ସ୍ବଚ୍ଛ ସର୍ବେକ୍ଷଣ ପାଇଁ କେନ୍ଦ୍ରୀୟ ଟିମ୍‌ ଭୁବନେଶ୍ବରରେ: ଏଥର କେତେ ରୢାଙ୍କ?

ଭୁବନେଶ୍ବର: ଏବେ ସାରା ଦେଶରେ ସ୍ବଚ୍ଛ ସର୍ବେକ୍ଷଣ- ୨୦୧୯ ଆରମ୍ଭ ହୋଇଛି। ତେଣୁ ଭୁବନେଶ୍ବର ଏହି ତାଲିକାରେ ଭଲ ରୢାଙ୍କ ପାଇବା ପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୨୦୧୭ରେ ହୋଇଥିବା ସ୍ବଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ବର ୯୪ତମ ରୢାଙ୍କ ପାଇଥିବାବେଳେ ୨୦୧୮ରେ ୨୪୩ତମ ରୢାଙ୍କ ପାଇଥିଲା। ତେଣୁ ୨୦୧୯ରେ ଭୁବନେଶ୍ବରକୁ କେତେ ରୢାଙ୍କ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଗତ ଦୁଇବର୍ଷ ମଧ୍ୟରେ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ବିଏମ୍‌ସି କାଗଜକଲମରେ ବହୁତ ସୁଦୃଢ଼ ହୋଇ ଯାଇଥିବାବେଳେ ଭିତ୍ତିଭୂମିରେ ସେହିଭଳି ଆଖିଦୃଶିଆ ଉନ୍ନତି ହୋଇନି। ଏପରିକି ଯେଉଁ ସବୁ କାରଣ ଯୋଗୁଁ ଭୁବନେଶ୍ବର ପଛରେ ପଡ଼ିଯାଇଥିଲା ସେହି ସମସ୍ୟାଗୁଡ଼ିକର ସମାଧାନ କରିବାରେ ବିଏମ୍‌ସି କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ଭୁବନେଶ୍ବରକୁ ଏଥର ଭଲ ରୢାଙ୍କ ମିଳିବା ନେଇ ବି ଆଶଙ୍କା ସୃଷ୍ଟି ହେଲାଣି। ଚଳିତବର୍ଷର ସ୍ବଚ୍ଛ ସର୍ବେକ୍ଷଣ ଜାନୁଆରି ୪ରୁ ଜାନୁଆରି ୩୧ପର୍ଯ୍ୟନ୍ତ ହେଉଥିବାବେଳେ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୁବନେଶ୍ବର ଗସ୍ତରେ ଆଜିଠୁ ଆସିଛନ୍ତି। ଏହି ଦଳ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ମୋଟ୍ ୧୨୫୦ମାର୍କରୁ ମାର୍କ ଦେବେ। କିନ୍ତୁ ଏହି ଦଳ କେଉଁ ଅଞ୍ଚଳ ବୁଲୁଛନ୍ତି, କ’ଣ ଦେଖୁଛନ୍ତି ସେନେଇ ଆମେ ଜାଣିନୁ ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି। ୨୦୧୭ରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣରେ ଦେଶର ୪୩୪ଟି ସହର ଭାଗ ନେଇଥିବାବେଳେ ମୋଟ୍ ୨ହଜାର ମାର୍କକୁ ନେଇ ରୢାଙ୍କ ପ୍ରସ୍ତୁତ ହୋଇଥିଲା। ଏଥିରେ ଭୁବନେଶ୍ବର ୯୪ତମ ସ୍ଥାନରେ ଥିଲା। କିନ୍ତୁ ୨୦୧୮ରେ ୪୨୦୩ଟି ସହର ଭାଗ ନେଇଥିଲେ। ଆଉ ମୋଟ୍ ୪ହଜାର ମାର୍କକୁ ନେଇ ରୢାଙ୍କ ପ୍ରସ୍ତୁତ ହୋଇଥିଲା। ଏଥିରେ ଭୁବନେଶ୍ବର ୨୪୩ତମ ସ୍ଥାନକୁ ଖସି ଯାଇଥିଲା। ଚଳିତବର୍ଷ ମୋଟ୍ ୫ହଜାର ମାର୍କକୁ ନେଇ ସର୍ବେକ୍ଷଣ ହେଉଥିବା‌ବେଳେ ୪ହଜାରରୁ ଅଧିକ ସହର ଏଥିରେ ଭାଗ ନେଇଛନ୍ତି। ସବୁ ରାଜ୍ୟର ସମସ୍ତ ସହରାଞ୍ଚଳ ଏଥିରେ ସାମିଲ୍ ହୋଇଛନ୍ତି। ଗତବର୍ଷର ମାର୍କିଂ ପଦ୍ଧତି ଏବଂ ଚଳିତବର୍ଷର ମାର୍କିଂ ପଦ୍ଧତିରେ ପରିବର୍ତ୍ତନ ଅଣାଯାଇଛି। ପୌରସଂସ୍ଥାଗୁଡ଼ିକ ସ୍ବଚ୍ଛ ସର୍ବେକ୍ଷଣ ୱେବସାଇଟ୍‌ରେ ସେମାନଙ୍କ ସମସ୍ତ ଡକୁମେଣ୍ଟ ଅପଲୋଡ୍ କରିଛନ୍ତି। ତେଣୁ କେନ୍ଦ୍ରୀୟ ଟିମ୍ ଏଥର ବିଏମ୍‌ସି କାର୍ଯ୍ୟାଳୟକୁ ଆସିବାର ନାହିଁ କି ଡକୁମେଣ୍ଟ ଏଠାରେ ଯାଞ୍ଚ କରିବାର ନାହିଁ। ଚଳିତବର୍ଷ ମୋଟ୍‌ ୫ହଜାର ମାର୍କକୁ ୧୨୫୦ ମାର୍କ ଲେଖାଏଁ ଚାରି ଭାଗରେ ବିଭକ୍ତ କରାଯାଇଛି। ଏଥିରେ ଲୋକଙ୍କ ମତାମତ, ପ୍ରତ୍ୟେକ୍ଷ ପରିଦର୍ଶନ, ସାର୍ଟିଫିକେସନ୍ ଓ ସେବା ସ୍ତରରେ ପ୍ରଗତି ଅଛି।

କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୧୨୫୦ ମାର୍କ
ଏଥର କଠିନ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ୧୨୫୦ ମାର୍କ ଅଛି। ଏଥିରେ ଆବର୍ଜନା ପ୍ରକ୍ରିୟାକରଣ ପାଇଁ ୩୭୫ମାର୍କ, ସଂଗ୍ରହ ଓ ପରିବହନ ପାଇଁ ୩୧୨.୫ମାର୍କ, ସ୍ଥାୟୀ ସ୍ବଚ୍ଛତା ପାଇଁ ୩୧୨.୫ମାର୍କ, ସଚେତନତା ପାଇଁ ୬୨.୫ମାର୍କ, କାପାସିଟି ବିଲ୍‌ଡିଂ ପାଇଁ ୩୭.୫, ବାଇ ଲ’ ପାଇଁ ୬୨.୫ମାର୍କ, ନୂତନତ୍ବ ଆପଣାଇବା ପାଇଁ ୬୨.୫ ମାର୍କ ରହିଛି।

ଏଥର ଭଲ ମାର୍କ ପାଇବୁ: ବିଏମ୍‌ସି
୨୦୧୭ରେ ୯୪ତମ ରୢାଙ୍କ ପାଇବା ପରେ ବିଏମ୍‌ସି କର୍ତ୍ତୃପକ୍ଷ ଖୁସି ମନାଇଥିଲେ। କିନ୍ତୁ ୨୦୧୮ରେ ୨୪୩ତମ ସ୍ଥାନକୁ ଖସିବା ପରେ ନିଜ ଅପାରଗତାକୁ ଲୁଚାଇବା ପାଇଁ କହିଲେ ୨୦୧୭ରେ ୧୦ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବିଶିଷ୍ଟ ସହରକୁ ନେଇ ରୢାଙ୍କ ମିଳିଥିବାରୁ ଆମେ ଭଲ ରୢାଙ୍କ ପାଇଥିଲୁ। କିନ୍ତୁ ୨୦୧୮ରେ ୧ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ନେଇ ରୢାଙ୍କିଂ ହେବାରୁ ଆମକୁ ଭଲ ରୢାଙ୍କ ମିଳିଲାନି। ଏଥର ଆମେ ସ୍ବଚ୍ଛ ସହର ପାଇଁ ବହୁ ପଦକ୍ଷେପ ନେଇଛୁ। ତେଣୁ ଭଲ ରୢାଙ୍କ ପାଇବୁ। ଏବେ ସହରର ୫୦ଟି ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଡଷ୍ଟବିନ୍ ଲାଗିଛି। ପ୍ରାୟ ୨ହଜାର ସିଟ୍‌ ବିଶିଷ୍ଟ ଶୌଚାଳୟ ହୋଇଥିବାବେଳେ ଏଥିରେ ୬୦ଟି ସ୍ମାର୍ଟ ଶୌଚାଳୟ ଅଛି। କଳିଙ୍ଗ ଷ୍ଟାଡିୟମରେ ଜିରୋ ୱେଷ୍ଟ ମ୍ୟାନେଜମେଣ୍ଟ ପଲିସି କରାଯାଇଛି। ହକି ବିଶ୍ବକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମରେ ଲାଗିଥିବା ୫ଟି ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍‌କୁ ଏବେ ବିମାନବନ୍ଦର, ବିଭିନ୍ନ ହୋଟେଲ ଏବଂ ଜନଗହଳି ସ୍ଥାନରେ ଲଗାଇବାକୁ ଯୋଜନା ଅଛି। ରାଜଧାନୀର ପ୍ରମୁଖ ୮୦କିମି ରାସ୍ତାରେ ଯାନ୍ତ୍ରିକ ସଫେଇ ଆରମ୍ଭ ହୋଇଛି। ଏଥିରେ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସଫେଇ କରାଯାଉଛି। ଭୁବନେଶ୍ବର ଓଡିଏଫ୍‌ ସହର ବୋଲି ଘୋଷଣା କରାଯାଇଛି। ଭୁବନେଶ୍ବରକୁ ପ୍ଲାଷ୍ଟିକ୍ ଓ ପଲିଥିନ୍ ମୁକ୍ତ ସହର ଘୋଷଣା କରାଯାଇଛି। ସେହିପରି ନଗର ସ୍ବାସ୍ଥ୍ୟ ଅଧିକାରୀ, ଜୋନାଲ ଡେପୁଟି କମିସନରଙ୍କୁ ପରିମଳ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ କୁହାଯାଇଛି। ତେଣୁ ଏଥର ଆମେ ଭଲ ମାର୍କ ପାଇବୁ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

୨୫୯୫ ମାର୍କ କଟିବା ଥୟ, କେଉଁଥିରେ କେତେ ମାର୍କ କଟିବ
ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ବିଏମ୍‌ସି କର୍ତ୍ତୃପକ୍ଷ ଅଧିକରୁ ଅଧିକ ମାର୍କ ରଖିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। କିନ୍ତୁ ପ୍ରାୟ ୨୫୯୫ ମାର୍କ କଟିବା ଥୟ। ପ୍ରତିବର୍ଷ ଯେଉଁ ଯେଉଁ ବିଭାଗରେ ମୁଖ୍ୟତଃ ମାର୍କ କଟୁଛି ସେଥିରେ ବିଏମ୍‌ସି କର୍ତ୍ତୃପକ୍ଷ ଆବଶ୍ୟକୀୟ ଉନ୍ନତି ଆଣିପାରି ନଥିବାରୁ ଏଥର ବି ମାର୍କ କଟିବ। ଯେମିତି କଠିନ ବର୍ଜ୍ୟବସ୍ତୁ ବିଶୋଧନ ପ୍ଲାଣ୍ଟ, କମ୍ପୋଷ୍ଟ ପ୍ଲାଣ୍ଟ ନଥିବାରୁ ୩୭୫ମାର୍କ କଟିବ। ସ୍ଥାୟୀ ସ୍ବଚ୍ଛତା କ୍ଷେତ୍ରରେ ମୋଟ୍ ୩୧୨.୫ ମାର୍କ ଥିଲେ ହେଁ ଭିତ୍ତିଭୂମି ଅଭାବରୁ ଏଥିରେ ପ୍ରାୟ ୧୫୦ ମାର୍କ କଟିବ, ଆବର୍ଜନା ପ୍ରତ୍ୟେକ ଘରୁ ସଂଗ୍ରହ ହେଉଥିଲେ ହେଁ ଜୈବ ଓ ଅଜୈବ ଆବର୍ଜନା ପୃଥକ ପୃଥକ ସଂଗ୍ରହ ହୋଇପାରୁ ନଥିବାରୁ ମୋଟ୍ ୩୩୭.୫ମାର୍କରୁ ପ୍ରାୟ ୧୬୫ମାର୍କ, ସଚେତନତା ପାଇଁ ୬୨.୫ ମାର୍କ ଥିଲେ ହେଁ ଏଥିରେ ବି ବିଏମ୍‌ସି ଫେଲ୍‌ ମାରିଛି। ଲୋକ ରାସ୍ତା ଉପରେ ଆବର୍ଜନା ପକାଉଛନ୍ତି ଓ ରାସ୍ତାରେ ଝାଡ଼ା ପରିସ୍ରା କରୁଛନ୍ତି। ତେଣୁ ଏଥିରେ ପ୍ରାୟ ୩୦ମାର୍କ କଟିବ, ଆବର୍ଜନା ସଂଗ୍ରହ ଓ ବିଶୋଧନ କ୍ଷେତ୍ରରେ ଅନ୍ୟ ସହର ତୁଳନାରେ କିଛି ବି ନୂତନତ୍ବ ନଥିବାରୁ ଏଥିରେ ମୋଟ୍ ୬୨.୫ ମାର୍କରୁ ସମସ୍ତ ମାର୍କ କଟିବା ବି ଥୟ।ସେହିପରି ଓଡିଏଫ୍ (ଖୋଲାରେ ମଳତ୍ୟାଗମୁକ୍ତ ସହର) ସହର ନେଇ ବିଏମ୍‌ସି ଆତ୍ମଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ ଓଡିଏଫ୍ ସହର ହୋଇପାରିନି। ଏବେ ବି ରାସ୍ତାଘାଟରେ ଲୋକ ପରିସ୍ରା କରୁଛନ୍ତି। ତେଣୁ ଏଥିରେ ବି ୬୨.୫ମାର୍କ କଟିବ। ଏହାବ୍ୟତୀତ ସେବା ସ୍ତରରେ ପ୍ରଗତି ପାଇଁ ୧୨୫୦ମାର୍କ ଥିବା‌େ‌ବଳେ ଏପର୍ଯ୍ୟନ୍ତ ପ୍ରସ୍ତାବିତ ତରଳ ବର୍ଜ୍ୟବସ୍ତୁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇନି କି ସ୍ବେରେଜ୍‌ ବ୍ୟବସ୍ଥା ସୁଧୁରିନି। ଲୋକ ଯେପରି ସହଜରେ ଡଷ୍ଟବିନ୍‌ରେ ପକାଇପାରିବେ ସେହିଭଳି ଆବଶ୍ୟକୀୟ ଡଷ୍ଟବିନ୍ ଉପଲବ୍ଧ ହେଉନି। ଡଷ୍ଟବିନ୍‌ଗୁଡ଼ିକ ଜିପିଏସ୍‌ ଟ୍ରାକିଂ ହୋଇ ନଥିବାରୁ ଏଥିରେ ଅଳିଆ ଭର୍ତ୍ତି ହେଲେ ବି ବିଏମ୍‌ସି ପାଖରେ ଖବର ରହୁନି। ଫଳରେ ଦିନ ଦିନ ଧରି ଅଳିଆ ଜମା ହୋଇ ରହୁଛି। ଏହି କ୍ଷେତ୍ରରେ ପ୍ରାୟ ୬୦୦ ମାର୍କ କଟିପାରେ। ସେହିପରି କେନ୍ଦ୍ରୀୟ ଟିମ୍‌ର ପ୍ରତ୍ୟେକ୍ଷ ପରିଦର୍ଶନ କରି ୧୨୫୦ମାର୍କ ଦେବାକୁ ଥିବାବେଳେ ଏହି ଟିମ୍‌ ଯଦି ଗଳିକନ୍ଦି ଅଞ୍ଚଳ ବୁଲିବେ ତେବେ ବିଏମ୍‌ସିର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଦେଖିପାରିବେ। ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି ଏବଂ ଡ୍ରେନ୍ ପାଣି ରାସ୍ତାରେ ଭାସୁଥିବା ଦେଖିବାକୁ ପାଇବେ। ଏଥିରେ ବି ୫୫୦ମାର୍କ କଟିପାରେ। ତାହା କେନ୍ଦ୍ରୀୟ ଟିମ୍‌ର ପରିଦର୍ଶନ ଉପରେ ନିର୍ଭର କରୁଛି।

ଯଦି ବିଏମ୍‌ସି କର୍ତ୍ତୃପକ୍ଷ ଡକୁମେଣ୍ଟରେ ଏ ସବୁ ଠିକଠାକ୍ ଅଛି ବୋଲି ଚଞ୍ଚକତା କରି ଦର୍ଶାଇଥିବେ ତେବେ କିଛି ମାର୍କ କଟିବାରୁ ରକ୍ଷା ପାଇଯାଇପାରନ୍ତି। ନାଗରିକ ମତାମତରେ ବି ୧୨୫୦ମାର୍କ ରହିଛି। ହେଲେ ଗତ କିଛି ମାସ ହେଲା ରାଜଧାନୀର ଗଳିକନ୍ଦି‌େର ପରିମଳ ବ୍ୟବସ୍ଥା ଯେପରି ଅଛି ସେଥିରେ ଯଦି ସାଧାରଣ ଲୋକଙ୍କ ମତାମତ ନିଆଯାଏ ତେବେ ଏଥିରେ ବି ଅଧା ମାର୍କ ତଥା ପ୍ରାୟ ୬୦୦ ମାର୍କ କଟିଯାଇପାରେ।

ସମ୍ବନ୍ଧିତ ଖବର