ସିଏନ୍‌ଜିକୁ ନେଇ ଉତ୍ସାହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟନ ଅବସରରେ ଉପସ୍ଥିତ ଥିବା ଅଟୋ ଚାଳକମାନେ ବହୁତ ଉତ୍ସାହିତ ଥିଲେ। ପାରମ୍ପରିକ ଡିଜେଲ୍‌ ତୁଳନାରେ ସିଏନ୍‌ଜି ବ୍ୟବହାର କରିବା ଦ୍ୱାରା ସେମାନଙ୍କ ରୋଜଗାର ବଢ଼ିବାକୁ ଯାଉଥିବାରୁ ସେମାନେ ବହୁତ ଖୁସି। ଏହି ଅବସରରେ ‘ସମ୍ବାଦ’ ପକ୍ଷରୁ ଅଟୋଚାଳକମାନଙ୍କ ସହ କଥାବାର୍ତା କରାଯାଇଥିଲା। ପ୍ରାୟ ସମସ୍ତ ଚାଳକ କହିଥିଲେ ଯେ ସେମାନେ ସିଏନ୍‌ଜିକୁ ନେଇ ବହୁତ ଖୁସି। କାରଣ ପେଟ୍ରୋଲ୍‌ କିମ୍ବା ଡିଜେଲ ତୁଳନାରେ ସିଏନ୍‌ଜି କମ୍‌ ମୂଲ୍ୟରେ ମିଳିବ। ଏହା ବ୍ୟତୀତ ସିଏନ୍‌ଜି ଅଧିକ ମାଇଲେଜ୍‌ ମଧ୍ୟ ପ୍ରଦାନ କରିବ। ବିଶ୍ୱ ଭୂଷଣ ଦାସ ନାମକ ଜଣେ ଅଟୋଚାଳକ କହିଛନ୍ତି ଯେ ଡିଜେଲ ଚାଳିକ ଗାଡ଼ି ଚଲାଇବା ବେଳେ ମୋ ଗାଡ଼ିରୁ ଅଧିକ ଶବ୍ଦ ସୃଷ୍ଟି ହେଉଥିଲା। ଗାଡ଼ି ଚଲାଇବା ବେଳେ କଥାବାର୍ତା ଲାଗିଲେ ଭଲ ଭାବେ ଶୁଣାଯାଉନଥିଲା। ମାତ ସିଏନ୍‌ଜି ବ୍ୟବହାର କରିବା ପରେ ଗାଡ଼ିରୁ ସୃଷ୍ଟି ହେଉଥିବା ଶବ୍ଦ କମିଯାଇଛି। ମୁଁ ଏବେ ମୋର ଯାତ୍ରୀମାନଙ୍କୁ ଏକ ଶାନ୍ତ ପରିବେଶରେ ଯାତ୍ରା କରିବାର ଅନୁଭୂତି ପ୍ରଦାନ କରିପାରିବ ବୋଲି ହସି ହସି ସେ କହିଛନ୍ତି।

ସିଆର୍‌ପି ଛକଠାରେ ଥିବା ଜଗନ୍ନାଥ ଅଟୋର ଜଣେ କର୍ମଚାରୀ ଅକ୍ଷୟ ମହାନ୍ତି କହିଛନ୍ତି ଯେ ସିଏନ୍‌ଜିର ବହୁତ ଲାଭ ରହିଛି। ଗ୍ରାହକମାନେ କମ୍‌ ମୂଲ୍ୟରେ ସିଏନ୍‌ଜି ଅଟୋ ପାଇପାରିବେ। ସିଏନଜି ଅଟୋ କିଣିବା ପାଇଁ ଗ୍ରାହକମାନଙ୍କୁ ୧ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ କରିବାକୁ ପଡ଼ିବ ଯାହା ଅନ୍ୟ ଅଟୋ ମୂଲ୍ୟ ତୁଳନାରେ କମ୍‌ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସିଏନ୍‌ଜି ଅଟୋରେ ଖର୍ଚ କମ୍‌। ଏହି ଅବସରରେ ସିଏନ୍‌ଜି ଯାନ ବିକ୍ରି କରୁଥିବା କଂପାନି ଅଧିକାରୀମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ବଜାଜ, ପିଆଜିଓ ଏବଂ ଟାଟାର ଅଧିକାରୀମାନେ ଉପସ୍ଥିତ ଲୋକମାନଙ୍କୁ ସିଏନ୍‌ଜିର ଲାଭ ବିଷୟରେ ବୁଝାଇବାକୁ ପ୍ରୟାସ କରୁଥିଲେ। ବିଭିନ୍ନ କଂପାନି ପକ୍ଷରୁ ଲିଫ୍‌ଲେଟ୍‌ ମଧ୍ୟ ବଣ୍ଟନ କରାଯାଉଥିଲା।

ବଜାଜ୍‌ ଅଟୋର ନୂଆ କମ୍ପାକ୍ଟ ସିଏନ୍‌ଜି

ବଜାଜ ଅଟୋ ପକ୍ଷରୁ ଏହି ଅବସରରେ ଏହା ନୂଆ ତିନି ଚକିଆ ଯାନ କମ୍ପାକ୍ଟ ସିଏନ୍‌ଜିକୁ ଉନ୍ମୋଚନ କରାଯାଇଛି। ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କଂପାନି ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଛି। ଏହି ଗାଡ଼ି ଏକ କେଜି ସିଏନ୍‌ଜିରେ ୬୦ କିମି ମାଇଲେଜ୍‌ ପ୍ରଦାନ କରୁଥିବା କଂପାନି ଦାବି କରୁଛି। ଆଗାମୀ ଦିନରେ କଂପାନି ଏହାର ଅନ୍ୟ ସିଏନ୍‌ଜି ମଡେଲ୍‌ଗୁଡ଼ିକ ବଜାରକୁ ଆଣିବାକୁ ଯୋଜନା ରଖିଛି। ସେଗୁଡ଼ିକ ହେଉଛି ସିଏନ୍‌ଜି କମ୍ପାକ୍ଟ ପ୍ଲସ୍‌ ଏବଂ ମ୍ୟାକ୍ସିମା ସିଏନ୍‌ଜି। ସିଏନ୍‌ଜିର ଅଟୋଗୁଡ଼ିକୁ କଂପାନି ଆକର୍ଷଣୀୟ ଲୁକ୍‌ ପ୍ରଦାନ କରିଛି।

ବିକଳ୍ପ ଇନ୍ଧନକୁ ଆମେ ସ୍ୱାଗତ କରୁଛୁ: ପେଟ୍ରୋଲିୟମ୍‌ ଡିଲର୍‌ ସଂଘ

ସିଏନ୍‌ଜି ଷ୍ଟେସନ୍‌ ସ୍ଥାପନକୁ ନେଇ ଉତ୍କଳ ପେଟ୍ରୋଲିୟମ୍‌ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମେ ବିକଳ୍ପ ଇନ୍ଧନକୁ ସ୍ୱାଗତ କରୁଛୁ। ସିଏନ୍‌ଜି ଷ୍ଟେସନ୍‌ଗୁଡ଼ିକୁ ସହରରେ ଥିବା ବିଭିନ୍ନ ପେଟ୍ରୋଲ୍‌ ପମ୍ପ୍‌ରେ ଖୋଲିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କାରଣ ପେଟ୍ରୋଲ୍‌ ପମ୍ପ୍‌ରେ ସେଥିପାଇଁ ଜାଗା ରହିଛି। ପେଟ୍ରୋଲ୍‌ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ୍‌ ସ୍ଥାପନ କଲେ ଅଧିକ ପୁଞ୍ଜିନିବେଶ ମଧ୍ୟ କରିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ମାର୍କେଟ୍‌ ବିଲଡିଂ, ଖଣ୍ଡଗିରି ଏବଂ ତମାଣ୍ଡୋଠାରେ ଥିବା ପେଟ୍ରୋଲ୍‌ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ୍‌ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।

କିଲୋମିଟରକୁ ଖର୍ଚ ଟଙ୍କାଏ

ସିଏଜି ଚାଳିତ ଗାଡ଼ିରେ କିଲୋମିଟର ପିଛା ଏକ ଘଣ୍ଟା ଖର୍ଚ ହେବ ବୋଲି ଅଟୋଚାଳକ ବିଶ୍ୱଭୂଷଣ ଦାସ କହିଛନ୍ତି। ସେ କହିଛନ୍ତି ଯେ ଏକ କେଜି ସିଏନ୍‌ଜିର ମୂଲ୍ୟ ହେଉଛି ୬୦ ଟଙ୍କାରୁ ସାମାନ୍ୟ କିଛି ପଇସା କମ୍‌। ଏକ କେଜି ସିଏନ୍‌ଜି ୬୦ କିଲୋମିଟର ମାଇଲେଜ୍‌ ପ୍ରଦାନ କରିବ। ତେଣୁ କିଲୋମିଟର ପିଛା ଏକ ଟଙ୍କା ଖର୍ଚ ହେବ। ଡିଜେଲ ଚାଳିତ ଅଟୋଗୁଡ଼ିକର ଲିଟର ପିଛା ମାଇଲେଜ୍‌ ୩୫ କିଲୋମିଟର ପାଖାପାଖି ରହୁଥିଲା। ତେଣୁ ନିଶ୍ଚିତପକ୍ଷେ ସିଏନ୍‌ଜି ଚାଳିତ ଅଟୋରେ ଅଧିକ ରୋଜଗାର ହେବ ବୋଲି ସେ କହିଛନ୍ତି। ଅଟୋଗୁଡ଼ିକରେ ସାଢ଼େ ଚାରି କେଜି ସିଏନ୍‌ଜି ରହିବାର ବ୍ୟବସ୍ଥା ରହିଛି।

ପରିବେଶ ପ୍ରଦୂଷଣ କମ୍‌ ହେବ

ନିଜ ହୋଣ୍ଡା ଆକ୍ଟିଭାକୁ ସିଏନ୍‌ଜି ଇନ୍ଧନ ଉପଯୋଗୀ କରିଥିବା ନାଲ୍‌କୋ ନଗରର ଜଣେ ମହିଳା ପିଙ୍କି ହୋତା ବେଶ ଉତ୍ସାହିତ ଥିଲେ। ସିଏନ୍‌ଜି ଦ୍ୱାରା ପରିବେଶ ପ୍ରଦୂଷଣ କମ୍‌ ହେବ ବୋଲି ସେ କହିଛନ୍ତି। ଗେଲ୍‌ ପକ୍ଷରୁ ଦିଆଯାଇଥିବା ଅଫର୍‌ର ଫାଇଦା ଉଠାଇ ସେ ନିଜ ଗାଡ଼ିକୁ ସିଏନ୍‌ଜି ଉପଯୋଗୀ କରିଥିବା କହିଛନ୍ତି। ଗାଡ଼ିରେ ଉଭୟ ପେଟ୍ରୋଲ୍‌ ଏବଂ ସିଏନ୍‌ଜି ବ୍ୟବହାର କରିହେବାର ବ୍ୟବସ୍ଥା ରହିଛି। ଯଦି କୌଣସି ସ୍ଥାନରେ ସିଏନ୍‌ଜି ଶେଷ ହୋଇଯିବ ତେବେ ପେଟ୍ରୋଲ୍‌ ବିକଳ୍ପକୁ ବ୍ୟବହାର କରି ଗ୍ରାହକମାନେ ନିଜ ଗାଡ଼ିକୁ ନିକଟସ୍ଥ ସିଏନ୍‌ଜି ଷ୍ଟେସନ୍‌ ପର୍ଯ୍ୟନ୍ତ ନେଇପାରିବେ ବୋଲି ସେ କହିଛନ୍ତି।

ଆସିଲେନି ପ୍ରସନ୍ନ, ପ୍ରିୟଦର୍ଶୀ

ଚନ୍ଦ୍ରଶେଖରପୁର ବିପିସିଏଲ୍‌ ପେଟ୍ରୋଲ୍‌ ପମ୍ପ୍‌ରେ ସିଏନ୍‌ଜି ଷ୍ଟେସନ୍‌ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅତିଥି ଥିବା ବିଜେଡ଼ିର ଦୁଇ ନେତା ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଭୁବନେଶ୍ୱର-ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇନାହାନ୍ତି। ଏହା ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ନେତା ହୋଇଥିବାରୁ ବିଜେଡ଼ିର ଦୁଇ ନେତା ଅତିଥି ଭାବେ ଯୋଗ ନଦେବାକୁ ଉଚିତ ମଣିଥାଇପାରନ୍ତି ବୋଲି କୁହାଯାଉଛି। ବିଜେପି ନେତା ଧର୍ମେନ୍ଦ୍ର ଅତିଥି ଥିବା କାର୍ଯ୍ୟକ୍ରମରେ ବିଜେଡ଼ି ନେବା ଯୋଗ ଦେବାର ଏହା ପ୍ରଥମ ଘଟଣା ନୁହେଁ।

ସମ୍ବନ୍ଧିତ ଖବର