ରୁକୁଣା ରଥଯାତ୍ରାରେ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସର ପ୍ରସ୍ତୁତି

୬ ଏସିପି, ୧୩ ଇନ୍‌ସ୍‌ପେକ୍ଟର, ୧୭ ପ୍ଲାଟୁନ୍‌ ଫୋର୍ସ

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସୁରକ୍ଷା ପାଇଁ ୬ ଏସିପିଙ୍କ ସମେତ ୧୩ ଇନ୍‌ସ୍‌ପେକ୍ଟର ଓ ୧୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବା ପାଇଁ ସ୍ଥିର ହୋଇଛି। ତା’ ଛଡ଼ା ରଥ ପ୍ରତିଷ୍ଠା ଦିନଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା ବଳବତ୍ତର ରହିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ରଥ କର୍ଡନ ଭିତରେ ଅନଧିକୃତ ବ୍ୟକ୍ତି ଓ ରଥ ଉପରେ ଅନାବଶ୍ୟକ ସେବାୟତଙ୍କ ଉପରେ କଟକଣା କରାଯାଇଛି। କର୍ଡନ ଭିତରେ କେବଳ ରଥ ଟାଣିବା ଓ ରଥ ମରାମତି କରିବା ପାଇଁ ଆବଶ୍ୟକ ହେଉଥିବା ଅଧିକୃତ ବ୍ୟକ୍ତିଙ୍କ ସମେତ ଉପଯୁକ୍ତ ଅଧିକାରୀ ଉପସ୍ଥିତ ରହିବେ। ସେହିଭଳି ରଥ ଉପରେ ଅନାବଶ୍ୟକ ସେବାୟତ ବା ଅନ୍ୟ କାହାରିକୁ ରହିବା ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ରଥ ଉପରେ ଅନଧିକୃତ ତଥା ଅନାବଶ୍ୟକ ଲୋକ ରହୁଥିବାରୁ ଠାକୁରଙ୍କୁ ଦର୍ଶନ କରିବାରେ ସମସ୍ୟା ହେଉଛି। ଏଣୁ ଏହି ସଂଖ୍ୟା ଉପରେ କଟକଣା କରିବା ପାଇଁ ଏଭଳି ଯୋଜନା ହୋଇଛି। ସେବାୟତଙ୍କ ସହ ପରବର୍ତ୍ତୀ ସମୟରେ ଆଲୋଚନା ପ‌ରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ତେବେ କର୍ଡନ ଭିତରେ ରହିବା ପାଇଁ ମହାରଣା ସେବାୟତ, କରଡ଼ା ସେବାୟତ ଓ ମନ୍ଦିର କର୍ମଚାରୀଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପାସ୍‌ ଯୋଗାଇ ଦିଆଯିବ।

ସେହିଭଳି ରଥ ପ୍ରତିଷ୍ଠା ଦିନ କେଦାରଗୌରୀ ମରିଚି କୁଣ୍ଡଠାରେ, ମହାଖଳାରେ ରାମେଶ୍ବର ମନ୍ଦିରଠାରେ ପୁଲିସ ଫୋର୍ସ ରହି ଯାତ୍ରାରେ ଆଇନ ଶୃଙ୍ଖଳା ଉପରେ ନଜର ରଖିବେ। ଯାତ୍ରା ଦିନ ବେଳେ ରାମେଶ୍ୱର ଛକ, ଇଲେକ୍ଟ୍ରି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ କରାଯିବ। ସାଦା ପୋଷାକଧାରୀ, ମହିଳା ପୁଲିସ ରହି ଲୁଟେରା ଓ ମହିଳାଙ୍କ ଉପରେ ହେଉଥିବା ଅସଦାଚରଣ ଉପରେ ନଜର ରଖିବେ। ତେବେ ଗୋଟିଏ ଦିନରେ ହିଁ ରଥକୁ ମାଉସୀ ମା’ ମନ୍ଦିର ନିକଟକୁ ଆଣିବା ପାଇଁ ଉଦ୍ୟମ କରାଯିବ। ୧୦ ତାରିଖ ପୂର୍ବରୁ ରାସ୍ତାରେ ଡ୍ରେନ୍‌ ଉପରେ ସ୍ଲାବ ଓ ଷଣ୍ଢଙ୍କୁ ହଟାଇବା ପାଇଁ ବିଏମ୍‌ସିକୁ ଅବଗତ କରାଯିବ। ରାସ୍ତାରେ ବିପଜ୍ଜନକ ଭାବରେ ଝୁଲୁଥିବା ବିଦ୍ୟୁତ୍‌ ତାରକୁ ହଟାଇବା ପାଇଁ ସେସୁକୁ ନିର୍ଦେଶ ଦିଆଯିବ। ବିଶୃଙ୍ଖଳିତ ଭାବରେ ଗାଡ଼ି ପାର୍କିଂ ଯୋଗୁଁ ରଥଟଣାରେ ସମସ୍ୟା ହେଉଥିବାରୁ ବେଆଇନ ଭାବରେ ପାର୍କିଂ ନ କରିବାକୁ ମାଇକ୍‌ ଯୋଗେ ଘୋଷଣା କରାଯିବ। ରଥ ଦାଣ୍ଡରେ ଯାତ୍ରା ସମୟରେ ଆମିଷ ଦ୍ରବ୍ୟ ବିକ୍ରି ନିଷେଧ କରାଯିବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ଅରୁଣ କୁମାର ବେହେରା, ଡିସିପି ଅନୁପ କୁମାର ସାହୁ, ପଦ୍ମିନୀ ସାହୁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ବିରଞ୍ଚି ନାରାୟଣ ପତି, କମଳା ବଡ଼ୁ, ଜିତେନ ବଟୁ, କାଶୀନାଥ ପୂଜାପଣ୍ଡା, ସଚ୍ଚିକାନ୍ତ ପୂଜାପଣ୍ଡା, ନୃସିଂହ ଖୁଣ୍ଟିଆ, ପ୍ରଶାନ୍ତ ସମର୍ଥା, ରାଜକିଶୋର ମହାପାତ୍ର, ଟୁନିଆ ମହାରଣାଙ୍କ ସମେତ ବହୁ ସେବାୟତ, ସରକାରୀ ଅଧିକାରୀ ଓ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ। ଏସିପି ସୁବାସ ପଣ୍ଡା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର