ସଞ୍ଜୀବ କୁମାର ପ୍ରମୁଖ ଆଲୋଚନା‌ କରିଥିବା ବେଳେ ଇଂ. କୃଷ୍ଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମୁଖପତ୍ର ‘ପରିଚୟ’କୁ ଅତିଥିମାନେ ଉନ୍ମୋଚିତ କରିଥିଲେ।

ସମ୍ବନ୍ଧିତ ଖବର