ନନ୍ଦନକାନନ-ଜୟଦେବବିହାର ରାସ୍ତା ଅବରୋଧ

ଆକ୍ରମଣରେ ଗୁରୁତର ଯୁବକଙ୍କ ମୃତ୍ୟୁ

ଚନ୍ଦ୍ରଶେଖରପୁର: ଦୁର୍ଘଟଣା ଓ କିଛି ଯୁବକଙ୍କ ଆକ୍ରମଣରେ ଆହତ ହୋଇଥିବା ଇନ୍‌ଫୋସିଟି ଥାନା ଅଧୀନ ବନଫୁଲ ବସ୍ତିର ଜଣେ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି। ଏନେଇ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଆଜି ସନ୍ଧ୍ୟାରେ ପ୍ରାୟ ଅଢ଼େଇ ଘଣ୍ଟା ନନ୍ଦନକାନନ-ଜୟଦେବବିହାର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସୂଚନାଅନୁଯାୟୀ, ୫ ଦିନ ତଳେ ବନଫୁଲ ବସ୍ତିରେ ରହୁଥିବା ବାସୁଦେବ ନାୟକ(୩୦)ଙ୍କ ସହିତ ଜଣେ ଯୁବତୀଙ୍କର ରଘୁନାଥପୁର ପୋଲ ଉପରେ ଦୁର୍ଘଟଣା ହୋଇଥିଲା। ମାତ୍ର ଏହି ଘଟଣାରେ ଯୁବତୀ ଜଣଙ୍କ ତାଙ୍କର କିଛି ସମ୍ପର୍କୀୟ ଯୁବକଙ୍କୁ ଡାକି ବାସୁଦେବଙ୍କୁ ଆକ୍ରମଣ କରିଥିବା ବାସୁଦେବଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ଗୁରୁତର ଆହତ ଥିବା ବାସୁଦେବଙ୍କ ଆଜି ମେଡିକାଲ୍‌ରେ ମୃତ୍ୟୁ ହୋଇଯିବା ପରେ ବସ୍ତିବାସିନ୍ଦା ସନ୍ଧ୍ୟାରେ ଟାୟାର୍‌ ଜାଳି ରାସ୍ତା ବନ୍ଦ କରିଥିଲେ। ସ୍ଥାନୀୟ ରଘୁନାଥପୁରର କିଛି ଯୁବକଙ୍କ ଏହି ଘଟଣାରେ ସଂପୃକ୍ତି ଥିବା ମୃତକଙ୍କ ପତ୍ନୀ ଓ ଭାଇ ଅଭିଯୋଗ କରିଛନ୍ତି। ଆନ୍ଦୋଳନକାରୀମାନେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ସହିତ ତାଙ୍କ ପତ୍ନୀଙ୍କୁ ଚାକିରି ଦେବା ସହିତ ଦୋଷୀକୁ ଗିରଫ କରିବାକୁ ଦାବି କରିଥିଲେ। ଏସିପି ଯତୀନ ପଣ୍ଡା, ଇନଫୋସିଟି ଓ ନନ୍ଦନକାନନ ଥାନା ଆଇଆଇସି ୪ପ୍ଲାଟୁନ୍‌ ଫୋର୍ସ ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଶବ ସଂସ୍କାର ପାଇଁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦିଆଯିବା ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୫୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପରିବାରର ଜଣଙ୍କୁ ଗୃହରକ୍ଷୀରେ ନିଯୁକ୍ତି ଦିଆଯିବା ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର