ଗ୍ରୀଷ୍ମ ଉତ୍ସବ ଉଦ୍‌ଯାପିତ: ରଙ୍ଗେଇ ଦେଲା ‘ରଙ୍ଗ୍‌ ଦେ ତୁ ମୋହେ ଗେରୁଆ’

ଖଣ୍ଡଗିରି: ‘ରଙ୍ଗ୍‌ ଦେ ତୁ ମୋହେ ଗେରୁଆ’ ଓ ‘ଦମାଦମ୍‌ ମସ୍ତ କଲନ୍ଦର’ ଗୀତ ଆଜି ରାଜଧାନୀ ଗ୍ରୀଷ୍ମ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାକୁ ରଙ୍ଗେଇ ଦେଇଥିଲା। ବଲିଉଡ୍‌ କଣ୍ଠଶିଳ୍ପୀ ଅନ୍ତରା ମିତ୍ରଙ୍କ ଏହି ଦମ୍‌ଦାର ଗୀତ ଦୁଇଟି ଦର୍ଶକମାନଙ୍କୁ ଝୁମେଇ ଦେଇଥିଲା। ଅନ୍ତରା ଅନ୍ତରା ବୋଲି ଫାଟି ପଡ଼ିଥିଲା ଖଣ୍ଡଗିରି ପର୍ଯ୍ୟଟନ ବ୍ୟାଖ୍ୟାନ କେନ୍ଦ୍ରର ମୁକ୍ତ ରଙ୍ଗମଞ୍ଚ। ମେଘୁଆ ସନ୍ଧ୍ୟାର ଶୀତଳ ପବନ ସାଙ୍ଗକୁ ବ୍ୟାଖ୍ୟାନ କେନ୍ଦ୍ର ମଲ୍ଲୀବଣର ମହକ ଓ ଅନ୍ତରାଙ୍କ କଣ୍ଠର ଯାଦୁ ଦର୍ଶକମାନଙ୍କୁ ବେଶ୍‌ ଆମୋଦିତ କରିଥିଲା। ପ୍ରଥମରୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ରଶ୍ମିରେଖା ଦାସଙ୍କ ‘ଦଶାବତାର’ ନୃତ୍ୟାଭିନୟ ଦର୍ଶକମାନଙ୍କୁ ଯେତିକି ଭକ୍ତିରସରେ ରସସିକ୍ତ କରିଥିଲା, ଶେଷରେ ଅନ୍ତରାଙ୍କ ‘ରଙ୍ଗ୍‌ ଦେ ତୁ’ ଓ ‘ମସ୍ତ କଲନ୍ଦର’ ଦର୍ଶକମାନଙ୍କୁ ସେତିକି ମସ୍ତିଭରା ରଙ୍ଗରେ ରଙ୍ଗିନ୍‌ କରିଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ରାଜ୍ୟ ହସ୍ତତନ୍ତ ଶିଳ୍ପର ମଞ୍ଚ ପ୍ରଦର୍ଶନୀ। ରାଜ୍ୟ ସଂଗ୍ରହାଳୟ ଅଧୀକ୍ଷକ ଜୟନ୍ତୀ ରଥଙ୍କ ପ୍ରଯୋଜନାରେ ପାଟ, ଖଣ୍ଡୁଆ ଓ ଖଦି ବସ୍ତ୍ରର ଅତ୍ୟାଧୁନିକ ଡିଜାଇନ୍‌ର ପୋଷାକ ପିନ୍ଧି ମଡେଲ୍‌ମାନେ ପ୍ରଦର୍ଶନ କରିଥିଲେ। ଏଥିରେ ଷ୍ଟେଟ୍‌ ଆର୍କାଇଭ୍‌ସର ଅଧୀକ୍ଷକ ସୁଚିସ୍ମିତା ମନ୍ତ୍ରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରଜ୍ଞାଧାରୀ ମିଶ୍ର ନିର୍ଦେଶନା ଦାୟିତ୍ୱ ନିର୍ବାହ କରିଥିଲେ। ପୋଷାକ ଡିଜାଇନ୍‌ରେ ଚିକିଟି ବମ୍‌କାଇ କାରିଗର କବିରାଜ ନାୟକ, କୋଟପାଡ଼ର ମୀନକେତନ ସିରା ଓ ଯାଜପୁର ଗୋପାଳପୁରର ବେଣୁଧର ଦାସ ସହଯୋଗ କରିଥିଲେ। ପରେ ପରେ ସିଜିଲା ଗ୍ରୁପ୍‌ର ଡ୍ୟାନ୍‌ସ ଧମାକା ମଧ୍ୟ ଦର୍ଶକମାନଙ୍କୁ ମଜା ଦେଇଥିଲା। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ବିଭାଗୀୟ ସଚିବ ମନୋରଂଜନ ପାଣିଗ୍ରାହୀ ଓ ନିର୍ଦେଶକ ବିଜୟ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର