ଶେଷ ହେଲା ‘ମହିଳା ଓ ଶିଶୁ ଅଧିକାର ମହାସମ୍ମେଳନ-୨୦୧୭’

ଦୁର୍ନୀତି ରୋକିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଦେଶ ବିକାଶରେ ଏବେ ପ୍ରମୁଖ ବାଧକ ସାଜିଛି ‘ଦୁର୍ନୀତି’। ମହିଳାମାନେ ସଚେତନ ହେଲେ ଓ ପ୍ରତିବାଦ କଲେ ସମାଜରୁ ଦୁର୍ନୀତି କିଛି ମାତ୍ରାରେ ହଟିଯାଇପାରିବ। ଯଦି ସ୍ୱାମୀଟିଏ ଘରକୁ ନିଜ ସାମର୍ଥ୍ୟଠାରୁ ଅଧିକ ଟଙ୍କା ବା ଆସବାପତ୍ର ଆଣେ, ତେବେ ସ୍ତ୍ରୀଟିଏ ଟଙ୍କାର ହିସାବ ମାଗିବା ସହ ତା’ର ପ୍ରତିବାଦ କରିବା ଉଚିତ। ତେବେ ଯାଇ ଅନେକ କ୍ଷେତ୍ରରେ ଦୁର୍ନୀତିକୁ ନିୟନ୍ତ୍ରଣ କରାଯାଇ ପାରିବା ସହ ସ୍ୱାମୀମାନେ ସତର୍କ ହୋଇଯାଇ ପାରନ୍ତେ।

‘ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ଵିମେନ୍‌ସ୍‌୍‌ ଫୋରମ୍‌’ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ‘ମହିଳା ଓ ଶିଶୁ ଅଧିକାର ମହାସମ୍ମେଳନ-୨୦୧୭’ର ଆଜି ଉଦ୍‌ଯାପନୀ ଉତ୍ସବରେ ଏଭଳି ମତ ରଖିଛନ୍ତି ମଞ୍ଚାସୀନ ଅତିଥିମାନେ। ଆଜିର କାର୍ଯ୍ୟକ୍ରମରେ ବୈଜ୍ଞାନିକ ଆଶା କଚୁର, ଦିଲ୍ଲୀ ଏମ୍‌ସ୍‌ର ଡାକ୍ତର ମମତା ମହାନ୍ତି, ଜଗତ୍‌ସିଂହପୁର ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା,ଡାକ୍ତର ଚନ୍ଦାଲାଲ୍‌, ଡାକ୍ତର ବିକାଶ ରଥ, ଆଇପିଏସ୍‌ ସୂର୍ଯ୍ୟମଣି ତ୍ରିପାଠୀ, ଶିଶୁ ଚିକିତ୍ସା ବିଶେଷଜ୍ଞ ନିତୁ ଶର୍ମା, ବୋଙ୍ଗାଲୁରୁର ଶିଶୁ ଓ ମହିଳା ଉନ୍ନୟନର ନିର୍ଦ୍ଦେଶିକା ନିଶା ଦେଶାଇ ଓ ଡାକ୍ତର ସୁଧା ରେଡ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ୧୭ଟି ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଊର୍ଧ୍ୱ ମହିଳା ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଦୁଇଟି ଅଧିବେଶନରେ ମହିଳା ଓ ଶିଶୁ ବିକାଶକୁ ନେଇ ଅତିଥି ଓ ପ୍ରତିନିଧିମାନଙ୍କ ଦ୍ୱାରା ପ୍ରକାଶିତ ସାର୍ବଜନୀନ ଚିଠାକୁ ରାଷ୍ଟ୍ରପତିକୁ ପ୍ରଦାନ କରାଯିବ ବୋଲି ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓ୍ଵିମେନ୍‌ସ୍‌୍‌ ଫୋରମ୍‌ର ଅଧ୍ୟକ୍ଷା ମମତା ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର