ସରିଲା କଳିଙ୍ଗ ନାଟ୍ୟ ମହୋତ୍ସବ: ଅପରାଧକୁ ସାମ୍ନା

ଭୁବନେଶ୍ବର: ସାମ୍ନାରେ ଅପରାଧ ଘଟିଲେ ପ୍ରତିବାଦ କରିବାକୁ ମନ ଲୋଡ଼େ। ମାତ୍ର ଭୟ, ଆଶଙ୍କା, ପରିସ୍ଥିତି ବେଳେବେଳେ ଅପରାଧକୁ ଦେଖି ଚୁପ୍‌ ରହିବାକୁ ବାଧ୍ୟ କରେ। ମାତ୍ର କିଛି ସଚ୍ଚୋଟ ମଣିଷ ଅପରାଧକୁ ଦେଖି ଚୁପ୍‌ ବସି ପାରନ୍ତି ନାହିଁ। ଫଳରେ ଅପରାଧୀ ଉଚିତ୍‌ ଦଣ୍ଡ ପାଏ। ଏହିଭଳି ଏକ କଥାବସ୍ତୁକୁ ନେଇ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଂଚସ୍ଥ ହୋଇଥିଲା ହିନ୍ଦୀ ନାଟକ ‘ଅପରାଧ’। ବିଶିଷ୍ଟ ଓଡ଼ିଆ କଥାକାର ଗୌରହରି ଦାସଙ୍କ ମୂଳ ରଚିତ ନାଟକକୁ ଅନୁବାଦ ସହ ନିର୍ଦେଶନା ଦେଇଥିଲେ ଅରୁଣ କୁମାର ମଲ୍ଲିକ। ‘ଶତାବ୍ଦୀର କଳାକାର’ ନାଟ୍ୟାନୁଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ବହୁଭାଷୀ କଳିଙ୍ଗ ନାଟ୍ୟ ମହୋତ୍ସବର ଶେଷ ସନ୍ଧ୍ୟାରେ ଏହି ନାଟକ ପରିବେଷଣ କରିଥିଲେ ନୂଆଦିଲ୍ଲୀର ଆନନ୍ଦ ଥିଏଟର ଗ୍ରୁପ୍‌ର କଳାକାରବୃନ୍ଦ। ସାଧାରଣତଃ କଳାକାରମାନେ ମଂଚ ଉପରେ ଅଭିନୟ କରନ୍ତି। ମାତ୍ର ଆଜି ମଞ୍ଚ ସମ୍ମୁଖରୁ ଦର୍ଶକଙ୍କ ଭିତରେ ଜଣେ ବ୍ୟକ୍ତିକୁ ଦୁଇଜଣ ଆକ୍ରମଣ କରିବାର ଦୃଶ୍ୟ ଏବଂ ବିକଟାଳ ସ୍ବର ଶୁଣି ଅନେକ ଭୟ ପାଇ ଯାଇଥିଲେ। ମାତ୍ର ଏହିଭଳି ଏକ ଦୃଶ୍ୟକୁ ନିଆରା ଢଙ୍ଗରେ ମଞ୍ଚ ଉପର ପର୍ଯ୍ୟନ୍ତ ଟାଣିବା ଦର୍ଶକଙ୍କୁ ନିଆରା ଅନୁଭବ ଦେଇଥିଲା। ଶୁଭଶ୍ରୀ, ଅନିଲ୍‌, ଅମନ, ଶିବ, ଦୀପାନନ୍ଦ, ସୁମିତ୍‌, ଅମିତାଭ, ନିତିଶ, ଅଙ୍କିତା, ଅକ୍ଷୟ, ଚିତ୍ତରଂଜନ, ଅଙ୍କିତା, ସମ୍ବିତ, ଯୋଗେଶ, ଅଭିଜିତ, ନିଖିଲ୍‌, ସୌରଭ, ଦିଲ୍ଲୀପ ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ‘ଅଲେଖ ସମ୍ମାନ’ ପ୍ରଦାନ କରାଯାଇଥିଲା। ଶତାବ୍ଦୀର କଳାକାର ନାଟ୍ୟାନୁଷ୍ଠାନର ବରିଷ୍ଠ ସଦସ୍ୟ ହରିହର ସେଠୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଅଭିନେତ୍ରୀ ଧରିତ୍ରୀ ଖଣ୍ଡୁଆଳ ଏବଂ ସାମ୍ବାଦିକା ଯୋଗମାୟା ମିଶ୍ରଙ୍କୁ ଶତାବ୍ଦୀର କଳାକାର ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ନାଟ୍ୟାନୁଷ୍ଠାନର ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଶେଷ ସନ୍ଧ୍ୟା‌ରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଭାଗୀୟ ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ନ୍ୟାସ୍‌ନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାର କୁଳସଚିବ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ନାଟ୍ୟାନୁଷ୍ଠାନର ସଭାପତି ଗୌରହରି ଦାସ ଏବଂ ସାଧାରଣ ସମ୍ପାଦକ ଧୀରେନ୍ଦ୍ରନାଥ ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର