ଆସୁଛି ହକି ବିଶ୍ୱକପ୍‌: ବଦଳିବ ପରିମଳ ବ୍ୟବସ୍ଥା

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପୂର୍ବରୁ ଭୁବନେଶ୍ୱରର ପରିମଳ ବ୍ୟବସ୍ଥା ସଜାଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ ରାଜଧାନୀର ୪୦କିମି ରାସ୍ତାରେ ମେସିନ୍‌ ମାଧ୍ୟମରେ ସଫେଇ କରିବା, ନୂଆ ଡଷ୍ଟବିନ୍‌ ଲଗାଇବା, ସମସ୍ତ ଅଳିଆ ଗାଡ଼ିରେ ଜିପିଏସ୍‌ ଲଗାଇବା, ଡଷ୍ଟବିନ୍‌ରେ ସେନସର୍‌ ଲଗାଇବାକୁ ନିଷ୍ପତ୍ତି ହୋଇଛି। ଦଶହରା ପୂର୍ବରୁ ରାଜଧାନୀର ପରିମଳ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ଆସିବ ବୋଲି କୁହାଯାଉଛି। ଏଥିପାଇଁ ପ୍ରଥମକରି ସାରା ଭୁବନେଶ୍ୱରର ଡଷ୍ଟବିନ୍‌ ବଦଳାଇବାକୁ ନିଷ୍ପତ୍ତି ହୋଇଛି। କେଉଁ ଅଞ୍ଚଳରେ କେତେ ଡଷ୍ଟବିନ୍‌ ଅଛି, ଏହା କେଉଁ ସାଇଜ୍‌ର ସେନେଇ ସର୍ଭେ କରି ରିପୋର୍ଟ ଦେବାକୁ ସାନିଟାରି ଇନ୍ସପେକ୍ଟରମାନଙ୍କୁ କୁହାଯାଇଛି। ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ଵିନ୍‌ ଡଷ୍ଟବିନ୍‌କୁ ଛାଡ଼ିଦେଲେ ଏବେ ରାଜଧାନୀରେ ପ୍ରାୟ ୧୮୦୦ଟି ବିଭିନ୍ନ ପ୍ରକାରର ଡଷ୍ଟବିନ୍‌ ଅଛି। ବିଏମ୍‌ସିର ୬୭ଟି ଓ୍ଵାର୍ଡରେ ଡଷ୍ଟବିନ୍‌ ଥିଲେ ହେଁ ବହୁତ ଜାଗାରେ ଭାଙ୍ଗିଯାଇଛି। ଏଥିରେ ୨୪୦ଲିଟର, ୧୧୦୦ ଲିଟର ଓ ୩୫୦୦ଲିଟର କ୍ଷମତା ବିଶିଷ୍ଟ ଡଷ୍ଟବିନ୍‌ ଅଛି। ତେଣୁ ଡଷ୍ଟବିନ୍‌ ବଦଳିଲେ ଏହା କେଉଁ ପ୍ରକାରର ଡଷ୍ଟବିନ୍‌ ଲାଗିବ, ଅଧିକ କେଉଁଠି ଲାଗିବ ସେନେଇ ନିଷ୍ପତ୍ତି ନିଆଯାଇନି। ହକି ବିଶ୍ୱକପ୍‌ ପୂର୍ବରୁ ସମସ୍ତ ଡଷ୍ଟବିନ୍‌ ବଦଳିବାକୁ ଥିବାବେଳେ ଏହାକୁ ଜିଆଇଏସ୍‌ ସର୍ଭେ ମାଧ୍ୟମରେ ଲଗାଇବାକୁ କୁହାଯାଇଛି। ପ୍ରତ୍ୟେକ ଡଷ୍ଟବିନ୍‌ରେ ସେନ୍ସର ଲାଗିବ। ଡଷ୍ଟବିନ୍‌ ପୂର୍ଣ୍ଣ ହୋଇଗଲେ କଣ୍ଟ୍ରୋଲ ରୁମ୍‌କୁ ମେସେଜ୍‌ ପଳାଇବ। ଏହାକୁ ତୁରନ୍ତ ଉଠାଯିବ। ସେହିପରି ଯେଉଁଠି ଅଳିଆ ଉଠି ନଥିବ ସେନେଇ ଅଭିଯୋଗ ଆସିଲେ ତତ୍‌କ୍ଷଣାତ୍‌ ଉଠାଇବା ବ୍ୟବସ୍ଥା କରାଯିବ। ବିଏମ୍‌ସିର ଏହି ଯୋଜନାରେ ସର୍ତ୍ତ ରହିଛି ଯେ, ଯେଉଁ ୫୭ଟି ଓ୍ଵାର୍ଡରେ ଘରୋଇ ସଂସ୍ଥା ସଫେଇ କରୁଛନ୍ତି ସେଠାରେ ସେମାନେ ନୂଆ ଡଷ୍ଟବିନ୍‌ ଲଗାଇବେ। ଏହାର ଖର୍ଚ୍ଚ ସେମାନେ ବହନ କରିବେ। କିନ୍ତୁ ବିଏମ୍‌ସିର ଏହି ସର୍ତ୍ତ ମାନିବାକୁ ଘରୋଇ ସଫେଇ ସଂସ୍ଥା ରାଜି ନାହାନ୍ତି। ଘରୋଇ ସଫେଇ ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି ଯେ, ଆମେ ଦୀର୍ଘ ମାସ ହେଲା ଏସ୍କାଲେସନ୍‌ ଫି’ ବଢ଼ାଇବାକୁ ଦାବି କରୁଛୁ। କିନ୍ତୁ ବିଏମ୍‌ସି କର୍ତ୍ତୃପକ୍ଷ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଚାଲିଛନ୍ତି। ଏଥିରେ ଆମେ ନୂଆ ଡଷ୍ଟବିନ୍‌ କିଣିବା ସମ୍ଭବ ନୁହେଁ। ଯଦି ବିଏମ୍‌ସି ଡଷ୍ଟବିନ୍‌ ଲଗାଇବ ଲଗାଉ।

ଏକ ଘରୋଇ ସଫେଇ ସଂସ୍ଥାର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ରାମ୍‌କି ଏବେ ଏକ ଟନ୍‌ ଅଳିଆ ଉଠାଇବା ପାଇଁ ୨୪୯୦ଟଙ୍କା ନେଉଥିବାବେଳେ ପିଏମ୍‌ଆର୍‌ ୨୪୩୨ଟଙ୍କା ନେଉଛି। ସେହିପରି ଜାଗୃତି ୨୪୮୫ଟଙ୍କା ନେଉଛି। ଏହା ଦୀର୍ଘ ୪ବର୍ଷ ତଳେ ଧାର୍ଯ୍ୟ ହୋଇଥିଲା। କିନ୍ତୁ ସରକାର ପରବର୍ତ୍ତୀ ସମୟରେ ଶ୍ରମିକଙ୍କ ମଜୁରି ବଢ଼ାଇବା ପରେ ଆମକୁ ମଧ୍ୟ ମଜୁରି ବଢ଼ାଇବାକୁ ପଡ଼ିଥିଲା। ଏହାପରେ ଶ୍ରମିକମାନେ ବିଭିନ୍ନ ସମୟରେ ମଜୁରି ବୃଦ୍ଧି ଦାବିରେ କାର୍ଯ୍ୟବନ୍ଦ କରିବାରୁ ଆମେ ବଢ଼ାଇଥିଲୁ। ଏହି ସମୟରେ ବିଏମ୍‌ସି କର୍ତ୍ତୃପକ୍ଷ ଏସ୍‌କାଲେସନ୍‌ ଫି’ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୀର୍ଘ ମାସ ପରେ ବି ବଢ଼ିଲାନି। ତେଣୁ ଏବେ ଟନ୍‌ ପିଛା ଏସ୍‌କାଲେସନ୍‌ ଫି ୩୦୦ରୁ ୪୦୦ଟଙ୍କା ନ ବଢ଼ାଇଲେ ଆମେ ନୂଆ ଡଷ୍ଟବିନ୍‌ ଲଗାଇବୁନି ବୋଲି କହିଛନ୍ତି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଘରୋଇ ସଫେଇ ସଂସ୍ଥାଙ୍କ ଏସ୍‌କାଲେସନ୍‌ ଫି’ ବଢ଼ାଯିବ କି ନାହିଁ ସେନେଇ ଆଲୋଚନା ହେଉଛି। ଏସ୍‌କାଲେସନ୍‌ ଫି’ ବଢ଼ିଲେ ବି ସେମାନେ ଡଷ୍ଟବିନ୍‌ ବଦଳାଇବାକୁ ବାଧ୍ୟ। କାରଣ ଅଧିକାଂଶ ଓ୍ଵାର୍ଡରେ ଡଷ୍ଟବିନ୍‌ ଭାଙ୍ଗି ଯାଇଥିବାବେଳେ କେତେକ ସ୍ଥାନରେ ଅପେକ୍ଷାକୃତ ଛୋଟ ଡଷ୍ଟବିନ୍‌ ଲାଗିଛି। ତେଣୁ ରାସ୍ତାରେ ଅଳିଆ ଗଦା ହେଉଛି। ଏହାକୁ ନଜରରେ ରଖି ସମସ୍ତ ଡଷ୍ଟବିନ୍‌ ବଦଳାଇବାକୁ ନିଷ୍ପତ୍ତି ହୋଇଛି।

ସୁଇପିଂ ମେସିନ୍‌ କିଣାରେ ଫିକ୍ସିଂ ଅଭିଯୋଗ
ରାଜଧାନୀର ସମସ୍ତ ପ୍ରମୁଖ ରାସ୍ତା, ଛକ, ମାର୍କେଟ ଅଞ୍ଚଳରେ ମେସିନ୍‌ ମାଧ୍ୟମରେ ସଫେଇ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରାୟ ୪୦କିମି ରାସ୍ତାରେ ଏହି ମେସିନ୍‌ ସଫେଇ କରିବ। ହକି ବିଶ୍ୱକପ୍‌ ପୂର୍ବରୁ ଏହି ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ୪ଟି ଅତ୍ୟାଧୁନିକ ମେସିନ୍‌ କିଣିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ମେସିନ୍‌ କିଣା ଟେଣ୍ଡର୍‌ରେ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ବିଏମ୍‌ସି କର୍ତ୍ତୃପକ୍ଷ ଘରୋଇ କମ୍ପାନିକୁ ସୁହାଇବା ଭଳି ସର୍ତ୍ତ ସବୁ ରଖିଛନ୍ତି। ଏହି କମ୍ପାନିର ସୁଇପିଂ ମେସିନ୍‌ରେ ଯେଉଁ ନିର୍ଦ୍ଦିଷ୍ଟ ମାନକ ଅଛି ତାହାକୁ ଟେଣ୍ଡର୍‌ରେ ସର୍ତ୍ତ ରଖାଯାଇଛି। ଏପରିକି କିଛି ଦିନ ତଳେ ବିଭିନ୍ନ କମ୍ପାନି ଓ ଷ୍ଟେକହୋଲ୍ଡରମାନଙ୍କୁ ନେଇ ହୋଇଥିବା ବୈଠକରେ ଏନେଇ ସଂସ୍ଥାଗୁଡ଼ିକ ଅଭିଯୋଗ କରିଥିଲେ। ଏପରିକି ଯେଉଁ ସଫେଇ ମେସିନ୍‌ ପାଇଁ ଯେଉଁ ସର୍ତ୍ତ ରହିଛି ସେହିଭଳି ମେସିନ୍‌ କିଣିଲେ ପ୍ରାୟ ଦେଢ଼ କୋଟି ଟଙ୍କା ପଡ଼ିବ। ଯାହା ଅନ୍ୟ କମ୍ପାନିଠାରୁ ଅପେକ୍ଷାକୃତ ଅଧିକ। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷ କହିଛନ୍ତି ଯେ, ଟେଣ୍ଡର ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ। ଭଲ ସଫେଇ ମେସିନ୍‌ ଯେପରି ଆସିବ ଏବଂ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ସେନେଇ ସର୍ତ୍ତ ରହିଛି। କୌଣସି ନିର୍ଦିଷ୍ଟ କମ୍ପାନିକୁ ଲକ୍ଷ୍ୟରେ ରଖି ଟେଣ୍ଡର୍‌ କରାଯାଇନି।

ସୂଚନାଯୋଗ୍ୟ ଯେ, ଜାଗୃତି ପ୍ରଥମ କରି ରାଜଧାନୀରେ ସଫେଇ ମେସିନ୍‌ ମାଧ୍ୟମରେ ସଫେଇ ଆରମ୍ଭ କରିଥିଲା। କିନ୍ତୁ ଏହି ମେସିନ୍‌ଟି ଏବେ ଖରାପ ହୋଇଯାଇଥିବାରୁ ଏହାକୁ ଅନଫିଟ୍‌ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର