ଭୁବନେଶ୍ବର: ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହେଉଥିଲା ଏକାମ୍ର ହାଟ ମୁକ୍ତ ମଞ୍ଚ। ଓଡ଼ିଆ ନବବର୍ଷ ଅବସରରେ ପଣାର ଆସର ବି ବେଶ୍‌ ଜମିଥିଲା। ଅବସର ଥିଲା ଓଡ଼ିଆ ମହୋତ୍ସବ ତଥା ଏହାର ମୁଖ୍ୟ ଆକର୍ଷଣ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଶେଷ ସଂଧ୍ୟା। ଓଡ଼ିଆ ନୂଆବର୍ଷ ଉପଲକ୍ଷେ ଓଡ଼ିଆଣୀମାନେ ପାରମ୍ପରିକ ପୋଷାକ ପରିଧାନ କରି ଓଡ଼ିଆ ପରମ୍ପରା ସଂପର୍କିତ ପ୍ରଶ୍ନର ଉତ୍ତର ଦେଉଥିଲେ। ପୁଣି ହୁଳହୁଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଆରା ପରମ୍ପରାର ଝଲକ ଦେଖାଉଥିଲେ। ଓଡ଼ିଆ ପରମ୍ପରା ସଂପର୍କିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଓ ହୁଳହୁଳି ପ୍ରତିଯୋଗିତାର ବିଚାରକ ଭାବେ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ଚିନ୍ତାମଣି ବିଶ୍ବାଳ ଏବଂ ପ୍ରଫେସର ସନ୍ତୋଷ ତ୍ରିପାଠୀ ଯୋଗ ଦେଇଥିଲେ।

Advertisment

ଚଳିତ ବର୍ଷ ପାଇଁ ଇଣ୍ଟରନେଟରେ ଓଡ଼ିଆ ଭାଷାର ପ୍ରଚଳନ ଓ ଅନୁବାଦ ପାଇଁ ଉଦ୍ୟମରତ ଦେବାଶିଷ ପାତ୍ର, ପଶ୍ଚିମ ଓଡ଼ିଶାରେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ଉଦ୍ୟମରତ ସମ୍ବଲପୁରର ଅବସରପ୍ରାପ୍ତ ପ୍ରଫେସର ଦ୍ୱାରିକା ନାଥ ନାୟକ ଓ ନୃତ୍ୟ ଅନୁଷ୍ଠାନରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ପାଇଁ ଭୁବନେଶ୍ୱରର ‘ନୃତ୍ୟ ମନ୍ଦିର’କୁ ‘ଓଡ଼ିଆ ମହୋତ୍ସବ ସମ୍ମାନ’ରେ ସମ୍ମାନିତ କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ସାହିତ୍ୟିକ ଦାଶ ବେନହୁର ଏବଂ ‘ଦିନଲିପି’ର ସମ୍ପାଦିକା ଅନ୍ନପୂର୍ଣ୍ଣା ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଏଥିରେ ଉପସ୍ଥିତ ଥିଲେ। ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂପାଦକ ଦେବପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ ସହ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ସତ୍ୟ ସାର୍ଥକ ମହାପାତ୍ର, ଋତିକା ରିମ୍‌ଝିମ୍‌, ଇପ୍‌ସିତା ମହାନ୍ତି, ପୂଣ୍ୟତା ଦାଶ, ଶାଶ୍ବତ ଦାଶ, ଶାଶ୍ବତୀ ନାରାୟଣୀ ଆଚାର୍ଯ୍ୟ ଓ ଆହ୍ବାନ ନାୟକ ପ୍ରମୁଖ ସଙ୍ଗୀତରେ ମନ୍ତ୍ରମୁଗ୍ଧ କରିଥିଲେ। ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଫଳାଫଳ ଘୋଷଣା ଓ ଶ୍ରେଷ୍ଠ ଓଡ଼ିଆଣୀ ସମ୍ବର୍ଦ୍ଧନା ଉତ୍ସବ ମଧୁ ଜୟନ୍ତୀର ପୂର୍ବ ସଂଧ୍ୟା ଅପ୍ରେଲ-୨୭ରେ ଜୟଦେବ ଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ଘୋଷଣା କରାଯାଇଥିଲା।