ଶେଷ ହେଲା କଳିଙ୍ଗ ହର୍ବାଲ ମେଳା’

ଭୁବନେଶ୍ୱର: ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଆୟୁର୍ବେଦିକ ଔଷଧ ଓ ଔଷଧୀୟ ବୃକ୍ଷର ପସରା ‘୧୧ତମ କଳିଙ୍ଗ ହର୍ବାଲ ମେଳା’ ଆଜି ଶେଷ ଦିନରେ ପହଞ୍ଚିଛି। ଆଜିର ଅତ୍ୟାଧୁନିକ ଯୁଗ ପୁଣି ଚିକିତ୍ସା ବିଜ୍ଞାନର ଦ୍ରୁତ ଅଗ୍ରଗତି ଭିତରେ ଯେ, ଆର୍ୟୁବେଦ ଚିକିତ୍ସା ବେଶ୍‌ ଦୃଢ଼ ଭାବେ ଦଣ୍ଡାୟମାନ ଏହି ମେଳା ତାହାର ସ୍ପଷ୍ଟ ପ୍ରମାଣ ଦେଉଥିଲା। ମେଳା ପରିସରରେ ୧୨୧ଟି ଷ୍ଟଲ୍‌ ଖୋଲାଯାଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୩ ଜଣ ଅଭିଜ୍ଞ ବୈଦ୍ୟ ଆସି ନିଜ ଦେଶୀ ଓ ଅନୁଭୂତିପୂର୍ଣ୍ଣ ଚିକିତ୍ସା ସେବା ଗ୍ରାହକଙ୍କୁ ଯୋଗାଇଥିଲେ। ମେଳାରେ ପ୍ରଥମ ୨ ଦିନ ମାନ୍ଦାବସ୍ଥା ଚାଲିଥିବା ବେଳେ ଶେଷ ୩ ଦିନ ବେଶ୍‌ ଭିଡ଼ ଜମିଥିଲା। ପୁଣି ପ୍ରତିବର୍ଷ ମେଳାକୁ ଅଧିିକରୁ ଅଧିକ ଗ୍ରାହକ ଆସୁଥିବା ସହ ଧୀରେ ଧୀରେ ଭଲ ବିକ୍ରିବଟା ହେଉଥିବା ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର କହିଛନ୍ତି। ଆଜି ମେଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ଭି ବି ଶର୍ମା ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୭ଟି ବିଭାଗରେ ୭ ଜଣଙ୍କୁ ପୁରସ୍କୃତ କରାଯାଇଛି।

ସମ୍ବନ୍ଧିତ ଖବର