ସାମାଜିକ କର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ସିଭିଲ ସୋସାଇଟିର ଧାରଣା

ଭୁବନେଶ୍ୱର : ସାମାଜିକ କର୍ମୀ ଓ ସାମ୍ବାଦିକମାନଙ୍କୁ ଆକ୍ରମଣ ଓ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ସିଭିଲ ସୋସାଇଟି, ଓଡ଼ିଶା ବସ୍ତି ସଂଘର୍ଷ ସମିତି ଓ ଭୁବନେଶ୍ୱର ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା।

ସିଭିଲ ସୋସାଇଟିର ଅଭିଯୋଗ ଅନୁଯାୟୀ, ଗତମାସ ୨୬ତାରିଖରେ ସହିଦନଗର ବିର୍ସାମୁଣ୍ଡା ବସ୍ତିର ମହିଳା ସାମାଜିକ କର୍ମୀ ରଞ୍ଜୁଲତା ମହାପାତ୍ରଙ୍କୁ କିଛି ଆସାମାଜିକ ବ୍ୟକ୍ତି ଆକ୍ରମଣ କରିଥିଲେ। ଶ୍ରୀମତୀ ମହାପାତ୍ର ଥାନାରେ ଏତଲା ଦେଇଥିଲେ ହେଁ ପୁଲିସ ସେମାନଙ୍କୁ ସୁରକ୍ଷା ଦେଇ ଆସୁଛି। ସେହିପରି ଆଇନଜୀବୀ ଶୈଳେଜାଙ୍କୁ ଜନୈକ କର୍ପୋରେଟର୍‌ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ଖାରବେଳ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୁଲିସ କୌଣସି ତଦନ୍ତ କରୁନାହିଁ। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ର ମହିଳା ସାମାଜିକ କର୍ମୀ ସସ୍ମିତା ପତି ତାଙ୍କ ଅଞ୍ଚଳରେ ସରକାରୀ କାର୍ଯ୍ୟରେ ଦୁର୍ନୀତି ହୋଇଥିବାର ସୂଚନା ଅନାଇନରେ ତଥ୍ୟ ମାଗିବାରୁ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ଖୋର୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ୍‌ର ସୂଚନାଧିକାର କର୍ମୀ ବିକାଶ ନାୟକ, ଅନୁଗୁଳର ପ୍ରଦୀପ ସାହୁ, ପୁରୀର ଭକ୍ତିରଂଜନ ପଲେଇଙ୍କୁ ଆକ୍ରମଣ ହୋଇଥିଲେ ହେଁ ପୁଲିସ କାହାରିକୁ ଗିରଫ କରି ନାହିଁ। ପୁଲିସର ଅବହେଳା ବିରୋଧରେ ମିଳିତ ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଧାରଣାରେ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ଓଡ଼ିଶା ବସ୍ତି ସଂଘର୍ଷ ସମିିତିର ସଭାପତି ପ୍ରତାପ ସାହୁ, ସୁଧୀର ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ଅଖଣ୍ଡ, ରମାକାନ୍ତ ମଣ୍ଡଳ, ଖଗେଶ୍ୱର ବଳ, ସତ୍ୟବାଦୀ ରଥ, ଜଗନ୍ନାଥ ମହାନ୍ତି, ଯୋଗେନ୍ଦ୍ର ଡାକୁଆ, ପ୍ରଶାନ୍ତ ବେହେରା, କଳ୍ପନା ମହାନ୍ତି, ବୈକୁଣ୍ଠ ସାହୁ, ସୀମାଞ୍ଚଳ ପ୍ରଧାନ, ପଞ୍ଚାନନ ନାୟକ ଓ ସୁଷମା ସିଂ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୭ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ବସ୍ତିବସିନ୍ଦା ଓ ସାମାଜିକ କର୍ମୀ ନବୀନ ନିବାସ ଘେରାଉ କରିବେ ବୋଲି ଧାରଣାକାରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର