ଶେଷ ହେଲା ‘ଅସୀମ ଉତ୍ସବ’‌ ମଞ୍ଚସ୍ଥ ହେଲା ‘ରେନାଲ କଲିକ’

ଭୁବନେଶ୍ବର: ଅନେକ କଳାର ସମାହାର ସନାତନ ବାବୁ। ସରଳତା, ସଚ୍ଚୋଟତା ଓ ସ୍ବ‌ାଭିମାନ ତାଙ୍କ ବ୍ୟକ୍ତିତ୍ବର ଭୂଷଣ। କଳାକାର ଜୀବନରେ ଦାରିଦ୍ର୍ୟ ଓ ଦୁର୍ଦ୍ଦିନକୁ ସେ ନୀଳକଣ୍ଠ ପରି ସହିଛନ୍ତି। ନିଜ ଜୀବନରେ ଘଟୁଥିବା ବିଡ଼ମ୍ବନାକୁ ସେ ହାଲ୍‌କା ଭାବେ ନେଇଛନ୍ତି। ନିଜକୁ ସମାଲୋଚନା କରିବାକୁ ବି ପଛାଇନାହାନ୍ତି। ଦିନେ କିନ୍ତୁ ହଠାତ୍‌ ତାଙ୍କ ପେଟରେ ଯନ୍ତ୍ରଣା ହୁଏ। ଜଣାପଡ଼େ ପେଟରେ ପଥର ହୋଇଯାଇଛି। ଯାହାକୁ ଡାକ୍ତରୀ ଭାଷାରେ ରେନାଲ କଲିକ ବୋଲି କୁହନ୍ତି। ଏହା ଶୁଣି ସୁଲୋଚନା ଦେବୀଙ୍କ ସବୁ ସ୍ବପ୍ନ ଭାଙ୍ଗିଯାଏ। ଏହିଭଳି ଏକ କଥାବସ୍ତୁକୁ ନେଇ ଆଜି ଭଂଜ କଳାମଣ୍ଡପରେ ମଂଚସ୍ଥ ହୋଇଥିଲା ନାଟକ ‘ରେନାଲ୍‌ କଲିକ୍‌’। ନାଟ୍ୟପୁରୁଷ ସ୍ବର୍ଗତ ଅସୀମ ବସୁଙ୍କ ଶ୍ରାଦ୍ଧ ଦିବସରେ ଅସୀମ ବସୁ ଫାଉଣ୍ଡେସନ୍‌ ପକ୍ଷରୁ ଆୟୋଜିତ ‘ଅସୀମ ଉତ୍ସବ’ରେ ମଞ୍ଚସ୍ଥ ଏହି ନାଟକର ମୂଳ ରଚୟିତା ଥିଲେ ଅସୀମ ବସୁ। ମୂଳ ଗଳ୍ପକୁ ନାଟ୍ୟ ରୂପ ଦେଇଥିଲେ ପ୍ରଶାନ୍ତ ମହାପାତ୍ର। ଶିବଶଙ୍କର ତ୍ରିପାଠୀ ନିର୍ଦ୍ଦେଶନା ଦେଇଥିବା ବେଳେ ମିରର୍ ଥିଏଟରର କଳାକାରମାନେ ପରିବେଷଣ କରିଥିଲେ। ବିଶିଷ୍ଟ କଥାକାର ଗୌରହରି ଦାସ, ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଓ କବି ସଂଗ୍ରାମ ଜେନା ପ୍ରାରମ୍ଭିକ ସଭାରେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫାଉଣ୍ଡେସନ୍‌ର ସଭାପତି ରାମହରି ଜେନା ଉପସ୍ଥିତ ଥିଲେ। ଦେବଦତ୍ତ ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର