ଆସଲାଣି ପର୍ଯ୍ୟଟନ ଋତୁ, ଏକାମ୍ର କ୍ଷେତ୍ରର ସ୍ବଚ୍ଛତା ପ୍ରତି ଦିଆଯାଉନି ଦୃଷ୍ଟି

ପୁରୁଣା ଭୁବନେଶ୍ୱର: ପ୍ରତି ରବିବାର ପୁରୁଣା ଭୁବନେଶ୍ୱରରେ ଚାଲିଛି ଏକାମ୍ର ଐତିହ୍ୟ ଯାତ୍ରା। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସ୍ବଚ୍ଛତା ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହ ଅଧିକ ସଫେଇ କର୍ମଚାରୀ ନିଯୁକ୍ତି କରାଯାଇ ସଫେଇ କରାଯାଉଛି ବୋଲି ବିଏମ୍‌ସି କହୁଛି। ମାତ୍ର ଯେଉଁ ରାସ୍ତାରେ ଅଧିକ ପର୍ଯ୍ୟଟକ ଯା’ଆସ କରୁଛନ୍ତି ଏବଂ ଯେଉଁ ସମୟରେ ଐତିହ୍ୟ ପଦଯାତ୍ରା ଯାଉଛି, ସେହି ସମୟ ଛାଡ଼ି ଦେଲେ ଅନ୍ୟ ସବୁ ସମୟରେ ଏଠାରେ କୁଢ଼କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାରୁ ସ୍ବଚ୍ଛତାକୁ ନେଇ ଏଭଳି ଅବ୍ୟବସ୍ଥା ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ହାନି କରୁଛି ବୋଲି ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରି କହିଛନ୍ତି। ସବୁଠାରୁ ଅଧିକ ଆବର୍ଜନା ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଗଦା ହୋଇରହିଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ପାଚେରି କଡ଼ ଏବେ ଲୋକମାନଙ୍କ ପାଇଁ ଖୋଲା ପରିସ୍ରାଗାର ପାଲଟିଥିବା ଦେଖାଯାଇଛି। ଫଳରେ ସେହି ପାଖ ଦେଇ ଯିବା ଆସିବା କଲା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ମନ୍ଦିରର ଦକ୍ଷିଣ ଓ ଉତ୍ତର ପାର୍ଶ୍ବ ଅନ୍ଧାରୁଆ ରହୁଥିବାରୁ ଏଠାରେ କିଛି ଅସାମାଜିକ ଲୋକଙ୍କ ଭିଡ଼ ଜମୁଛି। ସେମାନେ ଏଠାରେ ମଦ୍ୟପାନ କରୁଥିବାରୁ ପାଚେରି କଡ଼ରେ ମଦ ବୋତଲ ଗଡ଼ୁଛି। ତେବେ ବିଏମ୍‌ସି ପକ୍ଷରୁ ଏହି ଅଞ୍ଚଳର ସଫେଇ ପାଇଁ ପିଏମ୍ଆର୍‌ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି ଅଞ୍ଚଳକୁ ଅଧିକ ସଫେଇ କର୍ମଚାରୀ ଦିଆଯାଇଥିବା ସଂପୃକ୍ତ ଠିକା ସଂସ୍ଥା କହୁଥିବା ବେଳେ ଠିକଣା ସମୟରେ ସଫେଇ କରାଯାଉ ନଥିବାରୁ ରାସ୍ତାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ତେବେ ସଫେଇ କାର୍ଯ୍ୟର ଉପଯୁକ୍ତ ତଦାରଖ କରାଯିବା ସହ ନିଃଶୁଳ୍କ ପରିସ୍ରାଗାର ବ୍ୟବସ୍ଥା ହେଲେ ଏହା ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇ ପାରିବ ବୋଲି ସେବାୟତମାନେ କହିଛନ୍ତି। ଏନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କହନ୍ତି, ଏନେଇ ତଦାରଖ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର