ସରିଲା ‘ସମର୍ପଣ’: ଭଜନ ସାଙ୍ଗକୁ ସୁଫି କୱାଲି

ଭୁବନେଶ୍ବର: ଭୁବନେଶ୍ବର ମ୍ୟୁଜିକ୍‌ ସର୍କଲ୍ ଦ୍ବାରା ଆୟୋଜିତ ସୁଫି ଓ ଭକ୍ତି ସଂଗୀତର ଆଜି ଥିଲା ଉଦ୍‌ଯାପନୀ ସନ୍ଧ୍ୟା। ସଂଗୀତ କାର୍ଯ୍ୟକ୍ରମରେ ସନ୍ଥକବି ଭୀମଭୋଇଙ୍କ ରଚିତ ଭାବର ସଂଗୀତ ଝରି ଆସିଥିଲା। ନିରତେ ଭଜ ତରିବ ଭବ ସାଗରୁ.., ଚାଲନ୍ତି ଶୂନ୍ୟ ଶବଦ ଅନୁମାନ.., ମନରେ ହରି ଭଜନ ଛାଡ଼.., ଲତା ବନେ ବୁଲି ଦେଖ.., ରେ ମନୁଆ ଦି’ଦିନ ଦୁନିଆ.., ରୂପ ରେଖ ନାହିଁ ଏ ଶୂନ୍ୟ ଦେହି.. ଓ ବ୍ରହ୍ମ ପରକାଶ.. ଭଳି ଲୋକପ୍ରିୟ ଗୀତରେ ଆଜି ଭକ୍ତିଭାବରେ ବୁଡ଼ିଥିଲେ ଦର୍ଶକ। ଗୀତଗୁଡ଼ିକୁ ଗାଇ ଶୁଣାଇଥିଲେ ନିମାକାନ୍ତ ରାଉତରାୟ, ଅନୁଜା ତାରିଣୀ ମିଶ୍ର, ସୋନାଲି ମହାପାତ୍ର ଏବଂ ଡ. ମୃତ୍ୟୁଞ୍ଜୟ ରଥ। ଅଜୟ ଚୌଧୁରୀ, ଶରତ ପାଣି, ବୁଦ୍ଧନାଥ ସ୍ବାଇଁ, ନରେନ୍ଦ୍ର କୁମାର ମହାପାତ୍ର ଏବଂ ଏମ୍‌ ସୀମାଦ୍ରି ସଂଗୀତରେ ସହଯୋଗ କରିଥିଲେ। ପରେ ୭ଶହ ବର୍ଷ ଧରି ସୁଫି ସଂଗୀତର ବିଶେଷ ଅଙ୍ଗ ଭାବେ ପରିଚିତ କୱାଲି ପରିବେଷିତ ହୋଇଥିଲା। ନୂଆଦିଲ୍ଲୀର ଜନାବ୍‌ ନୱାଜ ସାବରି ଓ ସାଥୀମାନେ ସୁଫି କୱାଲି ପରିବେଷଣ କରିଥିଲେ। କୱାଲିକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାରରେ ସାବରିଙ୍କର ଅନେକ ଯୋଗଦାନ ଥିବା ବେଳେ ଆଜି ତାଙ୍କ କୱାଲି ଏକ ନିଆରା ଅନୁଭବ ଦେଇଥିଲା। ମହମ୍ମଦ ଅଜହର, ଜନାବ୍ ୱାସିମ୍‌, ମହମ୍ମଦ ଉମର ଦରାଜ୍‌, ଜନାବ୍‌ ଚାନ୍ଦ୍‌, ଜନାବ୍‌ ଅମଜାଦ୍‌ ପ୍ରମୁଖ ସୁଫି କୱାଲି ଭେଟି ଦେଇଥିଲେ। ଏହି ଅବସରରେ ପୂର୍ବତନ ପ୍ରଶାସକ ସଂଜୀବ ହୋତା, ପୂର୍ବତନ ପୁଲିସ୍‌ ପ୍ରଶାସକ ବିପିନ ବିହାରୀ ମିଶ୍ର ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଅନୁଷ୍ଠାନର ସଭାପତି ଅରବିନ୍ଦ ବେହେରା ଏବଂ ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ଉପସ୍ଥିତ ଥିଲେ। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର