Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଡଙ୍ଗା ଭସା ଆସିଲେ ଖୋଜା ପଡ଼ନ୍ତି ବିଜୟ

0 151

ଭୁବନେଶ୍ୱର: ବେଉସା ରାଜମିସ୍ତ୍ରୀ। କିନ୍ତୁ ଦକ୍ଷତା କୌଣସି ନିଖୁଣ କାରିଗରଠୁ ବି କମ୍‌ ନୁହେଁ। ପାଞ୍ଚ ତାଲା ବିଲ୍‌ଡିଂ ହେଉ କି ଥାକିଥାକି ମନ୍ଦିର। ମାଛ ହେଉ କି ହଂସ ହଂସରାଳି। ସୋଲରେ ତାଙ୍କ ହାତ ତିଆରି ଅବିକଳ କାରିଗରୀ ଦେଖିଲେ ଅନ୍ତରରୁ ଆପଣା ଛାଏଁ ବାହାରି ଆସେ ଓ୍ଵାଃ…। ଏମିତି ଜଣେ ଅନାଲୋଚିତ କାରିଗର ହେଉଛନ୍ତି କେଦାରଗୌରୀ ନଳାମୁହଁ ସାହିର ବିଜୟ ବେହେରା। କାରିଗରୀରେ କରିସ୍ମା ଭରିବାରେ ଧୂରନ୍ଦର ବିଜୟ କିନ୍ତୁ ଡଙ୍ଗା ଭସା ବେଳ ଆସିଲେ ବେଶି ଖୋଜା ପଡ଼ନ୍ତି।

ତାଙ୍କ ହାତ ତିଆରି ଡଙ୍ଗାରେ ବିସ୍ମୟକର କାରିଗରୀ ହିଁ ମୁଖ୍ୟ ବିଶେଷତ୍ୱ। କାର୍ତିକ ଆରମ୍ଭର କିଛି ଦିନ ପୂର୍ବରୁ ଆରମ୍ଭ ହୋଇଯାଏ ତାଙ୍କର ପ୍ରସ୍ତୁତି। ଯେବେଠୁ କଦଳୀ ପାଟୁକା ଡଙ୍ଗାର ସ୍ଥାନ ଥର୍ମୋକୋଲ୍‌ ଡଙ୍ଗା ନେଇଛି ସେବେଠୁ ବିଜୟଙ୍କ ଚାହିଦା ବେଶ୍‌ ବଢ଼ିଯାଇଛି। ଥର୍ମକୋଲ୍‌କୁ ହଂସ ଆକୃତିର କାଟି ଆଲ୍‌ପିନ୍‌ ଓ ଅଠା ଦେଇ ସେ ପ୍ରସ୍ତୁତ କରୁଥିବା ଜିଙ୍କ୍‌ ଦିଆ ଡଙ୍ଗାରେ ଥାଏ ଅନେକ ଆଦର। ତେବେ ତାଙ୍କର ସବୁଠୁ ଆକର୍ଷଣୀୟ ଡଙ୍ଗା ଭିତରେ ହଂସ ହିଁ ମୁଖ୍ୟ। ସେ ହଂସକୁ ଥର୍ମୋକୋଲ୍‌ରେ ଏମିତି ଉତାରନ୍ତି ଯେ, ଜଣେ ପାଣିରେ ଡଙ୍ଗା ଛାଡ଼ିଲେ ହଂସ ଭାସିବାର ଭ୍ରମ ସୃଷ୍ଟି ହେବ। ଖାଲି ସେତିକି ନୁହେଁ ଲୋକ ଯେଉଁ ରକମର ବରାଦ କରନ୍ତି ସେ ଏକଦମ ସେଇ ରକମର ଡଙ୍ଗା ଭେଟି ଦିଅନ୍ତି।

ଖାଲି ଡଙ୍ଗା ନୁହେଁ ଯଦି କୌଣସି ପିଲାଙ୍କର ବୋଇତ ସମ୍ପର୍କୀୟ ପ୍ରୋଜେକ୍ଟ ଛାତ୍ରଛାତ୍ରୀଙ୍କର ଆବଶ୍ୟକ ପଡ଼େ ତେବେ ବି ଖୋଜା ପଡ଼ନ୍ତି ବିଜୟ। ବରାଦ ମୁତାବକ ତାଙ୍କ ହାତ ତିଆରି ମନ୍ଦିର ଆକୃତିର ଯୋଡ଼ି ହଂସ କୌଣସି କାରିଗରଠୁ କମ୍‌ ନୁହେଁ। ମାତ୍ର ଏଥିପାଇଁ ତାଙ୍କୁ ଠିକ୍‌ ମୂଲ ମିଳେନାହିଁ। ବିଜୟଙ୍କ କହିବା ମୁତାବକ, ସେ ରାଜମିସ୍ତ୍ରୀ ମଜୁରି ଖଟିଲେ ଦିନକୁ ୬୦୦ ଟଙ୍କା ରୋଜଗାର କରନ୍ତି। ମାତ୍ର ଗୋଟେ ପ୍ରୋଜେକ୍ଟ ଭଲ କରି ତିଆରିବା ପାଇଁ ଅନ୍ୟୁନ ୩ ଦିନ ସମୟ ଲାଗିଯାଏ। କିନ୍ତୁ ସେଥିରେ ବି ବରାଦ ଦେଉଥିବା ଲୋକ ମୂଲଚାଲ କରି ୧ ହଜାର ଟଙ୍କାରେ ପ୍ରୋଜେକ୍ଟ ଦାବି କରନ୍ତି। ଏମିତିରେ ତ ପୋଷାଏନି, କିନ୍ତୁ କାରିଗର ମନ ତ କେହି କହିଲେ ନକରି ରହି ହୁଏନି ବୋଲି କହିଛନ୍ତି ବିଜୟ। ଖାଲି ଯାହା କାର୍ତିକ ପୂର୍ଣ୍ଣିମା ଆସିଲେ ସେ ଡଙ୍ଗା ବିକି ୧୨ରୁ ୧୫ ହଜାର ଟଙ୍କା ଆୟ କରନ୍ତି। ବାସ୍‌ ଏତିକିରେ ସୀମିତ ରହିଯାଏ ଜଣେ କାରିଗରର ବର୍ଷକର ମୂଲ। ସେ ୨୫ ଟଙ୍କାରୁ ନେଇ ୧୫୦୦ ଟଙ୍କାର ଡଙ୍ଗା ପ୍ରସ୍ତୁତ କରନ୍ତି। ମାତ୍ର ଡଙ୍ଗା କାରିଗର ଭାବି ତାଙ୍କ କାରିଗରୀର ମୂଲ୍ୟାୟନ କରି କେହି ତାଙ୍କୁ କେବେ ସାବାସୀ ଦେବା ତ ଦୂରର କଥା କୌଣସି ମଞ୍ଚରେ ଡାକି ସମ୍ମାନ ବି କରି ନାହିଁ। କେବେ କୌଣସି ସଂଗଠନ ଏଥିପାଇଁ ତାଙ୍କୁ ପ୍ରୋତ୍ସାହନର ହାତଟିଏ ବି ବଢ଼ାଇବାକୁ କେବେ ଚିନ୍ତା କରିନି। ତେଲିଆ ମୁଣ୍ଡରେ ତେଲ ଭଳି କେବଳ ବଡ଼ବଡ଼ ମୁହଁ ସିନା ନଜରକୁ ଆସନ୍ତି କିନ୍ତୁ ବିଜୟ ଭଳି କାରିଗର ବଣମଲ୍ଲୀ ପରି ମଉଳି ଯାଆନ୍ତି। ବିଜୟ ଯେ କେବଳ ସୋଲରେ କାରିଗରୀ ଉତାରନ୍ତି ସେ କଥା ନୁହେଁ, ବରଂ ସେ ଶିଙ୍ଘ କାମରେ ମଧ୍ୟ ଜଣେ ଧୂରୀଣ କାରିଗର। ଏଥିପାଇଁ ସେ ତାଲିମ୍‌ ମଧ୍ୟ ନେଇଛନ୍ତି। ମାତ୍ର କଞ୍ଚାମାଲ୍‌ର ଅଭାବ ଏବଂ ବ୍ୟବସାୟିକ ବାଟର ଅଜ୍ଞତା ଯୋଗୁଁ ତାଙ୍କ ଶିଳ୍ପୀ ଜୀବନ ବାଲି ସିମେଣ୍ଟ୍‌ରେ ଫେଣ୍ଟି ହୋଇଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

4 × one =