ବିକ୍ରି ହୋଇଥିବା ଜାଗା ବିକୁଛି ପ୍ରଶାସନ

ଇନ୍ଦିରା କୋ-ହାଉସିଂ କଲୋନି ନାଗରିକ କମିଟିର ଅଭିଯୋଗ

ଭୁବନେଶ୍ୱର: ଏକାମ୍ର ଭୁବନେଶ୍ୱର ନିର୍ବଚନ ମଣ୍ଡଳୀ ଲିଙ୍ଗିପୁରଠାରେ ଥିବା ଇନ୍ଦିରା କୋ-ହାଉସିଂ କଲୋନିରେ ଥିବା ପ୍ରାୟ ଦୁଇ ଏକର ଜାଗାକୁ ଓଡ଼ିଶା କୋ-ଅପରେଟିଭ୍‌ ହାଉସିଂ କର୍ପୋରେସନ୍‌ ପକ୍ଷରୁ ବେଆଇନ ଭାବେ ବିକ୍ରି କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପାର୍କ, ଖେଳ ପଡ଼ିଆ, ସ୍କୁଲ, ପାଣି ଟାଙ୍କି କରିବା ଲାଗି ଚିହ୍ନଟ ହୋଇଥିବା ଜାଗାକୁ ବିକ୍ରି କରିବା ଲାଗି କର୍ପୋରେସନ୍‌ ଚକ୍ରାନ୍ତ କରୁଥିବା ନେଇ ଇନ୍ଦିରା କୋ-ହାଉସିଂ କଲୋନି ନାଗରିକ କମିଟିର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଓଡ଼ିଶା କୋ-ଅପରେଟିଭ୍‌ ହାଉସିଂ କର୍ପୋରେସନ୍‌ ୧୯୮୫ରୁ ୧୯୯୦ ମସିହା ଭିତରେ ସାଧାରଣ ଲୋକଙ୍କୁ ପ୍ଲଟ ବିକ୍ରି କରିଥିଲା। ସେତେବେଳେ କଲୋନି ଭିତରେ ରାସ୍ତା, ଡ୍ରେନେଜ୍‌, ଖେଳ ପଡ଼ିଆ, ପାର୍କ, ସ୍କୁଲ ଆଦି ନିର୍ମାଣ ଲାଗି ସ୍ଥାନ ସଂରକ୍ଷଣ କରି ମ୍ୟାପ ସହ ରେଜେଷ୍ଟ୍ରି କରାଯାଇଥିଲା। ଏହାଦ୍ୱାରା ସେଠାରେ ପ୍ଲଟ କିଣିଥିବା ଲୋକେ ସଂରକ୍ଷିତ ଖୋଲା ସ୍ଥାନଗୁଡ଼ିକୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିବାର ଅଧିକାର ପାଇଛନ୍ତି। ପୂର୍ବରୁ ଏହି ଜାଗାକୁ ବିକ୍ରି କରିଥିବା କର୍ପୋରେସନ୍‌ ଏବେ ପୁଣିଥରେ ତହାକୁ ବିକ୍ରି କରିବାକୁ ଟେଣ୍ଡର ପ୍ରକାଶ କରିଛି। ଏଭଳି କରିବା ଦ୍ୱାରା ବଡ଼ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଛି।

ଏକ ଏକର ୮୦୦ ଡିସିମିଲ୍‌ର ଏହି ଜାଗାରୁ କୋଟି କୋଟି ଟଙ୍କା ହଡ଼ପ କରିବାକୁ ପ୍ରଶାସନିକ ଅଧିକାରୀମାନେ ଚକ୍ରାନ୍ତ କରୁଥିବା ନେଇ ସ୍ଥନୀୟ ବିଧାୟକ ତଥା ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଏହି ପ୍ରକ୍ରିୟାକୁ ତୁରନ୍ତ ବନ୍ଦ ଲାଗି କମିଟି ପକ୍ଷରୁ ଦାବି ହୋଇଛି। ନ ହେଲେ ଆଗାମୀ ଦିନରେ ଯେଉଁ ଆନ୍ଦୋଳନ ମୁଣ୍ଡ ଟେକିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଆଜି ନାଗଭୂଷଣ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟି ସଭାପତି କୃଷ୍ଣଚନ୍ଦ୍ର ପରିଡ଼ା, ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ଯୁଧୀଷ୍ଠିର ମହାପାତ୍ର, ସନ୍ତୋଷ କୁମାର ମହାନ୍ତି, ବିଷ୍ଣୁ ଚରଣ ପତିି, ରମେଶ ଚନ୍ଦ୍ର ମହାପାତ୍ର, ରାଜେନ୍ଦ୍ର କୁମାର ସାହୁ, ମୁରଲୀଧର ନାୟକ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର