ପରିବେଶ ସୁରକ୍ଷାରେ ଶିଳ୍ପୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବିଶ୍ୱ ଶିଳ୍ପୀ ଦିବସ ଉଦ୍‌ଯାପିତ

ଭୁବନେଶ୍ୱର : ସଂପ୍ରତି ପରିବେଶ ପ୍ରଦୂଷଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ପୃଥିବୀକୁ ଏଥିରୁ ରକ୍ଷା କରିବାକୁ ହେଲେ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ତେବେ ପରିବେଶ ସୁରକ୍ଷାରେ ଜଣେ କଳାକାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଣେ କଳାକାର ଚାହିଲେ, ଚିତ୍ର ମାଧ୍ୟମରେ ପରିବେଶ ସୁରକ୍ଷା ନେଇ ଲୋକମାନଙ୍କୁ ସଚେତନ କରାଇପାରିବ। ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପକ୍ଷରୁ ଖାରବେଳନଗରସ୍ଥିତ ଖଦି ଭବନଠାରେ ଚାଲିଥିବା ବିଶ୍ୱ ଶିଳ୍ପୀ ଦିବସର ଉଦ୍‌ଯାପନୀ ଦିବସରେ ଅତିଥି ଭାବେ ଯୋଗଦେଇ ଏହା କହିଥିଲେ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର। ଏହି ଅବସରରେ ସେ ଉପସ୍ଥିତ ସମସ୍ତଙ୍କ କଳାକାରଙ୍କୁ ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଲଳିତକଳା ଏକାଡେମିର ସଭାପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର କହିଲେ, ଧୈର୍ଯ୍ୟ ଓ କଠିନ ପରିଶ୍ରମ ମଣିଷକୁ ଶ୍ରେଷ୍ଠ ପରିଚୟ ଦେଇଥାଏ। ଆଉ ଜଣେ କଳାକାର ହିଁ ନିଜ ପାଇଁ ଏପରି ପରିଚୟ ସୃଷ୍ଟି କରିପାରିବ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ନାଟ୍ୟ ଏକାଡେମିର ସଚିବ ପ୍ରଦୀପ ମିଶ୍ର, ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରିର ନିର୍ଦେଶକ ବିକାଶ ଚୌଧୁରୀ ଓ ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ଗ୍ରୁପ୍‌ ୨ ଓ ଗ୍ରୁପ୍‌ ୩ର ପିଲାମାନଙ୍କୁ ରୌପ୍ୟ ଓ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏଥିସହ ଚିତ୍ରକଳା ଶିକ୍ଷକ ସ୍ୱାତିରଂଜନ ମହାରଣା, ଚନ୍ଦ୍ରଜିତ ମିତ୍ର, ମଧୁସୂଦନ ମହାରଣା, ଜଗନ୍ନାଥ ଦାସ, ବିଜୟ କୁମାର ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ସୁବ୍ରତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର