ସ୍କିଲ୍‌ ଇନ୍‌ ଓଡ଼ିଶା ଉଦ୍‌ଯାପିତ : ଯୁବ ଶକ୍ତିଙ୍କୁ ଦକ୍ଷତା ସମ୍ପନ୍ନ କରିବା ଦାୟିତ୍ୱ ସରକାର ଓ ସମାଜର

ଭୁବନେଶ୍ୱର :  ରାଜ୍ୟରେ ୧୬ ବର୍ଷରୁ ୨୩ ବର୍ଷର ବୟସସୀମା ମଧ୍ୟରେ ଥିବା ଯୁବକ, ଯୁବତୀଙ୍କ ସଂଖ୍ୟା ୬୦ ଲକ୍ଷ। ଏହି ଯୁବ ଶକ୍ତିଙ୍କୁ ଦକ୍ଷତା ସମ୍ପନ୍ନ କରିବା ଦାୟିତ୍ୱ ସରକାର ଓ ସମାଜର ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍‌, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସ୍କିଲ୍‌ ଇନ୍‌ ଓଡ଼ିଶାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଶ୍ରୀ ପ୍ରଧାନ କହିଲେ, ଓଡ଼ିଶାରେ ୯ରୁ ୧୦ ଲକ୍ଷ ପିଲା ପ୍ରତି ବର୍ଷ ୧୫ ବର୍ଷ ବୟସ ଅତିକ୍ରମ କରୁଛନ୍ତି। ତାଙ୍କ ପାଇଁ ସ୍କିଲ୍‌ ଇକୋ ସିଷ୍ଟମ୍‌ ତିଆରି କରି ତାଙ୍କୁ ରୋଜଗାରକ୍ଷମ କରାଇବା ଆମ ପାଇଁ ଆହ୍ଵାନ। ଓଡ଼ିଶାର ସ୍କିଲ୍‌ ହେଉଛି ଓଡ଼ିଶାର ନମ୍ରତା, ସୌଜନ୍ୟ ଓ ବିଶ୍ୱସନୀୟତା। ଓଡ଼ିଆ ଜାତି କୋଣାର୍କ ମନ୍ଦିର,  ଶ୍ରୀଜଗନ୍ନାଥ ମନ୍ଦିର ଓ ଲିଙ୍ଗରାଜ ମନ୍ଦିର ତିଆରି କରିଛି। ଏହା ହିଁ ଓଡ଼ିଶାର ସ୍କିଲ୍‌। ଓଡ଼ିଶାର ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଓ ଜଙ୍ଗଲ ସମ୍ପଦ ସମ୍ପର୍କିତ ସ୍କିଲ୍‌କୁ ମଧ୍ୟ ସ୍କିଲ୍‌ ଇନ୍‌ ଓଡ଼ିଶାରେ ସାମିଲ୍‌ କରିବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ରାଜ୍ୟରେ ଥିବା ଆଇଟିଆଇଗୁଡ଼ିକର ବିକାଶ ପାଇଁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଉଦ୍‌ଯାପନୀ ଉତ୍ସବ ପୂର୍ବରୁ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ୨୫ଟି ସ୍କିଲ ପ୍ରତିଯୋଗିତାରେ ୭୪ ଜଣଙ୍କୁ ପଦକ ପ୍ରଦାନ କରାଯାଇଥିଲା। କୃତୀ ପ୍ରତିଯୋଗୀମାନେ ଜାତୀୟସ୍ତରରେ ସ୍କିଲ ପ୍ରତିଯୋଗିତାରେ ଅଂଶ ଗହଣକରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜାତୀୟ ସ୍ତରର ବିଜେତାମାନେ ୨୦୧୯ରେ ଋଷିଆରେ ହେବାକୁ ଥିବା ବିଶ୍ୱସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେବେ। ଏହି ଅବସରରେ ଦକ୍ଷତା ବିକାଶ କର୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚି କହିଛନ୍ତି, ଆମର ମିସନ୍‌ ୧, ୨, ୩ ରହିଛି। ତାହା ହେଉଛି ୧ ଗୋଟିଏ ସ୍ୱର୍ଣ୍ଣ, ୨ ଦୁଇଟି ରୌପ୍ୟ ଓ ୩ ତିନୋଟି ବ୍ରୋଞ୍ଜ ପଦକ। ବିଭାଗୀୟ ସଚିବ ସଞ୍ଜୟ ସିଂହ କହିଛନ୍ତି, କେବଳ ୨୦୧୯ ବର୍ଷ ପାଇଁ ନୁହେଁ, ୨୦୨୧ ପ୍ରତିଯୋଗିତା ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି। ଏହି ପୁରସ୍କାର ବିତରଣ ଉତ୍ସବରେ କର୍ମ ନିୟୋଜନ ନିର୍ଦେଶକ ଦକ୍ଷତା ବିକାଶ କର୍ତୃପକ୍ଷ ସିଇଓ ରାଜେଶ ପ୍ରଭାକର ପାଟିଲ, ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦେଶକ ବଲଓ୍ଵନ୍ତ ସିଂହ ଓ ଏସ୍‌ଏସ୍‌ଇପିଡ଼ି ବିଭାଗ ନିର୍ଦେଶିକା ମାନସୀ ନିମ୍ଭାଲଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ଆଇଆଇଟି ନିର୍ଦେଶକ ଆର୍‌ ବି ରାଜକୁମାର, ଜର୍ମାନ୍‌ର ଡାଇଡାକ୍ଟିକ୍‌ର ମୁଖ୍ୟ ଭୋଲକାରସ୍ମିସଡ୍‌, ତ୍ରିପୁରାର ପୂର୍ବତନ ମୁଖ୍ୟ ଶାସନ ସଚିବ ସଞ୍ଜୟ ପଣ୍ଡା, ସିପେଟ୍‌ର ନିର୍ଦେଶକ ପିଜିଭି କ୍ରିଷ୍ଣନ୍‌, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର, ପର୍ଯ୍ୟଟନ ନିର୍ଦଶକ ନିତିନ ଭାନୁଦାସ ଜୱାଲେ, ସିଟିଟିସି ପରିଚାଳନା ନିର୍ଦେଶକ ଶିବାଶିଷ ମାଇତି, ବିଏମ୍‌ସି କମିସନର କ୍ରିଷନ୍‌ କୁମାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ସମ୍ବନ୍ଧିତ ଖବର