୨୦କୋଟି ଟପିଲା ବ୍ୟବସାୟ

ଦ୍ୱାଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ଚନ୍ଦ୍ରଶେଖରପୁର : ଦ୍ୱାଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ଉଦ୍‌ଯାପିତ ହୋଇଯାଇଛି। ଏ ବର୍ଷ ମେଳାରେ ପୂର୍ବର ସବୁ ରେକର୍ଡ଼ ଭଙ୍ଗ କରି ୨୦ କୋଟିର ବ୍ୟବସାୟିକ କାରବାର ହୋଇଛି। ସେହିପରି ୨୦ଲକ୍ଷରୁ ଊର୍ଧ୍ୱ ଦର୍ଶକ ଏହି ମେଳାକୁ ଉପଭୋଗ କରିଥିବା ଜଣାପଡ଼ିଛି। ତେଣୁ ଚଳିତ ବର୍ଷର ମେଳା ସଫଳ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହସ୍ତଶିଳ୍ପ କ୍ଷେତ୍ରରେ ସର୍ବାଧିକ ୯କୋଟି ୧ଲକ୍ଷ ଟଙ୍କାର ବିକ୍ରିବଟା ହୋଇଥିବା ବେଳେ ହସ୍ତତନ୍ତରୁ ୮କୋଟି ୩୮ଲକ୍ଷ ଏବଂ ଫୁଡ୍‍କୋର୍ଟରୁ ପ୍ରାୟ ୨କୋଟି ୩୭ଲକ୍ଷ ଟଙ୍କାର ବିକ୍ରି ହୋଇଛି।

ଉଦ୍‌ଯାପନୀ ସନ୍ଧ୍ୟାରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା, ସମବାୟ ସଚିବ ରଂଜନା ଚୋପ୍ରା ଏବଂ ବିଭାଗୀୟ ସଚିବ ଶୁଭା ଶର୍ମା ଅତିଥି ଭାବରେ ଯୋଗଦେଇଥିଲେ। ବ୍ରହ୍ମପୁରରୁ ଆସିଥିବା ‘ଓଡ଼ିଶା ସର୍ଭିସ୍‌ ସେଣ୍ଟର୍‌ ଫର୍‌ ବ୍ଲାଇଣ୍ଡ୍‌’ର ୩୦ଜଣ ଦୃଷ୍ଟିଶକ୍ତି ରହିତ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟାକୁ ମନୋଜ୍ଞ କରିଥିଲା। ଚଳିତ ବର୍ଷ ମେଳାରେ ଓଡ଼ିଶା ସମେତ ୨୫ଟି ରାଜ୍ୟର ବ୍ୟବସାୟୀ ଓ ଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଶେଷ ଦିନରେ ମଧ୍ୟ ଦର୍ଶକମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ସମ୍ବନ୍ଧିତ ଖବର