କୃତୀ ପୁନଃପ୍ରକାଶ ପାଉ: ସରିଲା ଭୁବନେଶ୍ୱର ପୁସ୍ତକମେଳା: ବିଶିଷ୍ଟ ସାହିତ୍ୟିକଙ୍କ

ଭୁବନେଶ୍ୱର: ସାହିତ୍ୟ କୌଣସି ଏକ ସମୟ ମଧ୍ୟରେ ଆବଦ୍ଧ ନୁହେଁ। ମାତ୍ର ଏବେ କେବଳ ସମସାମୟିକ ସାହିତ୍ୟକୁ ଗୁରୁତ୍ୱ ଦିଆଯାଉଛି। ସମସ୍ୟା ଏମିତି ଯେ, ଫକୀରମୋହନଙ୍କୁ ପଢ଼ିବାକୁ ଚାହିଁଲେ ପୂରା ଗ୍ରନ୍ଥାବଳୀ କିଣିବାକୁ ପଡ଼ୁଛି। କାହ୍ନଚରଣ ମହାନ୍ତି, ରାଧାମୋହନ ଗଡ଼ନାୟକ, ବିନୋଦ ନାୟକ, ଅନନ୍ତ ପଟ୍ଟନାୟକଙ୍କ ବହି ମିଳୁନାହିଁ। କେବଳ ସମସାମୟିକ ସାହିତ୍ୟ ଭିତରେ ଆବଦ୍ଧ ରହିଲେ ଆମ ସାହିତ୍ୟ ଲୋପ ପାଇଯିବ। ତେଣୁ ପ୍ରକାଶକମାନେ ବଡ଼ବଡ଼ ଲେଖକଙ୍କ ଉଲ୍ଲେଖନୀୟ ଲେଖାଗୁଡ଼ିକୁ ପ୍ରକାଶ କରନ୍ତୁ। ସରକାର ବି ଏ ଦିଗରେ ଆର୍ଥିକ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବା ଉଚିତ୍‌ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ପଦ୍ମଭୂଷଣ ରମାକାନ୍ତ ରଥ। ଭୁବନେଶ୍ୱର ପୁସ୍ତକ ମେଳାର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ବହି ଦୋକାନ ଖୋଲିବା ପାଇଁ ପୁସ୍ତକ ବ୍ୟବସାୟୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଅନ୍ତୁ ବୋଲି କହିଛନ୍ତି।

ଭୁବନେଶ୍ୱର ପୁସ୍ତକ ମେଳା କମିଟି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବଙ୍ଗଳା କବି ତଥା ପ୍ରମୁଖ ଏଜି ଯଶୋଧାରା ରାୟ ଚୌଧୁରୀ ବଙ୍ଗଳାରେ ନିଜର ଅଭିଭାଷଣ ରଖି ସାହିତ୍ୟ କ୍ଷେତ୍ରରେ ମହିଳାମାନଙ୍କ ସମ୍ପୃକ୍ତିକୁ ପ୍ରଶଂସା କରିଥିଲେ। ବିଶିଷ୍ଟ ସାହିତ୍ୟିକ ତଥା କମିଟିର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତ, କମିଟିର ଅଧ୍ୟକ୍ଷ ତଥା ବିଧାୟକ ସଂଜୟ କୁମାର ଦାସବର୍ମା, ସମ୍ପାଦକ ଅଶୋକ ମହାନ୍ତି ଏବଂ ବୈରାଗୀ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ଅବସରରେ ‘ମେଘମନା’ ପୁସ୍ତକ ପାଇଁ ମୁକୁଲ ମିଶ୍ର ଏବଂ ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି’ ବହି ପାଇଁ ଡ.ସୁଶୀଳ କୁମାର ବାଗ୍‌ଙ୍କୁ ପୁସ୍ତକ ମେଳା ସାହିତ୍ୟ ପୁରସ୍କାର, ‘ନିକୁଲ୍‌’ ପାଇଁ ସ୍ୱାଗତିକା ସ୍ୱାଇଁଙ୍କୁ ଉତ୍ତମ ଚରଣ ନାୟକ ଗଳ୍ପ ପୁରସ୍କାର, ‘ମେବାର କାହାଣୀ’ ପାଇଁ ଡ.ସୁରେନ୍ଦ୍ରନାଥ ଦାଶଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, ‘ମାନବ ସେବାରେ ଉଦ୍ଦିଦ’ ପାଇଁ ପ୍ରଫେସର ଅରୁଣ ଚନ୍ଦ୍ର ସାହୁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ଏବଂ ‘ଆମ ଓଡ଼ିଶା’କୁ ଶ୍ରେଷ୍ଠ ପ୍ରକାଶକ ସମ୍ମାନ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ପ୍ରକାଶକ ସମ୍ମାନ ଗ୍ରହଣ କରିଥିଲେ।
ଭାଷାବିତ୍‌ ଡ.ପ୍ରଫୁଲ୍ଲ ତ୍ରିପାଠୀଙ୍କୁ ଖଗେଶ୍ୱର ମହାପାତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ଦେଇଥିଲେ ପ୍ରତିଷ୍ଠାନ ମୁଖ୍ୟ ମଂଜୁ ନାୟକ। ସେହିପିର ରବି ପଣ୍ଡାଙ୍କୁ ‘ଖରାରେ ଠିଆ ହୋଇଥିବା ଲୋକ’ ପାଇଁ ପଶ୍ଚିମା ଗଳ୍ପ ସମ୍ମାନ, ସେନାପତି ପ୍ରଦ୍ୟୁମ୍ନ କେଶରୀଙ୍କୁ ‘ଭାଜ୍ୟ ଭାଜକ’ ପାଇଁ କବିତା ସମ୍ମାନ, ସୂର୍ଯ୍ୟ ଦେଓଙ୍କୁ ‘ଝରାମନ ଝୁରାଗୀତି’ ପାଇଁ ପ୍ରବନ୍ଧ ସମ୍ମାନ, ମୌସୁମୀ ପରିଡ଼ାଙ୍କୁ ‘ଆଲବମ୍‌, ଆଇସ୍‌କ୍ରିମ୍‌, ଆଇନା’ ପାଇଁ ଉପନ୍ୟାସ ସମ୍ମାନ ପ୍ରଦାନ କରାଯାଇଥିଲା। ‘ଆଇ ଆମ୍‌ ଆର୍ଟିଷ୍ଟ୍‌’ ପକ୍ଷରୁ ବଳଦେବ ମହାରଥାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଶିଳ୍ପୀ ଏବଂ ଅଭିନେତ୍ରୀ ଲିପ୍‌ସା ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ସଂସ୍ଥା ମୁଖ୍ୟ ସ୍ମୃତିରଂଜନ ନାୟକ ପୁରସ୍କୃତ କରିଥିଲେ। ପରେ ଗାୟତ୍ରୀ ସରାଫଙ୍କ ଗଳ୍ପ ବହି ‘କେହି ତ ଜଣେ’, ପୁଷ୍ପାଞ୍ଜଳି କରଙ୍କ ଉପନ୍ୟାସ ‘ଭଙ୍ଗା ଆକାଶର ଲେଉଟାଣି ତାରା’, ଜୟନ୍ତୀ ସାହୁଙ୍କ ଗଳ୍ପ ସଂକଳନ ‘ପୁଣ୍ୟ ପଣତ’ ଉନ୍ମୋଚିତ ହୋଇଥିଲା। ଡ.ସନ୍ଦୀପ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର