ସରିଲା କୁମାର ଉତ୍ସବ, ନୃତ୍ୟରେ ଆମ୍ରପଲ୍ଲୀରୁ ଚକ୍ରବ୍ୟୂହ

ଭୁବନେଶ୍ବର: ଉତ୍କଳ ଡ୍ୟାନ୍ସ ଆଣ୍ଡ୍‌ ରିସର୍ଚ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କୁମାର ଉତ୍ସବ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ଉଡ୍ର ଅନୁଷ୍ଠାନର ନୃତ୍ୟଶିଳ୍ପୀଙ୍କ ଦ୍ବାରା ପରିବେଷିତ ଦଳଗତ ନୃତ୍ୟ ‘ଆମ୍ରପଲ୍ଲୀ’ ନିଆରା ମନୋରଂଜନ ଭେଟି ଦେଇଥିଲା। ପ୍ରଭାତ କୁମାର ସ୍ବାଇଁଙ୍କ ନୃତ୍ୟ ସଂରଚନା ଏବଂ ସୁକାନ୍ତ କୁମାର କୁଣ୍ଡୁ ଓ ଧନେଶ୍ବର ସ୍ବାଇଁଙ୍କ ସଂଗୀତ ସଂରଚନାରେ ପ୍ରସ୍ତୁତ ନୃତ୍ୟରେ ଆମ୍ରପଲ୍ଲୀର କାହାଣୀ ହୃଦୟ ଛୁଆଁ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ସୃଜନ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଏବଂ ଶେଷରେ ରୁଦ୍ରାକ୍ଷ ଫାଉଣ୍ଡେସନ୍‌ ପକ୍ଷରୁ ଚକ୍ରବ୍ୟୂହ ଭଳି କଥାବସ୍ତୁ ନୃତ୍ୟରେ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ବିଶିଷ୍ଟ କବି ପଦ୍ମବିଭୂଷଣ ରମାକାନ୍ତ ରଥ, ପୂର୍ବତନ ଆଇଜି ବଟକୃଷ୍ଣ ତ୍ରିପାଠୀ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସଂଗୀତା ଗୋସାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର