ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସର ସମୀକ୍ଷା ବୈଠକ, ସମୀକ୍ଷା କଲେ ପୁଲିସ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ରାଜଧାନୀରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କମିସନରେଟ୍‌ ପୁଲିସ କେତେ ପ୍ରସ୍ତୁତ ରହିଛି ତା’ର ସମୀକ୍ଷା କରିଛନ୍ତି ପୁଲିସ ପର୍ଯ୍ୟବେକ୍ଷକ ଆସାମ ଡିଆଇଜି ଶ୍ୟାମଲ୍‌ ପ୍ରସାଦ ସାଇକିଆ। ଆଜି କମିସନରେଟ୍‌ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି, ଆଡିସିନାଲ୍‌ ସିପି ସଞ୍ଜୟ ସିଂ, ଡିସିପି ଅନୁପ୍‌ ସାହୁ, ଡିସିପି ହେଡ୍‌କ୍ବାର୍ଟର ପଦ୍ମିନୀ ସାହୁ ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଅନ୍ୟପଟେ ୨୩ ତାରିଖରେ ମତଦାନ ଥିବାରୁ ବହୁ ଭିଭିଆଇପି, ନେତାଙ୍କ ଗସ୍ତ ରହୁଛି। ରାଜନୈତିକ ଦଳ ଗୁଡ଼ିକର ପ୍ରଚାର ଓ ସଭା ଅନୁଷ୍ଠିତ ହେବ। ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା କାରବାର, ଆପରାଧିକ କାର୍ଯ୍ୟକଳାପ ବଢ଼ିବା‌ର ଆଶଙ୍କା ମଧ୍ୟ ରହିଛି। ସେହିପରି ରାଜଧାନୀରେ କେତେକ ସମ୍ବେଦନଶୀଳ ବୁଥକୁ ଚିହ୍ନଟ କରାଯାଇଛି। ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ବ୍ଲକିଂ, ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଅଭ୍ୟାସଗତ ଅପରାଧୀଙ୍କ ଉପରେ କଡ଼ା ନଜର ରାଖାଯାଇଛି ବୋଲି ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର