ଆସୁଛି ହୋଲି : ରାଜଧାନୀରେ ରଙ୍ଗର ପସରା

ହର୍ବାଲ୍‌ ରଙ୍ଗର ଚାହିଦା ବଢ଼ୁଛି

ଭୁବନେଶ୍ୱର : ପ୍ରେମର ଋତୁ ବସନ୍ତରେ ପ୍ରେମର ରଙ୍ଗରେ ଭିଜାଇବା ପାଇଁ ଆସୁଛି ହୋଲି। ତେଣୁ ରାଜଧାନୀରେ ପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ି, ବୟସ୍କ ସମସ୍ତେ ହୋଲିକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ପ୍ରସ୍ତୁତ ହୋଇଗଲେଣି। ଏବେଠାରୁ ରାଜଧାନୀର ଗଳିକନ୍ଦିରେ ଖୋଲିଗଲାଣି ରଙ୍ଗର ପସରା।

ହୋଲିରେ ରଙ୍ଗ ଖେଳାଯାଉଥିଲେ ବି ତାହାର ଦୁଇ ତିନି ଆଗରୁ ବିଭିନ୍ନ ଅନୁଷ୍ଠାନ, ସ୍କୁଲ, କଲେଜ, ଅଫିସରେ ରଙ୍ଗ ଖେଳିବା ଧାରା ଏଇ କିଛି ବର୍ଷ ହେବ ଆରମ୍ଭ ହୋଇଛି। ଯେହେତୁ ହୋଲିରେ ଛୁଟି ପଡ଼େ, ତେଣୁ ବନ୍ଧୁମାନଙ୍କ ସହ ଆଗୁଆ ରଙ୍ଗରେ ରଙ୍ଗିନ ହେବାର ସୁଯୋଗକୁ କେହି ହାତଛଡ଼ା କରନ୍ତି ନାହିଁ। ଏଭଳି ଧାରାକୁ ନଜରରେ ରଖି ଦୋକାନୀମାନେ ଆଗୁଆ ରଙ୍ଗ ବିକ୍ରି ଆରମ୍ଭ କରିଦେଇଛନ୍ତି।

ହଳଦୀ, ନାଲି, ନୀଳ, ବାଇଗଣି, ଗୋଲାପି ପରି ଅନେକ ରଙ୍ଗରେ ନିଜ ଦେକାନ ଭର୍ତ୍ତି କରିସାରିଲେଣି। ଅବିର କିଲୋ ୧୨୦ ଟଙ୍କା ଥିବା ବେଳେ ୧୦୦ ଗ୍ରାମ ପୁଡ଼ିଆ ୧୫ରୁ ୨୦ ଟଙ୍କା ଭିତରେ ବିକ୍ରି ହେଉଛି।

ଏବର ଯୁବପିଢ଼ି ନିଜ ଶରୀର ଓ ତ୍ୱଚାକୁ ନେଇ ସଚେତନ ଥିବାରୁ ବଜାରରୁ ରାସାୟନିକ ରଙ୍ଗ ବଦଳରେ ହର୍ବାଲ ରଙ୍ଗ କିଣୁଛନ୍ତି। ତେଣୁ ଦୋକାନୀମାନେ ବହୁତ ପରିମାଣରେ ହର୍ବାଲ ରଙ୍ଗ ବିକ୍ରି କରୁଛନ୍ତି। ଏହାର ଦାମ୍‌ ୧୩୦ ଟଙ୍କା ରହିଛି। ଏହି ପ୍ୟାକେଟ ଭିତରେ ବିଭିନ୍ନ ରଙ୍ଗ ଉପଲବ୍ଧ ବୋଲି ମାର୍କେଟ ବିଲ୍‌ଡିଂରେ ଦୋକାନ ପକାଇଥିବା ପ୍ରମୋଦ ସିଂହ କୁହନ୍ତି। ଏହା ସହିତ ହୋଲିର କୁପ୍ରଭାବରୁ ଆଖି ଓ ମୁହଁକୁ ରକ୍ଷା କରିବା ପାଇଁ ବଜାରରେ ବିଭିନ୍ନ ପ୍ରକାରର ମାସ୍କ ମିଳୁଛି। ଏହାର ଦାମ୍‌ ୩୦ଟଙ୍କାରୁ ଆରମ୍ଭ ହୋଇ ୧୫୦ଟଙ୍କା ପର୍ଯ୍ୟନ୍ତ ରହିଛି। ଛୋଟ ପିଲାଙ୍କ ପାଇଁ ଡୋରେମନ, ବନ୍ଧୁକ, ରଙ୍ଗ ଥିବା ପାଣି ବଲ୍‌ର ମଧ୍ୟ ବେଶ୍‌ ଚାହିଦା ରହିଛି।

ମୁଣ୍ଡଫଟା ରଙ୍ଗଠାରୁ ଦୂରେଇ ରୁହନ୍ତୁ

ହୋଲିରେ ରଙ୍ଗ ଖେଳିବା ବେଳେ ସଚେତନ ରହିବା ଜରୁରି। କାରଣ ଏମିତି କିଛି ରଙ୍ଗ ଅଛି ଯାହା ଆଖି ଓ ଚର୍ମ ସଂସ୍ପର୍ଶରେ ଆସିଲେ ଶରୀର ଉପରେ କୁପ୍ରଭାବ ପକାଇବ। କ୍ୟାପିଟାଲ ହସ୍ପିଟାଲର ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ସୁମନ୍ତ ଦାଶ କୁହନ୍ତି, ବାହାରେ ମିଳୁଥିବା ସମସ୍ତ ରାସାୟନିକ ରଙ୍ଗ ଶରୀର ପାଇଁ ଖରାପ। ସମସ୍ତେ ଏହା ଠାରୁ ଦୂରେଇ ରହିବା ଦରକାର। ବିଶେଷ କରି ମୁଣ୍ଡଫଟା ରଙ୍ଗର ବ୍ୟବହାର ଜମା କରନ୍ତୁ ନାହିଁ। ଅନେକ ଲୋକଙ୍କ ନାକ ପାଖରେ ରଙ୍ଗ ବାଜିଲେ ଫଳିଯାଏ ଓ ସଙ୍ଗେ ସଙ୍ଗେ ଥଣ୍ଡା ହୁଏ। ସେଥିପାଇଁ ରଙ୍ଗକୁ ନାକ ପାଖରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ରଙ୍ଗ ଖେଳିବା ବେଳେ ପୂରା ସତର୍କ ରୁହନ୍ତୁ।

ଘରେ ତିଆରି କରିପାରିବେ ହର୍ବାଲ ରଙ୍ଗ

ଜଣେ ଚାହିଁଲେ ପଳାଶ ଫୁଲରେ ହର୍ବାଲ ରଙ୍ଗ ତିଆରି କରିପାରିବେ। ପଳାଶ ଫୁଲକୁ ଖରାରେ ଶୁଖାଇବେ। ଏହା ପରେ ପାଣିରେ ଭିଜାଇବେ, ଭିଜିଲା ପରେ ଏଥିରେ ଥିବା କେଶର ରଙ୍ଗ ଛାଡ଼ିଯିବ। ତା’ପରେ ଏହାକୁ ଗରମ କରିବେ। ପଳାଶ ଫୁଲ ସଂପୂର୍ଣ୍ଣ ରୂପେ ରଙ୍ଗ ମୁକ୍ତ ହେଇଗଲେ, ସେଥିରେ ଗଙ୍ଗାଜଳ, ଚନ୍ଦନ, ହଳଦୀ ପକାଇ ରଙ୍ଗ ତିଆରି କରାଯିବ। ଏହାକୁ ହୋଲି ଦିନ ବ୍ୟବହାର କରିପାରିବେ। ପଳାଶ ଫୁଲରେ ପ୍ରସ୍ତୁତ ଏହି ହର୍ବାଲ ପାଉଡର ବ୍ୟବହାର କରି ହୋଲି ପାଳନ କରିପାରିବେ। ପୁଣି ଏହାକୁ ଦେହରେ ବୋଳିଲେ ବର୍ଷକ ପର୍ଯ୍ୟନ୍ତ କୌଣସି ପ୍ରକାରର ଚର୍ମ ରୋଗ ହୁଏ ନାହିଁ ବୋଲି ଏହାକୁ ପ୍ରସ୍ତୁତ କରୁଥିବା ଶୈଳେନ୍ଦ୍ର ନାରାୟଣ ସେନାପତି କୁହନ୍ତି। ତା’ସହିତ ଚନ୍ଦନ, ହଳଦୀ, ମୁଲତାନି ମାଟିରେ ମଧ୍ୟ ଘରେ ବସି ହର୍ବାଲ ରଙ୍ଗ ପ୍ରସ୍ତୁତ ହୋଇପାରିବ।

ସମ୍ବନ୍ଧିତ ଖବର