ସ୍ୱଚ୍ଛତା ଚିନ୍ତା: ଖୋଲାରେ ମଳତ୍ୟାଗ କଲେ ଜରିମାନା

ମନ୍ଦିର ରକ୍ଷଣାବେକ୍ଷଣ ପାଇଁ ୫ ଲକ୍ଷ

ସର୍ବଜନୀନ ମନ୍ଦିରଗୁଡ଼ିକର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ପ୍ର୍ରତି କୀର୍ତ୍ତିରାଜିକୁ ୫ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି। ତେଣୁ ଏପରି ମନ୍ଦିରଗୁଡ଼ିକୁ ଚିହ୍ନଟ କରି ଏହାର ରକ୍ଷଣାବେକ୍ଷଣ କରିବାକୁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଏମ୍‌ସି ବୈଠକରେ ଅନୁରୋଧ କରିଥିଲେ। ଏଥିରେ ଘରୋଇ ମାଲିକାନା ଥିବା ମନ୍ଦିରଗୁଡ଼ିକୁ ସାମିଲ କରାଯାଇପାରିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ବିଏମ୍‌ସି କମିସନର କ୍ରିଷନ୍‌ କୁମାର ସ୍ମାର୍ଟ ସିଟି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ହକି ବିଶ୍ୱକପ୍‌ ପୂର୍ବରୁ ଗମନାଗମନ, ରାସ୍ତାର ସୌନ୍ଦର୍ଯ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ।

ଭୁବନେଶ୍ୱର: ଏଣିକି ଖୋଲାରେ ମଳତ୍ୟାଗ କଲେ ତଣ୍ଡ ଗଣିବ। ୧୦ କି ୨୦ ନୁହେଁ। ଥରକେ ଦେବାକୁ ପଡ଼ିବ ୫୦ ଟଙ୍କା। ଭୁବନେଶ୍ୱର ସହରକୁ ଖୋଲା ମଳତ୍ୟାଗ ମୁକ୍ତ ସହର ଘୋଷଣା କରିବା ପାଇଁ ଏଭଳି ଏକ ଅଭିନବ ପନ୍ଥା ଆପଣାଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ପ୍ରଥମ ଥର ପାଇଁ ସହରରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ଆଜି ବସିଥିବା ବିଏମ୍‌ସି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଖୋଲା ପଡ଼ିଆ, ଟ୍ରେନ୍‌ ଲାଇନ୍‌, ବସ୍‌ଷ୍ଟାଣ୍ଡ, ଖୋଲା ଡ୍ରେନ୍‌, ନଦୀ, ନାଳ, ପୋଖରୀ ପାର୍ଶ୍ୱ, ବସ୍ତି ଅଞ୍ଚଳ କେହି ବି ଏହି ନିୟମରୁ ବାଦ ପଡ଼ିନି। ସହରର ସବୁ ସ୍ଥାନରେ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଯେଉଁମାନେ ଖୋଲାରେ ମଳତ୍ୟାଗ କରୁଥିବା ସମୟରେ ଧରାପଡ଼ିବେ ୫୦ ଟଙ୍କା ଜରିମାନା ଦେବେ। ସ୍ଥାନୀୟ ଓ୍ଵାର୍ଡର୍ ପରିମଳ କମିଟି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଏହି ଜରିମାନା ଆଦାୟ କରିବେ। ଏଭଳି କରାଯିବା ଦ୍ୱାରା ସହରର ପରିମଳରେ ଉନ୍ନତି ଆସିବା ସହ ଭୁବନେଶ୍ୱର ସହର ଖୋଲା ମଳତ୍ୟାଗ ମୁକ୍ତ ସହର(ଓଡିଏଫ୍‌) ଭାବେ ଘୋଷଣା କରାଯାଇପାରିବ। ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ କହିବାନୁଯାୟୀ ଏହି ନିୟମ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଖୋଲାରେ ମଳତ୍ୟାଗ ପାଇଁ ଜରିମାନା ବାବଦରେ ବି ସୂଚନା ଦିଆଯିବ। ସହରକୁ ସ୍ୱଚ୍ଛ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ।

ଅନ୍ୟପକ୍ଷରେ ଖୋଲା ମଳତ୍ୟାଗ ଜନିତ ଜରିମାନା ଆଦାୟକୁ ଭିତ୍ତିକରି କର୍ପୋରେଟର୍‌ମାନେ କହିଥିଲେ ଯେ, ସହର ମଧ୍ୟରେ ଅନେକ କଲ୍ୟାଣ ମଣ୍ଡପ ରହିଛି। ସେଥିରୁ ନିର୍ଗତ ହେଉଥିବା ଆବର୍ଜନା ସହରର ପରିମାଳ ପାଇଁ ଚାପ ହେଉଛି। ତେଣୁ କଲ୍ୟାଣ ମଣ୍ଡପର ସର୍ବେକ୍ଷଣ ଆଞ୍ଚଳିକ ଉପଆୟୁକ୍ତଙ୍କ ତତ୍ତ୍ୱାବଧାନରେ କରାଯାଉ। ଏଥିରେ କର୍ପୋରେଟର୍‌ ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିବେ। ତେବେ କଲ୍ୟାଣ ମଣ୍ଡପଟି ଘରୋଇ ବା ବ୍ୟବସାହିକ ଭାବେ ପଞ୍ଜୀକୃତ ହୋଇଛି କି? ଏହା କେତେ ବେଆଇନ ଜମି ଅଧିକୃତ କରିଛି? ତାହାର ଆକଳନ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା। ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ବିଏମ୍‌ସି କମିସନର କ୍ରିଷନ୍‌ କୁମାର, ଅତିରିକ୍ତ କମିସନର୍‌ ଶୁଭମ୍‌ ସାକ୍‌ସେନା ପ୍ରମୁଖ ଉପସ୍ଥିତ ଥିଲେ। ବିଏମ୍‌ସି, ବିଡିଏ, ଜନସ୍ୱାସ୍ଥ୍ୟ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ମତ ରଖିଥିଲେ।

ବିଏମ୍‌ସି ଷ୍ଟାଣ୍ଡିଂ କମିଟି ନିର୍ବାଚନ
ବିଏମ୍‌ସି କର୍ପୋରେସନ୍‌ ବୈଠକ ପୂର୍ବରୁ ବିଭିନ୍ନ ଷ୍ଟାଣ୍ଡିଂ କମିଟି ସଭାପତି ନିର୍ବାଚନ ହୋଇଥିଲା। ଏଥିରେ ଟାକ୍ସେସନ୍‌, ଫାଇନାନ୍ସ ଓ ଆକାଉଣ୍ଟସ୍‌ ଷ୍ଟାଣ୍ଡିଂ କମିଟିର ସଭାପତି ଭାବେ ଶେଖ୍‌ ନିଜାମୁଦ୍ଦିନ୍‌ ନିର୍ବର୍ାଚିତ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ, ବିଜୁଳି ଯୋଗାଣ, ଜଳ ଯୋଗାଣ, ଡ୍ରେନେଜ୍‌ ଓ ପରିବେଶ ଷ୍ଟାଣ୍ଡିଂ କମିଟିର ସଭାପତି ଭାବେ ବିରଞ୍ଚି ନାରାୟଣ ମହାସୁପକାର ନିର୍ବାଚିତ ହୋଇଛନ୍ତି। ପବ୍ଲିକ ଓ୍ଵାର୍କ ଷ୍ଟାଣ୍ଡିଂ କମିଟି ସଭାପତି ଭାବେ ଅମରେଶ ଜେନା, ପ୍ଲାନିଂ ଏବଂ ଡେଭଲପ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ସଭାପତି ଭାବେ ନବକିଶୋର ବେହେରା, ଏଜୁକେସନ୍‌ ରିକ୍ରିଏସନ୍‌ ଓ କଲ୍‌ଚର୍‌ ଷ୍ଟାଣ୍ଡିଂ କମିଟି ସଭାପତି ପାଇଁ ପ୍ରଣବ କିଶୋର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ଲାଇସେନ୍ସ ଏବଂ ଅପିଲ୍‌ସ ଷ୍ଟାଣ୍ଡିଂ କମିଟି ସଭାପତି ଭାବେ ସଞ୍ଜୟ କୁମାର ସେଠୀ, କର୍ପୋରେସନ ଏଷ୍ଟାବ୍ଲିସ୍‌ମେଣ୍ଟ କମିଟି ସଭାପତି ଭାବେ ସମୀର ପ୍ରଧାନ, ସୋସିଆଲ ଜଷ୍ଟିସ୍‌ କମିଟି ସଭାପତି ଭାବେ ଛବି ଦାସ, ସ୍ଲମ୍‌ ରିସେଟେଲ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟିର ସଭାପତି ଭାବେ କୁମାରେନ୍ଦ୍ର ମହାପାତ୍ର ନିର୍ବାଚିତ ହୋଇଥିଲେ। ପରେ ଅନୁଷ୍ଠିତ କାଉନସିଲ୍‌ ବୈଠକରେ ନୂତନ ସଭାପତିଙ୍କୁ ମେୟର ଶ୍ରୀ ଜେନା ସ୍ୱାଗତ କରିଥିଲେ।

ଜଳାଶୟଗୁଡ଼ିକର ମରାମତି ପାଇଁ ୨୦ କୋଟି
ଭୁବନେଶ୍ୱର ସହର ମଧ୍ୟରେ ଥିବା ୭ଟି ଜଳାଶ୍ରୟର ସୁରକ୍ଷା, ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶା ଅର୍ବାନ ଇନ୍‌ଫ୍ରାଷ୍ଟକ୍‌ଚର ଡେଭେଲପ୍‌ମେଣ୍ଟ ଫଣ୍ଡ୍‌(ଓୟୁଆଇଡିଏଫ୍‌)ର ଆର୍ଥିକ ସହାୟତା ଯୋଗାଇ ଦେବ। ଏହାର କାର୍ଯ୍ୟଖସଡ଼ା ‘ମଲ୍‌ଟି ମାଣ୍ଟାଚ୍‌’ ଦ୍ୱାରା ପ୍ରସ୍ତୁତ ହୋଇଛି। ଏହି ପ୍ରକଳ୍ପ କଷ୍ଟ୍‌ ସେୟାରିଙ୍ଗ୍‌କୁ ଭିତ୍ତିକରି ହେବ, ଯାହା ଅନୁଦାନ, ଋଣ ଏବଂ ଅର୍ଥର୍ ଆକାରରେ ୪୫-୪୫-୧୦ ଅନୁପାତରେ ରହିବ। ପ୍ରକଳ୍ପ ଅଧୀନରେ ଓ୍ଵାର୍ଡ ନମ୍ବର ୧୯ରେ ଥିବା ଅନନ୍ତ ବାସୁଦେବ ପୋଖରୀ, ୨୩ ନମ୍ବର ଓ୍ଵାର୍ଡର ଘାଗୁଡ଼ି ଓ ତରିଆ ପୋଖରୀ, ୬୩ ନମ୍ବର ଓ୍ଵାର୍ଡର ଜାଗମରା ବରବାରୀ ପୋଖରୀ, ୬୫ ନମ୍ବର ଓ୍ଵାର୍ଡର ନମ୍ରକାଣି ପୋଖରୀ, ୬୨ ନମ୍ବର ଓ୍ଵାର୍ଡର ଝର ପୋଖରୀ, ୩୭ ନମ୍ବର ଓ୍ଵାର୍ଡର ନୂଆପଲ୍ଲୀ ହାଜା ରହିଛି। ଏଥିସହ ନାଳ ଖନନ ଓ ପରିଚ୍ଛନ ବିଷୟ ଉପରେ ବିଏମ୍‌ସି ବୈଠକରେ ଆଲୋଚନା କରାଯାଇଛି। ଆହୁରି ବାକି ଥିବା ୧୫ରୁ ୨୦ ପ୍ରତିଶତ ନାଳ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର