କଟକ ରୋଡ୍‌-ମାଷ୍ଟରକ୍ୟାଣ୍ଟିନକୁ ସଂଯୋଗ କରିବ କନକୋର୍ସ

ଦୁଇ ପର୍ଯ୍ୟାୟରେ ନିର୍ମାଣ ହେବ ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌

ଭୁବନେଶ୍ୱର,: ରେଳ ଷ୍ଟେସନ ମଲ୍ଟି ମୋଡାଲ୍‌ ହବ୍‌ ପାଇଁ ବିଡିଏ ଏବଂ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇ ନଥିଲେ ହେଁ ଏହାର ରୂପରେଖ ପ୍ରସ୍ତୁତ ହୋଇଛି। ସାଧାରଣ ପ୍ରଶାସନ ବିଭାଗ, ବିଡିଏ ଏବଂ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ଏଥିପାଇଁ ଓଡ଼ିଶା ସରକାର ଖର୍ଚ୍ଚ ବହନ କରିବେ। ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ ଦୁଇଟି ପର୍ଯ୍ୟାୟରେ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରେଳ ଷ୍ଟେସନରେ ନୂଆ ରେଳ ଷ୍ଟେସନ ବିଲଡିଂ ନିର୍ମାଣ ହେବ। ଏହା ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ୱରେ ହେବ। କିନ୍ତୁ ଏହି ପ୍ରକଳ୍ପର ମୁଖ୍ୟ ଆକର୍ଷଣ ସାଜିବ ରେଳ ଷ୍ଟେସନର ଉଭୟ ପାର୍ଶ୍ୱକୁ ସଂଯୋଗୀକରଣ। ଏଥିପାଇଁ ସ୍ୱତନ୍ତ୍ର ଡିଜାଇନ୍‌ର ବ୍ରିଜ୍‌ ବା ଓସାରିଆ କନକୋର୍ସ ନିର୍ମାଣ ହେବ। ଏହି କନକୋର୍ସ ଦେଇ ଯାତ୍ରୀମାନେ ସହଜରେ ମାଷ୍ଟରକ୍ୟାଣ୍ଟିନ୍‌ ପାର୍ଶ୍ୱରୁ ପୁରୁଣା ଷ୍ଟେସନ ବଜାର (କଟକ ରୋଡ ପାର୍ଶ୍ୱ ଷ୍ଟେସନକୁ) ଯାଇପାରିବେ। ଏଥିରୁ ବିଭିନ୍ନ ପ୍ଲାଟଫର୍ମକୁ ବି ସହଜରେ ଯାଇପାରିବେ। ଏହା ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ ହେବ। ରେଳ ଷ୍ଟେସନ ମଲ୍ଟି ମୋଡାଲ ହବ୍‌ ପାଇଁ ଖୁବ୍‌ ଶୀଘ୍ର ଚୁକ୍ତି ସ୍ୱାକ୍ଷର ହେବାକୁ ଥିବାବେଳେ ଏହି ପ୍ରକଳ୍ପ କିପରି ଶୀଘ୍ର ଶେଷ ହେବ ସେନେଇ ସମୀକ୍ଷା ହୋଇଛି। ରେଳ ଲାଇନ୍‌ ଉପର ଦେଇ କୌଣସି ନିର୍ମାଣ କାର୍ଯ୍ୟ ହେଲେ ଏଥିପାଇଁ ରେଳ ବୋର୍ଡର ଅନୁମତି ଆଣିବାର ନିୟମ ଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ କନକୋର୍ସ ପାଇଁ ଅନୁମତି ମଗାଯିବ। ଏହି କନକୋର୍ସରେ ବିଭିନ୍ନ ପ୍ରକାରର ଷ୍ଟଲ୍‌, ଫୁଡ୍‌ ପ୍ଲାଜା ଓ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ସୁଯୋଗ ରହିବ। ଏହାର ଉପରେ ଛାତ ରହିବ। ଏହା ବିମାନବନ୍ଦରର ଟର୍ମିନାଲ ବିଲଡିଂ ପରି ଦେଖାଯିବ। ଏହି ପ୍ରକଳ୍ପ ଆସନ୍ତା ୩ବର୍ଷରେ ଶେଷ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ସମୟରେ ଯେପରି ଯାତ୍ରୀଙ୍କ ଯାତାୟତ ଓ ରେଳ ଷ୍ଟେସନକୁ ଗାଡ଼ି ଆସିବାରେ କୌଣସି ସମସ୍ୟା ନ ଉପୁଜେ ସେଥିପ୍ରତି ଧ୍ୟାନ ଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ଯାତ୍ରୀ ଓ ରେଳପଥ କର୍ତ୍ତୃପକ୍ଷଙ୍କୁ ଯେଉଁ ସୁବିଧା ସୁଯୋଗ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ତାହାକୁ ପ୍ରଥମ ପର୍ଯ୍ୟାୟରେ ଶେଷ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର