ଗମ୍ଭୀର ହେଉଛି ଡେଙ୍ଗୁ: ରାଜଧାନୀରେ ଫେରୁଛି ୨୦୧୩ ସ୍ଥିତି !

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ୨୦୧୩ ମସିହାରେ ଯେଉଁଭଳି ଭାବେ ରାଜଧାନୀରେ ଡେଙ୍ଗୁ ଲୋକଙ୍କୁ ଡହଳ ବିକଳ କରିଥିଲା ଚଳିତବର୍ଷ ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଚଳିତବର୍ଷ ସେପ୍ଟେମ୍ବର ମାସ ପୂର୍ବରୁ ରାଜଧାନୀରେ ଡେଙ୍ଗୁ ରେକର୍ଡ ସୃଷ୍ଟି କରିଛି। ଆଗକୁ ଏହି ସ୍ଥିତି ଆହୁରି ବିଗିଡ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ବିଗତ ୫ବର୍ଷ ମଧ୍ୟରେ ୨୦୧୩ ମସିହାରେ ରାଜଧାନୀରେ ସର୍ବାଧିକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯଦିଓ ପରବର୍ତୀ ବର୍ଷଗୁଡ଼ିକରେ ଏହି ସ୍ଥିତିରେ ସୁଧାର ଆସିଥିଲା, ମାତ୍ର ଚଳିତବର୍ଷ ପୁଣିଥରେ ଡେଙ୍ଗୁ ଡରାଇବାକୁ ଆରମ୍ଭ କରିଛି। ଖୋର୍ଧା ଜିଲ୍ଲାରେ ଯେତିକି ସଂଖ୍ୟକ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ତାଠାରୁ ବହୁଗୁଣ ଅଧିକ ଆକ୍ରାନ୍ତ କେବଳ ରାଜଧାନୀରେ ଚିହ୍ନଟ ହୋଇଛନ୍ତି।

୨୦୧୩ରେ ରାଜଧାନୀ ଥିଲା ଡେଙ୍ଗୁ କବଳରେ :
ଏହିବର୍ଷ ଖୋର୍ଧା ଜିଲ୍ଲାରେ ୧୩୪୯ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତହିଁରୁ ୧୧୩୧ଜଣଙ୍କୁ କେବଳ ରାଜଧାନୀରେ ଚିହ୍ନଟ କରାଯାଇଥିଲା। ବଳକା ୨୧୮ଜଣ ଖୋର୍ଧାର ଅନ୍ୟାନ୍ୟ ସ୍ଥାନରୁ ଚିହ୍ନଟ ହୋଇଥିଲେ। ୨୦୧୪ ମସିହାରେ ଏହି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲା। ସେହିବର୍ଷ ସମୁଦାୟ ୧୩୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀରେ ୯୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ୨୦୧୫ ମସିହାରେ ୧୬୧ଜଣଙ୍କୁ ମଧ୍ୟରୁ ରାଜଧାନୀରେ ୧୨୪, ୨୦୧୬ ମସିହାରେ ୪୪୦ଜଣଙ୍କ ମଧ୍ୟରୁ ରାଜଧାନୀରେ ୩୨୭, ୨୦୧୭ରେ ୩୦୮ଜଣଙ୍କ ମଧ୍ୟରୁ ୨୬୬ ରାଜଧାନୀର ଆକ୍ରାନ୍ତ ରହିଥିଲେ। ତେବେ ଚଳିତବର୍ଷ ପୁଣିଥରେ ରାଜଧାନୀରେ ଡେଙ୍ଗୁ ସ୍ଥିତି ଗମ୍ଭୀର ହୋଇଛି।

ଫେରୁଛି ପୁରୁଣା ସ୍ଥିତି :
ଚଳିତବର୍ଷ ପୁଣିଥରେ ରାଜଧାନୀରେ ଡେଙ୍ଗୁ ଡରାଇବାକୁ ଆରମ୍ଭ କରିଛି। ଏ ବର୍ଷ ଖୋର୍ଧା ଜିଲ୍ଲାରେ ୬୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ତହିଁରୁ ୬୫୨ ହେଉଛନ୍ତି ରାଜଧାନୀର। ବିଡିଏ ଓ ଚନ୍ଦ୍ରଶେଖରପୁରରେ ୩୦୯, ନୂଆପଲ୍ଲୀ ଓ ଆଇଆରସି ଭିଲେଜରେ ୨୭୯ ଓ ଅନ୍ୟାନ୍ୟ ଅଞ୍ଚଳରେ ଅଳ୍ପ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାର, ନୀଳଦ୍ରି ବିହାର, ମଞ୍ଚେଶ୍ୱର, ବଡ଼ଗଡ଼ ବ୍ରିଟ କଲୋନି ଭଳି କେତେକ ଅଞ୍ଚଳରେ ମଧ୍ୟ ଡେଙ୍ଗୁ ଦେଖାଦେଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି, ହେଲେ ଡେଙ୍ଗୁ ଏ ପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରି ନାହିଁ।

ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀ, ଅଧିକାରୀ ଓ ଏନ୍‌ଜିଓ :
ଡେଙ୍ଗୁ ନିୟନ୍ତ୍ରଣ ପାଇଁ ରାଜଧାନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ରାଜ୍ୟ ଓ ସିଏଚ୍‌ସରେ ଏକ କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରୁଛି। ଏହାସହ ୨୦ଜଣ ସ୍ୱେଚ୍ଛାସେବୀ ଖୋର୍ଧା ସିଡିଏମ୍‌ଓଙ୍କ ପକ୍ଷରୁ ନିଯୁକ୍ତ କରାଯାଇଛି। ଏହାକୁ ଆହୁରି ବୃଦ୍ଧି ପାଇଁ ଯୋଜନା ରହିଛି। ଏହାସହ ଜଣେ ସାନିଟାରି ଇନ୍‌ସପେକ୍ଟର, ୩ ଫାଇଲେରିଆ ଇନ୍‌ସପେକ୍ଟର, ଆଣ୍ଟି ଲାର୍ଭାଲ ପାଇଁ ୭ଜଣିଆ ସ୍କାଡ୍‌, ଆଶା କର୍ମୀ କାମ କରୁଛନ୍ତି। ଏନ୍‌ଭିବିଡିସିପି, ଆରଏମ୍‌ଆରସି, ଆରଓଏଚ୍‌ଏଫଡବ୍ଲ୍ୟୁ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି। ଏକ ଏନ୍‌ଜିଓ ମଧ୍ୟ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରୁଛନ୍ତି।

୬୯୭୪ ଅଣ୍ଡାଦାନ କ୍ଷେତ୍ର ଚିହ୍ନଟ/ନଷ୍ଟ :
ରାଜଧାନୀରେ ଚଳିତବର୍ଷ ଡେଙ୍ଗୁ ଚିରାଚରିତ ସମୟର ଯଥେଷ୍ଟ ପୂର୍ବରୁ ନିଜର କାୟା ବିସ୍ତା କରିଛି। ଗତ ୩ମାସ ହେବ ରାଜଧାନୀରେ ଡେଙ୍ଗୁ ବଢ଼ିବାରେ ଲାଗିଛି। ଡେଙ୍ଗୁ ବ୍ୟାପୁଥିବା ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡିସ ମଶାର ଉତ୍ସକୁ ଚିହ୍ନଟ କରିବା ସହିତ ନଷ୍ଟ କରିବା ଅଭିଯାନ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୨ହଜାର ୧୮୫ ଘରେ ଉତ୍ସ ଚିହ୍ନଟ କାର୍ଯ୍ୟକ୍ରମ କରାଯାଇଛି। ତହିଁରୁ ୬୯୭୪ ସ୍ଥାନରେ ମଶାର ଅଣ୍ଡାଦାନ କ୍ଷେତ୍ର ଚିହ୍ନଟ ହୋଇଥିବା ବେଳେ ଏହାକୁ ନଷ୍ଟ କରାଯାଇଛି। ବିଶେଷକରି ନଡ଼ିଆ ଖୋଳାପା, ଟାୟାର, ଫୁଲ କୁଣ୍ଡ ଓ ନିତ୍ୟ ବ୍ୟବହୃତ ସ୍ଥାନରେ ଡେଙ୍ଗୁ ମଶାର ଉତ୍ସ ଚିହ୍ନଟ ହୋଇଛି। କିଛି କବାଡ଼ିବାଲାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ନୋଟିସ୍‌ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି।

୧୩୨ ଜ୍ୱର ଆକ୍ରାନ୍ତ, ୫୬ ଡେଙ୍ଗୁ ପଜିଟିଭ୍‌ ଓ ସଚେତନତା :
ରାଜଧାନୀର ଯେଉଁ ଅଞ୍ଚଳରେ ଡେଙ୍ଗୁ ଅଞ୍ଚଳରେ ଡେଙ୍ଗୁ ଚିହ୍ନଟ ହେଉଛି, ସେସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରାଯାଇଛି। ଏପରିକି ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଯେଉଁ ବ୍ୟକ୍ତିମାନେ ଜ୍ୱରରେ ପୀଡ଼ିତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସହିତ ରକ୍ତ ପରୀକ୍ଷା ପାଇଁ ନିଆଯାଇଛି। ୧୨ହଜାର ୧୮୫ଟି ଘର ପରିଦର୍ଶନ ହୋଇଥିବା ବେଳେ ୧୮ହଜାର ୩୪୩ଲୋକଙ୍କୁ ଏଥିପାଇଁ କାଉନସେଲିଂ କରାଯାଇଛି। ୧୩୨ଜଣ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୫୬ଜଣ ଡେଙ୍ଗୁ ରୋଗୀ ବୋଲି ଜଣାପଡ଼ିଛି। ସଚେତନତା ପାଇଁ ୯ହଜାରରୁ ଅଧିକ ଲିଫଲେଟ୍‌, ୧୭ଟି ର‍୍ୟାଲି, ୬ଟି ସ୍କୁଲରେ ସଚେତନତା, ଡେଙ୍ଗୁ ସଚେତନତା ରଥ, ୯୦ପ୍ୟାକେଟ ଓଆରଏସ୍‌, ୬୩୪ ହାଲୋଜେନ ବଟିକା ବିଭିନ୍ନ ଅଞ୍ଚଳରେ ବଣ୍ଟନ କରାଯାଇଛି।

ସମ୍ବନ୍ଧିତ ଖବର