ବାପା ବନ୍ଦେ ମାତରମ୍‌ : ପୁଅ ତ୍ରିରଙ୍ଗା, ଝିଅ ଇଣ୍ଡିଆନ୍‌

କିଏ ପରିବା ବିକୁଛି, ତ ଆଉ କିଏ ଅଟୋ ଚାଳକ । କିନ୍ତୁ ସେମାନଙ୍କ ମଧ୍ୟରେ ଭରି ରହିଛି ଦେଶପ୍ରେମର ଭାବନା । ଏଥିନେଇ ସେ ଲୋକଙ୍କୁ ସଚେତନ କରିବା ସହ ପ୍ରତି ବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ନିଜକୁ ତ୍ରିରଙ୍ଗା ବେଶରେ ସଜାଇ ପିଏମ୍‌ଜିରେ ନାଚଗୀତ ମାଧ୍ୟମରେ ଲୋକଙ୍କମନରେ ଦେଶପ୍ରେମର ବୀଜ ବୁଣିଥା’ନ୍ତି।

ଏନେଇ ମଧ୍ୟ ‘ବନ୍ଦେ ମାତରମ୍‌’ ନାମରେ ଏକ ନିଆରା ଅନୁଷ୍ଠାନ ଗଠନ କରିଛନ୍ତି। କେବଳ ଏତିକି ନୁହେଁ ଦେଶପ୍ରେମର ବାର୍ତା ପ୍ରଚାର କରିବା ପାଇଁ ନିଜ ନାମ ସହ ପିଲାଙ୍କ ନାମକରଣ ମଧ୍ୟ ନିଆରା ଢଙ୍ଗରେ କରିଛନ୍ତି।

ଅନୁଷ୍ଠାନର ମୁଖ୍ୟ ବନ୍ଦେ ମାତରମ୍‌ ପ୍ରହ୍ଲାଦ ନାୟକ କହିଛନ୍ତି, ମୋ ଦେଶ ହେଲା ମୋ ଜୀବନ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସକୁ ପ୍ରତ୍ୟେକ ଲୋକ ଯେପରି ପାଳନ କରିବେ ଆମେ ସେଥିନେଇ ବାର୍ତା ଦେଇଥାଉ। ଅନେକ ସମୟରେ ଲୋକ ଏହି ଦୁଇ ଦିବସକୁ ଏକ ଛୁଟି ଦିନ ଭାବେ ଗ୍ରହଣ କରିଥା’ନ୍ତି। ଫିଲ୍ମ ଦେଖିବା,ଲଙ୍ଗ୍‌ ଡ୍ରାଇଭ୍‌ ଆଦି କରି ସମୟ କାଟି ଥା’ନ୍ତି। କିନ୍ତୁ ଏପରି କରିବା ଉଚିତ ନୁହେଁ। ପ୍ରତ୍ୟେକ ଲୋକ ନିଜ ଘରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରିବା ସହ ଏହି ଉତ୍ସବରେ ସାମିଲ ହେବା ଦରକାର। ଜଣଙ୍କ ମଧ୍ୟରେ ଦେଶପ୍ରେମ ନଥିଲେ ସେ ପୂର୍ଣ୍ଣ ନାଗରିକ ହୋଇ ପାରିବନି। ଏପରିକି ଟ୍ରାଫିକ ନିୟମ ମାନିବା, ଧାଡ଼ିରେ ଛିଡ଼ା ହେବା ଭଳି କାର୍ଯ୍ୟ ମଧ୍ୟ କରିବ ନାହିଁ। ତାଙ୍କ ପିତୃଦତ୍ତ ନାମ ପ୍ରହ୍ଲାଦ ଥିବା ବେଳେ ବିଗତ କିଛ ହେବ ସେ ନିଜର ନାମ ଆଫିଡେଫିଟ୍‌ କରି ପ୍ରହ୍ଲାଦ ପୂର୍ବରୁ ବନ୍ଦେ ମାତରମ୍‌ ଲଗାଇଛନ୍ତି। ନିଜ ପୁଅର ନାମ ମଧ୍ୟ ତ୍ରିରଙ୍ଗା ପ୍ରିୟଦର୍ଶନ(୯) ରଖିଛନ୍ତି।

ବାଲେଶ୍ୱର ଜିଲ୍ଲାର ଖରିଦା ଗ୍ରାମରେ ଜନ୍ମଗ୍ରହଣ କରିଥିବା ପ୍ରହ୍ଲାଦ ରାଜଧାନୀର କଳ୍ପନା ନିକଟ ମେଡିକାଲ ବସ୍ତିରେ ବାସ କରନ୍ତି। କନ୍ୟା ଭ୍ରୁଣ ହତ୍ୟା ବନ୍ଦ କରିବା, ରକ୍ତଦାନ, ବୃକ୍ଷରୋପଣ ପରି କାର୍ଯ୍ୟ କରିବାକୁ ମଧ୍ୟ ପ୍ରହ୍ଲାଦ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥା’ନ୍ତି।

ଅନୁଷ୍ଠାନର ଅନ୍ୟତମ ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ୯ ନମ୍ବର ମାର୍କେଟ୍‌ରେ ପରିବା ବ୍ୟବସାୟ କରନ୍ତି। ପୂର୍ଣ୍ଣଚନ୍ଦ୍ର କହନ୍ତି, ତ୍ରିରଙ୍ଗା ପତାକା ରଙ୍ଗରେ ନିଜକୁ ସଜେଇ ଲୋକଙ୍କୁ ସଚେତନ କରିବାର ଅନୁଭବ ନିଆରା। ଜୀବନର ଶେଷ ପର୍ଯ୍ୟନ୍ତ ଏପରି କରିବି। ପୂର୍ଣ୍ଣଚନ୍ଦ୍ର ଏଥିନେଇ ନିଜ ଝିଅର ନାମ ଇଣ୍ଡିଆନ୍‌ ସାହୁ(୪) ରଖିଛନ୍ତି। ଦୁଇବନ୍ଧୁ କହିଛନ୍ତି ଆମେ ଏବଂ ଆମର ପରବର୍ତ୍ତୀ ପିଢ଼ିଙ୍କ ନାମ ମଧ୍ୟ ଏପରି ଢଙ୍ଗରେ ନାମିତ କରିବୁ। ଅନୁଷ୍ଠାନର ସମୁଦାୟ ୩୫ ଜଣ ସଦସ୍ୟ ରହିଛନ୍ତି। କିଏ ଦହିବରା ବିକୁଛି ତ ଆଉ କିଏ କୋଠା କାମ କରୁଛି। ସମସ୍ତେ ଦିନ ମଜୁରିଆ ଶ୍ରେଣୀର। କିନ୍ତୁ ଏମାନଙ୍କ କାର୍ଯ୍ୟକୁ ଯେ କେହି ବି ଦେଖିବ ସଲାମ ନ କରି ରହିପାରିବନି।

ସମ୍ବନ୍ଧିତ ଖବର