ସରିଲା ତୋଷାଳି ମେଳା: ବୁଲିଲେ ୨୧ଲକ୍ଷ ଲୋକ, ବ୍ୟବସାୟ ୨୦ କୋଟି

ଭୁବନେଶ୍ବର: ଶେଷ ହୋଇଛି ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ଜନତା ମଇଦାନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ୧୭ ଦିନ ଧରି ଆୟୋଜିତ ଏହି ମେଳାରେ ବିଗତ ବର୍ଷ ଅପେକ୍ଷା ଅଧିକ ବ୍ୟବସାୟ ହୋଇଛି। ସମୁଦାୟ ୨୦ କୋଟି ୮୨ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ ହସ୍ତଶିଳ୍ପ ବ୍ୟବସାୟ ୯କୋଟି ୨୩ ଲକ୍ଷ, ହସ୍ତତନ୍ତ ବ୍ୟବସାୟ ୮କୋଟି ୩୧ ଲକ୍ଷ ଏବଂ ଫୁଡ୍‌ କୋର୍ଟରେ ୩କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି। ଉଦ୍‌ଯାପନୀ ଉତ୍ସବରେ ‘ନାଲ୍‌କୋ’ର ସିଏମ୍‌ଡି ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଶୁଭା ଶର୍ମା, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନର ସଭ୍ୟ ସଚିବ ଶିତିକାନ୍ତ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ସମାଜସେବୀ ଶ୍ରୁତି ମହାପାତ୍ରଙ୍କ ଦ୍ବାରା ଗଠିତ ‘ସ୍ବାଭିମାନ’ ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ରାଇଜିଂ ଷ୍ଟାର୍‌ ଫେମ୍‌ ଶଶାଙ୍କ ଶେଖର ଓ ସାଥୀମାନେ ସଂଗୀତ ପରିବେଷଣ କରିଥିଲେ। ଚଳିତ ବର୍ଷ ଏହି ମେଳାରେ ୨୫ଟି ରାଜ୍ୟରୁ ୩୫୦ରୁ ଅଧିକ ବୁଣାକାର ଓ କାରିଗର ଅଂଶଗ୍ରହଣ କରିଥିଲେ। ମୋଟ୍‌ ୩୮୦ ଟି ଷ୍ଟଲ୍‌ ହୋଇଥିଲା। ଏହି ମେଳାକୁ ୨୧ଲକ୍ଷ ୩୭ହଜାର ଜନସାଧାରଣ ପରିଦର୍ଶନ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର