ସରିଲା ଓଡ଼ିଶା ଆମ୍ବ ଉତ୍ସବ: ଉପଯୁକ୍ତ ବଜାର ବ୍ୟବସ୍ଥା ଉପରେ ଗୁରୁତ୍ୱ

ଖଣ୍ଡଗିରି: ଆଜିର ସମୟରେ କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟ ହେଉଛି ବିପଣନ ବ୍ୟବସ୍ଥା। ଉପଯୁକ୍ତ ବଜାରରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟ ବିକିବାର ସୁଯୋଗ ପାଇଲେ ହିଁ ବେଶ୍‌ ଲାଭବାନ ହେବ ଓ ଏହା ସିଧାସଳଖ ଚାଷୀକୁ ଅଧିକ ଅମଳ କରିବା ପାଇଁ ପ୍ରୋତ୍ସାହିତ କରିବ। ମାତ୍ର ଏବେ ବି ବ୍ୟବସାୟରେ ବ୍ୟାପକ ଅବ୍ୟବସ୍ଥା ରହିଛି। ଫଳରେ ବହୁ ସମୟରେ ଚାଷୀ ତାର ଉତ୍ପାଦିତ ଦ୍ରବ୍ୟର ଉପଯୁକ୍ତ ସହାୟକ ମୂଲ୍ୟ ନ ପାଇ ହତାଶ ହୋଇ ପଡ଼ୁଛି ଓ ଏହା ଦ୍ୱାରା ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଆଜି ଓଡ଼ିଶା ଆମ୍ବ ଉତ୍ସବ ଓ କର୍ମଶାଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଭଳି ମତବ୍ୟକ୍ତ କରିଛନ୍ତି। ଓଡ଼ିଶା ସରକାର ଆମ୍ବ ଚାଷକୁ ପ୍ରୋତ୍ସାହିତ କରିବାକୁ ଉଦ୍ୟାନ ବିଭାଗ ଜରିଆରେ ଏକ ୫ ବର୍ଷିଆ ଯୋଜନା କରିଛନ୍ତି। ଆଗାମୀ ୫ ବର୍ଷ ଭିତରେ ଅଧିକ ୫୬ ହଜାର ହେକ୍ଟର ଜମିରେ ଆମ୍ବ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତୋଟାପୁରୀ, ଲାଙ୍ଗଡ଼ା, ଦିଶେରି ଭଳି ବାଣିଜିକ୍ୟ ଆମ୍ବ ଚାଷକୁ ଏଥିରେ ସାମିଲ୍‌ କରାଯାଇଛି। ସେହିଭଳି ଆମ୍ବ ପ୍ରକି୍ରୟାକରଣ ଓ ଲଘୁ ଉଦ୍ୟୋଗ ପ୍ରତିଷ୍ଠା ଯୋଜନା ଏହି ଆକ୍ସନ୍‌ ପ୍ଲାନ୍‌ ଭିତରେ ରହିଛି। ଏମିତିକି ଆମ୍ବ ଉତ୍ପାଦନ ବୃଦ୍ଧି ସହିତ ସପୁରୀ ଓ କନ୍ଦ ଉତ୍ପାଦନ ବଢ଼ାଇବା ଦ୍ୱାରା ବଡ଼ ବଡ଼ ଫଳରସ ଉଦ୍ୟୋଗମାନେ ଓଡ଼ିଶାକୁ ଆସିବେ ବୋଲି ସରକାର ଆଶା କରିଛନ୍ତି। ତେଣୁ ଆଗାମୀ ଦିନରେ ବିପଣନ କ୍ଷେତ୍ରରେ ଚାଷୀମାନେ ଆଉ ସମସ୍ୟାର ସମ୍ମୁଖୀନ ହେବେ ନାହିଁ ବୋଲି ଉତ୍ସବର ସଭାପତି ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ। ଆଇଗିଣିଆସ୍ଥିତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର (ଚେସ୍‌)ପରିସରରେ ରାଜ୍ୟ ଉଦ୍ୟାନ ବିଭାଗ ଦ୍ୱାରା ଆୟୋଜିତ ଏହି ୨ ଦିନିଆ ଆମ୍ବ ଚାଷୀ କର୍ମଶାଳାରେ ବିଭାଗୀୟ ନିର୍ଦେଶକ ସୁଧାଂଶୁ ମୋହନ ସାମଲ, ଅତିରିକ୍ତ ନିର୍ଦେଶକ ରମେଶଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଚେସ୍‌ର ମୁଖ୍ୟ ଡ. ଗୋବିନ୍ଦ ଆଚାର୍ଯ୍ୟ ସମ୍ମାନିତ ଅତିଥିିଭାବେ ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ଭଲ ଆମ୍ବ ଚାଷୀମାନଙ୍କୁ ସମ୍ବର୍ଧିିତ କରାଯାଇଥିଲା।

ରାୟଗଡ଼ାରେ ଚାଷ, କଟକରେ ଯନ୍ତ୍ରବାକ୍ସ
ଆଜି ଉଦ୍‌ଯାପନୀ ସଭାରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ସାମଲଙ୍କ କଥା ହିଁ ପୂର୍ବରୁ ଶେଷ ହୋଇଥିବା ଚାଷୀ କର୍ମଶାଳାରେ ପ୍ରତିଫଳିତ ହୋଇ ସାରିଥିଲା। ରାୟଗଡ଼ାର ଚାଷୀ ବାରଣାସୀ ସତ୍ୟରାଜୁଙ୍କ ସହ ବିଷମକଟକ, କାଶୀପୁର, କଳ୍ୟାଣସିଂହପୁର ବ୍ଲକର ବହୁ ଚାଷୀ ବିପଣନ ବ୍ୟବସ୍ଥା ଉପରେ ଅଭିଯୋଗ କରିଥିଲେ। ବଜାରରେ ଆମ୍ବ କିଲୋ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିଲେ ବି ସେମାନେ ବେପାରୀଙ୍କୁ ୧୫ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ। ମଣ୍ଡି ବ୍ୟବସ୍ଥା ବା ସରକାରୀ ବିପଣନ ବ୍ୟବସ୍ଥା ଥିଲେ, ସେମାନେ ଅଧିକ ଲାଭବାନ ହୋଇପାରନ୍ତେ ବୋଲି କହିଥିଲେ। ଗଛ ଲଗାଠାରୁ ଆରମ୍ଭ କରି ଫଳ ଫଳିବା ପର୍ଯ୍ୟନ୍ତ ଉଦ୍ୟାନ ବିଭାଗ ସବୁ କରୁଛି, କିନ୍ତୁ ଚାଷୀ ଦି’ପଇସା ପାଇବାଭଳି ଅସଲବେଳରେ କିଛି କରୁନାହିଁ ବୋଲି ଗୋପି ମାଣିଆକା, ବୀଣା ମାଣିଆକା, ଡମ୍ବରୁ ହୁଇକା, କାମେଶ୍ୱର ହୁଇକା ଆଦି ଚାଷୀମାନେ ଅଭିଯୋଗ କରିଥିଲେ। ସେହିଭଳି ରୋଗପୋକ ପରିଚାଳନା କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଉପଯୁକ୍ତ ସହଯୋଗ ମିଳୁନାହିଁ ବୋଲି ସେମାନେ କହିଥିଲେ। ଆମ୍ବ ଫଳମାଛି ମାରିବା ପାଇଁ ଏକ ଯନ୍ତ୍ର ବାକ୍ସ ରହିଛି। ଏହାର ବଜାର ମୂଲ୍ୟ ମାତ୍ର ୪୦ରୁ ୫୦ ଟଙ୍କା ପୁଣି ଏଥିରେ ରହୁଥିବା ଔଷଧ ସହ। କିନ୍ତୁ ଏହା ରାଜ୍ୟରେ କେବଳ କଟକରେ ମିଳୁଛି। ଫଳରେ ରାୟଗଡ଼ାର ଚାଷୀଟିଏ ୪୦ ଟଙ୍କାର ବାକ୍ସ ପାଇଁ କଟକ ଯିବା ଆସିବାରେ ୪ ଶହ ଟଙ୍କା ଖର୍ଚ୍ଚ କରିବାକୁ ଇଛା କରୁନାହିଁ। ତେଣୁ ଆମ୍ବ ବଗିଚାରେ ଫଳମାଛି ବହୁ ପାରିମାଣରେ ବଢ଼ୁଛନ୍ତି ଓ ଆମ୍ବ ପାଚିଲାବେଳକୁ ପୋକରା ହୋଇଯାଉଛି। ତେଣୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି। ଏହି ଯନ୍ତ୍ରବାକ୍ସଟି ଆମ୍ବ ଚାଷ ହେଉଥିବା ଜିଲ୍ଲାର ବଜାରରେ ମିଳିଲେ ଚାଷୀମାନେ ଉପକୃତ ହୁଅନ୍ତେ ବୋଲି ସେମାନେ କହିଥିଲେ। ତେବେ କୃଷି ବିଭାଗ ଏଭଳି ଯନ୍ତ୍ରକୁ ରିହାତି ଦରରରେ ନ ହେଲେ ବି ବଜାର ମୂଲ୍ୟରେ ଚାଷୀଙ୍କ ପାଖରେ ପହଞ୍ଚାଇବାକୁ ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର