ଏ ରଙ୍ଗ ରହିଲାନି…

୧୦ ଦିନ ପରେ ଲିଭିଗଲାଣି ସାଇକେଲ୍‌ ଟ୍ରାକ୍‌ ରଙ୍ଗ, ଅଧାରେ ରହିଗଲା କାନ୍ଥବାଡ଼ରେ ଚିତ୍ରକଳା

ସଜେଇ ହୋଇଛି ଭୁବନେଶ୍ବର। କାନ୍ଥବାଡ଼ରେ ଲାଗିଛି ରଙ୍ଗ। ସନ୍ଧ୍ୟା ହେଲେ ଆଲୋକମାଳାରେ ଝଲସୁଛି ରାସ୍ତାଘାଟ। ଯୁଆଡ଼େ ଚାହିଁଲେ ସିଆଡ଼େ କେବଳ ରଙ୍ଗିନ ଆଲୋକ। ଲାଗୁଛି ସତେଯେମିତି ସାଧବ ବୋହୂ ବେଶରେ ସଜେଇ ହୋଇଛି ସାରା ସହର। ୧୦ ଦିନ ହେଲା ସହର ସାରା ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଏବେ ତାହା ଧୀରେ ଧୀରେ ଫିକା ପଡ଼ିଲାଣି। ସୌନ୍ଦର୍ଯ୍ୟ ଭରା ଭୁବନେଶ୍ବରକୁ କିଭଳି ଭାବେ ସଜାଯାଇଛି ତାହାର ପ୍ରକୃତ ରୂପ ଏବେ ନଜରକୁ ଆସିଛି। ରାସ୍ତାଘାଟଠାରୁ ପାର୍କ ପର୍ଯ୍ୟନ୍ତ ସବୁଠି ମଳିନ ପଡ଼ିଲାଣି ସୌନ୍ଦର୍ଯ୍ୟ। ଲିଭି ଆସିଲାଣି ରାସ୍ତାରେ ଲାଗିଥିବା ନାଲି ଓ ସବୁଜ ରଙ୍ଗ। ଯାହାକୁ ଦେଖି ସହରବାସୀ ଏବେ କହୁଛନ୍ତି ଏ ରଙ୍ଗ ରହିଲାନି…

ଭୁବନେଶ୍ବର: ହକି ବିଶ୍ବକପ୍‌ ପୂର୍ବରୁ ସହରର ୪୦ କିମି ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟକରଣ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସରିପାରିନି। ସବୁ କିଛି ଅଧା ପନ୍ତରିଆ ହୋଇ ପଡ଼ିରହିଛି। କେଉଁଠି କାଁ ଭାଁ ରଙ୍ଗ ଲଗାଯାଇଛି ତ ଆଉ କେଉଁଠି ଏପର୍ଯ୍ୟନ୍ତ ରଙ୍ଗ ଲାଗିପାରିନି। ହକି ବିଶ୍ବକପ୍‌ ସରିବାକୁ ବସିଥିବା ବେଳେ ୩ଟି ଓଭରବ୍ରିଜ୍‌ ପାର୍ଶ୍ବକୁ ଛାଡ଼ି ଦେଲେ ଆଉ କେଉଁଠି ବି ଚିତ୍ର ଦେଖିବାକୁ ମିଳିଲାନି। ରସୁଲଗଡ଼ ଓଭରବ୍ରିଜ୍‌ର ୮ଟି ଖୁଣ୍ଟରେ ୧୬ଟି ଦେଶର ଅଧିନାୟକଙ୍କ ମୁହଁ ଚିତ୍ର କରାଗଲା। ବାକି ଖୁଣ୍ଟଗୁଡ଼ିକ କଥା କେହି ବି ଚିନ୍ତା କଲେ ନାହିଁ। ସହର ଭିତରେ ଆହୁରି ୩ଟି ଓଭରବ୍ରିଜ୍‌ ରହିଥିଲେ ମଧ୍ୟ ସେଥିରେ ଚିତ୍ର ଅଙ୍କନ ହେବ କି ନାହିଁ କେହି କହୁନାହାନ୍ତି। ଆଉ ୬ ଦିନ ପରେ ବିଶ୍ବକପ୍‌ ସରିବ। ଏପରି ସମୟରେ ମଙ୍ଗଳବାର ରାଜମହଲ ଓଭରବ୍ରିଜ୍‌ ତଳେ ଏଲ୍‌ଇଡି ଲାଇଟ୍‌ ଲଗାଇ ବାହାବା ନେବାକୁ ଅଧିକାରୀମାନେ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷରେ ରାସ୍ତା ପାର୍ଶ୍ବ ଓ ଡିଭାଇଡର୍‌ଗୁଡ଼ିରେ ବୃକ୍ଷରୋପଣ ସହ ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ ପାଇଁ ସ୍ବତନ୍ତ୍ର ରାସ୍ତା ଚିହ୍ନଟ କରିବାକୁ ବିଏମ୍‌ସି ବୈଠକରେ ସ୍ଥିର ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସହରର ୩ଟି ରୁଟ୍‌ (ଗଭର୍ଣ୍ଣର ହାଉସ୍‌ ଛକରୁ କଳିଙ୍ଗ ଷ୍ଟାଡିୟମ-ଜୟଦେବ ବିହାର-କଳିଙ୍ଗ ହସ୍ପିଟାଲ ଛକ- ପଟିଆ- କିଟ୍‌ ଛକ, ବିମାନବନ୍ଦରରୁ ସଚିବାଳୟ ମାର୍ଗ-ଜୟଦେବ ବିହାର- କଳିଙ୍ଗ ହସ୍ପିଟାଲ ଛକ, ୟୁନିଟ ୧ରୁ ରେଳ ଷ୍ଟେସନ୍‌-ବାଣୀବିହାର ପର୍ଯ୍ୟନ୍ତ ଜନପଥ ରାସ୍ତା)ରେ ସାଇକେଲ୍‌ ଚାଲିବାକୁ ଥିବାରୁ ସେଠାରେ ସାଇକେଲ୍‌ ଟ୍ରାକ୍‌ ଚିହ୍ନଟ କରି ନାଲି ରଙ୍ଗ ଲଗାଇକୁ କୁହାଯାଇଥିଲା। ତେବେ ଏହି କାମ କିପରି ତରବରିଆ ଭାବେ କରାଯାଇଛି ତାହା ଏବେ ନଜରକୁ ଆସିଛି। ସାଇକେଲ୍‌ ଟ୍ରାକ୍‌ର ଓସାର କେଉଁଠି ୬ ଫୁଟ୍‌ ତ ଆଉ କେଉଁଠି ୪ ଫୁଟ୍‌ କରାଯାଇଛି। ଆଉ କେଉଁଠି ଗୋଟିଏ ବସ୍‌ ପାର୍କିଂ ‌ହେବା ଭଳି ସାଇକେଲ୍‌ ଟ୍ରାକ୍‌ ହୋଇଛି। ଏପରିକି କେତେକ ସ୍ଥାନରେ ମୁଖ୍ୟରାସ୍ତାରେ ସାଇକେଲ୍‌ ଟ୍ରାକ୍‌ କରାଯାଇଥିବାରୁ ରାସ୍ତାର ଓସାର କମିଯାଇଛି। ପାୱାର ହାଉସ୍‌ ଛକରେ ଦୁଇଟି ସାଇକେଲ୍‌ ଟ୍ରାକ୍‌ କରାଯାଇଥିବାରୁ ସାଇକେଲ୍‌ ଚାଳକ ବି ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ଆଉ କେତେକ ଜାଗାରେ ସାଇକେଲ୍‌ ଟ୍ରାକ୍‌ ଉପରେ ପୁଲିସ ବ୍ୟାରିକେଡ୍‌ ହୋଇଥିବାରୁ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧା ବାଟରେ ତଳକୁ ଓହ୍ଲାଇବାକୁ ପଡ଼ୁଛି। ଯେଉଁ ସଂସ୍ଥାକୁ ସାଇକେଲ୍‌ ଟ୍ରାକ୍‌ରେ ରଙ୍ଗ ମାରିବାକୁ ଦିଆଯାଇଥିଲା ସେ ଠିକ୍‌ ଭାବେ ରଙ୍ଗ ଲଗାଇ ନଥିବା ଅଭିଯୋଗ ମଧ୍ୟ ହୋଇଛି। ଜୟଦେବ ବିହାର ଛକରୁ ଡମଣା ରାସ୍ତାରେ ଚିହ୍ନଟ ହୋଇଥିବା ସାଇକେଲ୍‌ ଟ୍ରାକ୍‌ରୁ ରଙ୍ଗ ଛାଡ଼ିଗଲାଣି। ୮ ଦିନ ତଳେ ଏହି ରାସ୍ତାରେ ରଙ୍ଗ ଲଗାଯାଇଥିବା ବେଳେ ଏବେ ଆଉ ପୂର୍ବ ସ୍ଥିତି ଦେଖିବାକୁ ମିଳୁନି। ଏହି ରାସ୍ତାରେ ନିମ୍ନମାନର ରଙ୍ଗ ଲଗାଯାଇଥିବା ଲୋକେ କହିଛନ୍ତି। ନାଲି ରଙ୍ଗ ଲିଭିଯାଇଥିବାରୁ ଲୋକେ ତାହାକୁ ଫୁଟପାଥ୍‌ ଭାବେ ବ୍ୟବହାର କରୁଛନ୍ତି। ବିମାନବନ୍ଦର ଛକରୁ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ହୋଇଥିବା ସାଇକେଲ୍‌ ଟ୍ରାକ୍‌ରେ ପୂର୍ବଭଳି ରଙ୍ଗ ରହିଥିବା ଦେଖିବାକୁ ମିଳୁନି।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ବସ୍ ରହଣି ସ୍ଥଳ

ସ୍ମାର୍ଟ ସିଟି ଭୁବନେଶ୍ୱରର ସାର୍ବଜନୀନ ଯାତାୟାତ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରଦ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି। ଦୁଇ ମାସ ତଳେ ପୁରୁଣା ବସ୍ ରହଣି ସ୍ଥାନଗୁଡ଼ିକୁ ଭଙ୍ଗାଯାଇ ନୂଆ ଓ ଆଧୁନିକ ଢାଞ୍ଚାରେ ବସ୍‌ଷ୍ଟପ୍‌ ନିର୍ମାଣ କରାଯାଯାଇଛି। ଏହି ବସ୍ ରହଣି ସ୍ଥଳଗୁଡ଼ିକରେ ବିଭିନ୍ନ ପ୍ରକାର ସୂଚନାଫଳକ ସହିତ ବସ୍‌ର ସମୟ ନିର୍ଘଣ୍ଟ, ମୋବାଇଲ୍‌ ଫୋନ୍‌ ଚାର୍ଜ ସୁବିଧା ଓ ଅନ୍ୟାନ୍ୟ ସେବା ଉପଲବ୍ଧ ରହିବ ବୋଲି କୁହାଯାଇଥିଲା। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ବୋର୍ଡ ବୈଠକରେ ୨୧.୨୦ କୋଟି ଟଙ୍କା ଏହି ସବୁ କାମ ପାଇଁ ମଞ୍ଜୁର କରାଯାଇଥିଲା। ବିଶ୍ବକପ୍‌ ହକି ପୂର୍ବରୁ ସହରର ୨୦୦ ସ୍ଥାନରେ ଏହି ଅତ୍ୟାଧୁନିକ ବସ୍ ରହଣି ସ୍ଥଳ କରାଯିବାକୁ ଯୋଜନା ହୋଇଥିଲେ ମଧ୍ୟ ତାହା ହୋଇପାରିନି। ଏବେ ସୁଦ୍ଧା ପ୍ରାୟ ୩୦ଟି ରହଣି ସ୍ଥଳର କାମ ଶେଷ ହୋଇଛି। ହେଲେ କୌଣସି ଗୋଟିଏ ବି ରହଣି ସ୍ଥଳରେ ଏପର୍ଯ୍ୟନ୍ତ ‘ମୋ ବସ୍‌’ର ଯାତାୟାତ ସମୟ ସମ୍ପର୍କରେ ପଦୁଟିଏ ବି ଲେଖାଯାଇନି। ଏପରିକି ଖେଳାଳି ତଥା ବିଦେଶୀ ପର୍ଯ୍ୟଟକ ଯାତାୟାତ କରୁଥିବା ଜୟଦେବ ବିହାରରୁ କିଟ୍‌ ରାସ୍ତାପାର୍ଶ୍ବରେ ଅଧାପାନ୍ତରିଆ ଭାବେ ବସ୍‌ ରହଣି ସ୍ଥଳ ପଡ଼ି ରହିଥିବା ଦେଖାଯାଇଛି।

ଫୁଟପାଥ୍‌ରେ ପାଚେରି

‌କେବଳ ସାଇକେଲ୍‌ ଟ୍ରାକ୍‌ ନୁହେଁ, ଫୁଟପାଥ୍‌ ଚିହ୍ନଟରେ ବି ସମାନ ଅବସ୍ଥା। କେଉଁଠି ଦୁଇ ଫୁଟ ରାସ୍ତାରେ ଫୁଟପାଥ୍‌ ତ ଆଉ କେଉଁଠି ଫୁଟପାଥ୍‌ର ଓସାର ୫ ଫୁଟ୍‌। ରାଜଭବନ ଛକରୁ ପାୱାର ହାଉସ୍‌ ଛକ ଆଡ଼କୁ ଆସିବା ରାସ୍ତାରେ ‌ଜଣେ ବ୍ୟକ୍ତିଙ୍କ ଘର ସମ୍ମୁଖରେ ପାଚେରିକୁ ଲାଗି ରଙ୍ଗ ଲଗାଯାଇଛି। ଯେଉଁମାନେ ରଙ୍ଗ ଲଗାଇଛନ୍ତି ସେମାନଙ୍କର ସମାନ୍ୟ ଜ୍ଞାନ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର