ଜୀବନ ହାରିଲେ କଲେଜ ଛାତ୍ରୀ, ଦୁଷ୍କର୍ମ ଉଦ୍ୟମରେ ମ୍ରିୟମାଣ

ବାଲୁଗାଁ: ପଡ଼ୋଶୀ ଯୁବକର ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକରେ ମାନସିକ ଭାରସାମ୍ୟ ହରାଇ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ସୁବୁଦ୍ଧି ପାଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଖବର ପାଇ ବାଲୁଗାଁ ପୁଲିସ୍‌ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି। ଅପରପକ୍ଷେ, ଅଭିଯୁକ୍ତକୁ ରକଠୋର ଦଣ୍ଡ ଦାବିରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଶବ ରଖି ଧାରଣା ଦେଇଥିଲେ।

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ଥାନା ଅନ୍ତର୍ଗତ ଓସ୍ତାପଡ଼ା ଗ୍ରାମର ଦୁଃଶାସନ ମହାପାତ୍ର(ଛଦ୍ମନାମ) ଏବଂ ନିକଟ କଇଥରା ଗ୍ରାମର ବାଉରିଆ ଦଳାଇ ପ୍ରାୟ ୧୦ ବର୍ଷ ତଳେ ବାଲୁଗାଁ ନିକଟ ସୁବୁଦ୍ଧି ପାଟଣା ଛକଠାରେ ଘର କରି ପଡ଼ୋଶୀ ଭାବେ ରହି ଆସୁଛନ୍ତି। ଗତ ମାସ ୭ ତାରିଖ ସନ୍ଧ୍ୟାରେ ବାଲୁଗାଁ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷର ଛାତ୍ରୀ ଥିବା ଦୁଃଶାସନଙ୍କ ଝିଅ ପ୍ରବାସିନୀ(ଛଦ୍ମନାମ,୧୮)କୁ ବାଡ଼ିପଟେ ଏକାକୀ ଦେଖି ପଡ଼ୋଶୀ ବାଉରିଆଙ୍କ ପୁଅ ପ୍ରକାଶ (୨୫) ଦୁଷ୍କର୍ମ ଉଦ୍ୟମ କରିଥିଲା। ଏ ନେଇ ପ୍ରବାସିନୀଙ୍କ ପରିବାର ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷେ, ପ୍ରବାସିିନୀଙ୍କ ଭାଇ ଜିତୁନ୍‌ ଅଭିଯୁକ୍ତର ମାଆକୁ ମାରପିଟ୍‌ କରିଥିବା ନେଇ ମଧ୍ୟ ପାଲଟା ଅଭିଯୋଗ ହୋଇଥିଲା। ବାଲୁଗାଁ ପୁଲିସ୍‌ ପୃଥକ୍‌ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରକାଶ ଦଳାଇ ଏବଂ ଜିତୁନ୍‌ଙ୍କୁ କୋର୍ଟ ଚାଲାଣ କରିଥିଲା। ୧୦ ଦିନ ତଳେ ପ୍ରକାଶ ଜେଲ୍‌ରୁ ଫେରିଥିଲା। ପୂର୍ବ ଘଟଣାକୁ ନେଇ କ୍ଷୁବ୍ଧ ଥିବା ପ୍ରକାଶ ପ୍ରତିଶୋଧ ନେବା ଅପେକ୍ଷାରେ ଥିଲା। ଶୁକ୍ରବାର ସନ୍ଧ୍ୟାରେ ପ୍ରବାସିିନୀକୁ ପୁନର୍ବାର ଅସଦାଚରଣ କରିବା ସହ କଥା ପ୍ରଘଟ କଲେ ଜୀବନରେ ମାରିଦେବାକୁ  ଧମକ ମଧ୍ୟ ଦେଇଥିଲା। ଲୋକଲଜ୍ଜା ଏବଂ ହତ୍ୟା ଧମକରେ ଭୟଭୀତ ହେବା ସହ ମାନସିକ ଭାରସାମ୍ୟ ହରାଇ ଶନିବାର ଭୋର୍‌ ବେଳେ ପ୍ରବାସିିନୀ କୀଟନାଶକ ପିଇ ଦେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍‌ରେ ପ୍ରବାସିନୀଙ୍କର ମୃତ୍ୟୁ ଘଟିଥିଲା। ବ୍ରହ୍ମପୁରରେ ଶବ ବ୍ୟବଚ୍ଛେଦ ହୋଇ ସନ୍ଧ୍ୟାରେ ଗ୍ରାମରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବାଲୁଗାଁ ପୁଲିସ୍‌ ସଦଳବଳ ପହଞ୍ଚି ପ୍ରକାଶକୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର