କମିସନରେଟ୍‌ ପୁଲିସର ବଳିଦାନ ଦିବସ : ଜୟ ଯବାନ-ଜୟ କିଷାନ ଭଳି ‘ଜୟ ପୁଲିସ’ ବି କୁହାଯିବା ଉଚିତ

ଭୁବନେଶ୍ବର : ଜୟ ଯବାନ-ଜୟ କିଷାନ ଭଳି ‘ଜୟ ପୁଲିସ’ କହିବା ଉଚିତ। ଆଜି କମିସନରେଟ ପୁଲିସ ପକ୍ଷରୁ ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଅନୁଷ୍ଠିତ ୬୦ତମ ବଳିଦାନ ଦିବସରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏହା କହିଛନ୍ତି। କାରଣ କିଷାନ ଓ ଯବାନଙ୍କ ଭଳି ପୁଲିସ ମଧ୍ୟ ଦେଶବାସୀଙ୍କ ପାଇଁ ସମର୍ପିତ ମନୋଭାବ ନେଇ କାମ କରିଆସୁଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଯେଉଁ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଦେଶ ପାଇଁ ବଳିଦାନ ଦେଇଛନ୍ତି ତାହା ସମଗ୍ର ମାନବ ଜାତି ପାଇଁ ଶ୍ରେଷ୍ଠ ବଳିଦାନ। ଆମ ସୁରକ୍ଷା ପାଇଁ ଦିନରାତି ଏକ କରି ଯେଉଁ ପୁଲିସ କର୍ମଚାରୀ ଆତଙ୍କବାଦୀ, ଉଗ୍ରବାଦୀ, ଦେଶର ଶତ୍ରୁଙ୍କ ବି‌ରୋଧରେ ଲଢ଼େଇ କରୁଛନ୍ତି ସେମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ସମ୍ବେଦନଶୀଳତା ଦେଖାଇବାକୁ ପଡ଼ିବ ବୋଲି ସେ କହିଥିଲେ।

ଏହି ଅବସରରେ ସାରାଦେଶରେ ସହିଦ୍‌ ହୋଇଥିବା ୨୯୨ଜଣଙ୍କ ସମେତ ଓଡ଼ିଶାର ଦୁଇ ସହିଦ ସୁଜିତ କୁମାର ମିଞ୍ଜ ଓ ଜୟରାମ କବାସିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପ୍ରକାଶ ଥାଉକି, ଗତ ମାର୍ଚ୍ଚ ୧୮ ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଆଲୁମିନିୟମ ରିଫାଇନାରିରେ ଆଇନ୍‌ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବାକୁ ଯାଇ ସୁଜିତ ଆନ୍ଦୋଳନକାରୀଙ୍କ ଶିକାର ହୋଇଥିଲେ। ଆଉ ସେମାନଙ୍କ ଆକ୍ରମଣରେ ପ୍ରାଣ ହରାଇ ସହିଦ ହୋଇଥିଲେ। ସେହିପରି ଗତ ଅଗଷ୍ଟ ମ‌ାସ ୨୮ ତାରିଖରେ ଜୟରାମ ମାଲକାନଗିରିର ସୋନୁଗୁଡ଼ା-ପକ୍‌ନାଗୁଡ଼ା ଜଙ୍ଗଲରେ ମାଓବାଦୀଙ୍କ ସହ ଲଢ଼େଇ କରି ସହିଦ ହୋଇଥିଲେ। ଉତ୍ସବରେ ଅତିରିକ୍ତ ପୁଲିସ କମିସନର ସଞ୍ଜୟ ସିଂ, ଡିସିପି ଅନୁପ ସାହୁ, ଏସିପି, ଆଇଆଇସି ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର