କିମିଆ କରୁଛି ସ୍କେଟିଂ

ପାଦରେ ଚକ ଲାଗି ଯାଆନ୍ତା କି, ଘୂରି ବୁଲନ୍ତି ସାରା ଦୂନିଆ। ପବନର ତୀବ୍ରତାକୁ ଅନୁଭବ କରନ୍ତି ଓ ତା’ ସହ କଥା ହୁଅନ୍ତି। ଜୀବନକୁ ମନ ଭରି ଉପଭୋଗ କରନ୍ତି। ବେଳେବେଳେ ମଣିଷ ମନରେ ଉଙ୍କି ମାରୁଥିବା ଏଭଳି ଅବାସ୍ତବ ପରିକଳ୍ପନା ଆଜିର ଏଇ ଆଧୁନିକ ଯୁଗରେ ବାସ୍ତବ ରୂପ ନେଇଛି। ରାଜଧାନୀର ପିଲାଙ୍କୁ ‘ସ୍କେଟିଂ’ ଆଣି ଦେଇଛି ଏମିତି ଏକ ନିଆରା ସୁଯୋଗ। ସ୍କେଟିଂ ଏମିତି କିମିଆ କରିଛି ଯେ କୁନି କୁନି ପିଲାମାନେ ପାଦରେ ଚକ ଲଗାଇ ଖୁବ୍‌ ମଜା ଲୁଟୁଛନ୍ତି। କିଛି ବର୍ଷ ତଳେ ଆଦୌ ପରିଚିତ ନ ଥିବା ଏହି ଖେଳ ଏବେ ଭୁବନେଶ୍ୱରବାସୀଙ୍କ ଜୀବନଶୈଳୀରେ ଧସେଇ ପସିଆସିଛି। କଳିଙ୍ଗ ଷ୍ଟାଡିୟମ୍‌ ଓ ଚନ୍ଦ୍ରଶେଖରପୁର ବୁଦ୍ଧ ପାର୍କରେ ଥିବା ସ୍କେଟିଂ ଟ୍ରାକ୍‌ ରାଜଧାନୀବାସୀଙ୍କ ଏହି ଚାହିଦାକୁ କିଛି ମାତ୍ରାରେ ଏବେ ପୂରଣ କରୁଛି। ରାଜଧାନୀର ଏହି ସ୍କେଟିଂ କ୍ରେଜ୍‌କୁ ନେଇ ସସ୍ମିତା ସାହୁଙ୍କ ସ୍ୱତନ୍ତ୍ର ରିପୋର୍ଟ। ଫଟେ: ମଧୁ

ଓଡ଼ିଶାରେ ରୋଲର୍‌ ସ୍କେଟିଂ

ସ୍କେଟିଂ ହେଉଛି ଏକ ମଜାଦାର ଖେଳ। ଯାହା ଦେଖିବାକୁ ଅତ୍ୟନ୍ତ ଚମତ୍କାର ଓ ଆକର୍ଷଣୀୟ। ଗୋଡ଼ରେ ଚକ ଲଗା ଜୋତା ପିନ୍ଧି ଖେଳାଳିମାନେ ଦୌଡ଼ି ଥାଆନ୍ତି। ପାଣପାଗ ଅନୁଯାୟୀ, ସ୍କେଟିଂ ଦୁଇ ପ୍ରକାର ଥାଏ। ପିଚୁ ଓ କଂକ୍ରିଟ କିମ୍ବା ସାଧାରଣ ରାସ୍ତାରେ ‘ରୋଲର୍‌ ସ୍କେଟିଂ’ କରାଯାଉଥିବା ବେଳେ ବରଫ ଉପରେ ‘ଆଇସ୍‌ ସ୍କେଟିଂ’ କରାଯାଇଥାଏ। ଓଡ଼ିଶାର ଜଳବାୟୁ ସାଧାରଣ ହୋଇଥିବାରୁ ଏଠାରେ ରୋଲର୍‌ ସ୍କେଟିଂ ହିଁ କରାଯାଇଥାଏ।

ମନ ଓ ଆଖିର ସମନ୍ଵୟ ଜରୁରୀ: ଅରିନ୍ଦମ

ଯେତେବେଳେ ମୁଁ ନୂଆ ନୂଆ ସ୍କେଟିଂ ଶିଖୁଥାଏ ଶରୀର ଭାରସାମ୍ୟ ରକ୍ଷାରେ ବହୁ ଅସୁବିଧା ହୁଏ। ଏମିତି ଦିନେ ଭାରସାମ୍ୟ ହରାଇ ମୁଁ ପଡ଼ିଯାଇଥିଲି। ହାତ, ଗୋଡ଼ ଓ ଆଣ୍ଠୁ ଛିଣ୍ଡିଯାଇଥିଲା। ପ୍ରାୟ ୧ ସପ୍ତାହ ସେଥିପାଇଁ ମୋତେ ବିଶ୍ରାମ ନେବାକୁ ପଡ଼ିଥିଲା। ପରେ ପାପା-ମମି ସ୍କେଟିଂ କରିବାକୁ ମନା କରିଥିଲେ। ବହୁ ବୁଝାଇବା ପରେ ମୁଁ ତାଙ୍କୁ ରାଜି କରାଇପାରିଲି। ଏହା ପରେ ମୁଁ ସତର୍କ ହୋଇ ଖେଳିଲି। ଆଜି ମୁଁ ଗୋଆର ରୋଲ୍‌ ବଲ୍‌ ସ୍କେଟିଂ ଓ ଡିଏଭି ନ୍ୟାସ୍‌ନାଲ୍‌ ଭଳି ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରପାରିଛି। ଏଭଳି ନିଜ ଅନୁଭୂତି କହିଛନ୍ତି ଅରିନ୍ଦମ ସାମଲ। ଗତ ୨ ବର୍ଷ ହେଲା ସେ ଏହି ତାଲିମ ନେଉଛନ୍ତି। ସେ କୁହନ୍ତି, ସ୍କେଟିଂ କରୁଥିବା ସମୟରେ ମେରୁଦଣ୍ଡ ସିଧା ରଖିବା ସହ ଶରୀରର ଭାରସାମ୍ୟ ରକ୍ଷା କରିବା ଉଚିତ। ଏଥିପାଇଁ ମନ ଓ ଆଖିର ସମନ୍ଵୟ ଜରୁରୀ।

ଏକାଗ୍ରତା ବୃଦ୍ଧି କରେ ଓ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ

ସ୍କେଟିଂ କେବଳ ଏକ ଦୁଃସାହାସିକ ଖେଳ ନୁହେଁ, ଏହା ଏକ ଉତ୍ତମ ବ୍ୟାୟାମ ହୋଇଥିବାରୁ ଦେଶ ବିଦେଶରେ ଏହା ବହୁମାତ୍ରରେ ଆଦୃତ ହୋଇପାରିଛି। ସ୍କେଟିଂ ମନର ଏକାଗ୍ରତା ବୃଦ୍ଧି କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିିଥାଏ। ଶରୀରର ମାଂସପେଶୀକୁ ସୁସ୍ଥ ରଖିବା ସହ ଗୋଡ଼ର ଶକ୍ତିି ବଢ଼ାଏ ଓ ଓଜନ ହ୍ରାସରେ ସାହାଯ୍ୟ କରେ ବୋଲି କହିଛନ୍ତି ‘ଓଡ଼ିଶା ସ୍କେଟିଂ ରୋଲର୍‌ ସ୍କେଟିଂ ଆସୋସିଏସନ୍‌’ର ପ୍ରତିଷ୍ଠାତା ପାର୍ଥସାରଥୀ ଜେନା।

ନିରାପତ୍ତା ପାଇଁ ‘ହେଲ୍‌ମେଟ୍‌’, ‘ନି ଗାର୍ଡ’, ‘ଏଲ୍‌ବୋ ଗାର୍ଡ’

ସ୍କେଟିଂରେ ପାଦରେ ଚକା ଲାଗୁଥିବାରୁ ପଡ଼ିବାର ଆଶଙ୍କା ଅଧିକ ଥାଏ। ତେଣୁ ନିରାପତ୍ତା ପାଇଁ ସ୍କେଟିଂ କରିବା ସମୟରେ ମୁଣ୍ଡରେ ‘ହେଲ୍‌ମେଟ୍‌’, ପାଦରେ ‘ସ୍କେଟିଂ ସୁ’, ‘ନି ଗାର୍ଡ’, ହାତରେ ‘ଏଲ୍‌ବୋ ଗାର୍ଡ’ ଓ ‘ଗ୍ଲୋବ୍‌ସ୍‌’ ଆଦି ପିନ୍ଧିବାକୁ ପଡ଼ିଥାଏ। ଏସବୁ ସାମଗ୍ରୀ ଅତି କମ୍‌ରେ ୩ ହଜାର ଟଙ୍କାରେ ବଜାରରେ ଉପଲବ୍ଧ। ସ୍କେଟିଂ ସୁ ସାଧାରଣତଃ ୨ ପ୍ରକାରର। ୪ ଚକ ଥିବା ‘କ୍ୱାଡ୍‌ ସ୍କେଟ୍‌’ ଓ ଗୋଟିଏ ଧାଡ଼ିରେ ୪ଟି ଚକା ଲାଗିଥିବା ‘ଇନ୍‌ ଲାଇନ୍‌’ ସ୍କେଟ୍‌ ।

ସମ୍ବନ୍ଧିତ ଖବର