ମୁଦ୍ରା ଲୋନ୍‌ କରାଇଦେବା ନାଁରେ ଠକେଇ

ପୁରୁଣା ଭୁବନେଶ୍ୱର : ମୁଦ୍ରା ଲୋନ୍‌ କରାଇ ଦେବାକୁ କହି ଧଉଳି ଥାନା ଶିଶୁପାଳଗଡ଼ର ବାସନ୍ତୀ ଶ୍ରୀଚନ୍ଦନ ନାମକ ଜଣେ ମହିଳା ଠକେଇ କରିଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ପ୍ରାୟ ୨୦ରୁ ଅଧିକ ମହିଳା ଆଜି ଏ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋର ନଗର ଲେନ୍‌-୨ରେ ରହୁଥିବା ରଜତ କୁମାର ପାତ୍ରଙ୍କ ପତ୍ନୀ ପ୍ରୀତି ରାୟଙ୍କୁ ବାସନ୍ତୀ ୨ଲକ୍ଷ ଟଙ୍କାର ମୁଦ୍ରା ଲୋନ୍‌ କରାଇ ଦେବାକୁ କହିଥିଲେ। ଏ ନେଇ ସେ ପ୍ରୀତିଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ। ସେହିପରି ତାଙ୍କ ଘର ପାଖରେ ରହୁଥିବା ସବିତା ମହାରଣାଙ୍କଠାରୁ ମଧ୍ୟ ସେ ଲୋନ୍‌ କରାଇ ଦେବାକୁ କହି ୫ ହଜାର ଟଙ୍କା ନେଇଥିଲେ। ଏତଦ୍‌ବ୍ୟତୀତ ସ୍ଥାନୀୟ ଅଞ୍ଚଳର ମନୋରମା ପଟ୍ଟନାୟକ, ବନିତା ପଟ୍ଟନାୟକ, ଶଶିକଳା ଭୁୟାଁ, ରୁଣୁବାଳା ସ୍ବାଇଁ, ନର୍ମଦା ପଲେଇ, ସଂଯୁକ୍ତା ଜେନା, ଅବିକାର ସ୍ବାଇଁ, ରଞ୍ଜିତା ସ୍ବାଇଁ, ପୁଷ୍ପାରାଣୀ ପଲେଇ, ରୀନା ଭୁୟାଁ, ଭାଗ୍ୟଲକ୍ଷ୍ମୀ ଭୁୟାଁ, ଗୋଲାପ ମେହେତା, ଟୁନି ଭୁୟାଁ, ଲକ୍ଷ୍ମୀପ୍ରିୟା, ଅନ୍ତର୍ଯ୍ୟାମୀ ଡାକୁଆ ପ୍ରମୁଖ ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଠକେଇର ଶିକାର ହୋଇଥିବା ମହିଳାମାନେ ଆଜି ଶିଶୁପାଳଗଡ଼ସ୍ଥିତ ବାସନ୍ତୀଙ୍କ ଘରକୁ ଯାଇଥିଲେ। ତେବେ ଟଙ୍କା ଫେରାଇବା ବଦଳରେ ସେ ତାଙ୍କ ସହଯୋଗୀଙ୍କ ସହ ମିଶି ଗୁଣ୍ଡା ଲଗାଇ ମାରିଦେବା ଓ ପିଲାମାନଙ୍କୁ ଉଠାଇ ‌ନେବାକୁ ଧମକ ଦେଇଥିଲେ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ୩ମାସ ପୂର୍ବରୁ ଶ୍ରୀଲିଙ୍ଗରାଜ ଥାନା‌ରେ କେତେକ ମହିଳା ଅଭିଯୋଗ କରିଥିଲେ ହେଁ କୌଣସି ମାମଲା ହୋଇ ନଥିଲା ବୋଲି ସେମାନେ କହିଛନ୍ତି। ଫଳରେ ଆଜି ୨୦ରୁ ଅଧିକ ମହିଳା ଥାନା ଘେରାଉ କରିବା ସହ ଠକେଇ ସମ୍ପର୍କରେ ଅଭିଯୋଗ କରିଥିଲେ। ଏନେଇ ବାସନ୍ତୀଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ଥାନା ଅଧିକାରୀ ଜନାର୍ଦନ ପାଢ଼ୀ କହିଛନ୍ତି, ଘଟଣାର ଅନୁସନ୍ଧାନ କରାଯାଇ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର