ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଜିଏସ୍‌ଟି ପରିସରଭୁକ୍ତ କରାଯାଉ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧିକୁ ବିରୋଧ କରି ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ କରାଯାଇଛି। ପେଟ୍ରୋଲ ଓ ଡିଜେଲ୍‌କୁ ଜିଏସଟି ପରିସରଭୁକ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ରାଜ୍ୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲେ। କର୍ମୀମାନେ ଅଭିନବ ଉପାୟରେ ଦୁଇଟି ଟ୍ରଲିରେ ବାଇକ୍‌ ଲଦିବା ସହ ଏକ ବୋଲେରୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ରଖି ବୋଲେରୋକୁ ରଶି ସାହାଯ୍ୟରେ ଟାଣି ଟାଣି ମାଷ୍ଟରକ୍ୟାଣ୍ଟିନ୍‌ ଛକ ପର୍ଯ୍ୟନ୍ତ ନେଇଥିଲେ। ପରେ ସେଠାରେ କୁଶପୁତ୍ତଳିକାକୁ ଦାହ କରିଥିଲେ। ସେଠାରେ ଆୟୋଜିତ ଏକ ସଭାରେ କୁହାଯାଇଥିଲା ଯେ କେନ୍ଦ୍ର ସରକାର ଆଚ୍ଛେ ଦିନ ନାଁରେ ଲୋକମାନଙ୍କୁ ଭୂଆଁ ବୁଲାଇ ଚାଲିଛନ୍ତି। ଲୋକଙ୍କ ଭାବାବେଗ ସହ ବିଶ୍ୱାସଘାତକତା କରୁଛନ୍ତି। ତୈଳ ଦର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରାକର ନିୟନ୍ତ୍ରଣ ହରାଇଛନ୍ତି। ତୈଳଦର ହ୍ରାସ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କେବଳ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍‌କୁ ଜିଏଟି ପରିସରକୁ ଆଣୁ ନାହାନ୍ତି। କେବଳ ଲୋକଦେଖାଣିଆ ଭାବେ ପରସ୍ପର ମଧ୍ୟରେ ଆରୋପ ପ୍ରତ୍ୟାରୋପ କରି ଚାଲିଛନ୍ତି। ଯଦି ପେଟ୍ରୋଲ ଓ ଡିଜେଲ୍‌ ଦର ତୁରନ୍ତ କମା ନ ଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଏହି ବିକ୍ଷୋଭରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଜିଲ୍ଲା ସଭାପତି ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ବାପି ସାର୍ଖେଲ, ଯୁବନେତା ମନୋଜ ବିଶ୍ୱାଳ, କିରଣ ସାହୁ, ଇତିଶ ପ୍ରଧାନଙ୍କ ସମେତ ବହୁକର୍ମୀ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର