ଜନଔଷଧୀ କେନ୍ଦ୍ର, ଥରକୁ ଥର ନାଁ ବଦଳୁଛି, ଔଷଧ ମିଳୁନି

ଭୁବନେଶ୍ବର: ଲୋକମାନଙ୍କୁ କମ୍ ଦାମ୍‌ରେ ଜେନେରିକ ଔଷଧ ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଜନୌଷଧୀ କେନ୍ଦ୍ର ଖୋଲା ଯାଇଥିଲା। ରେଡକ୍ରସ ସୋସାଇଟି ସହାୟତାରେ ୨୦୧୦ ମସିହାରେ ରାଜ୍ୟରେ ଏହି କେନ୍ଦ୍ର ଖୋଲିଥିଲା। ମାତ୍ର ଏବେ ଜନୌଷଧୀ କେନ୍ଦ୍ରରେ ସାଧାରଣ ଔଷଧ ମଧ୍ୟ ମିଳୁନାହିଁ। ଥରକୁ ଥର ଏହାର ନାମ ବଦଳୁଛି, ‌େହଲେ ଔଷଧ ସଂଖ୍ୟା ବଢ଼ୁନାହିଁ। ଏପରିକି କିଛି ଜିଲ୍ଲାରେ ଜନୌଷଧୀ କେନ୍ଦ୍ର ମଧ୍ୟ ବନ୍ଦ ହୋଇଗଲାଣି। ୨୦୧୦ରେ ରାଜଧାନୀରେ ଭାରତୀୟ ରେଡକ୍ରସ ସୋସାଇଟି ସହାୟତାରେ ରେଡକ୍ରସ୍ ଭବନ, କ୍ୟାପିଟାଲ ହସ୍ପିଟାଲ ଓ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହି କେନ୍ଦ୍ର ଖୋଲିଥିଲା। ପରବର୍ତୀ ସମୟରେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ସମୁଦାୟ ୨୨ଟି କେନ୍ଦ୍ର ଖୋଲିଥିଲା। ମାତ୍ର ଏବେ ରେଡକ୍ରସ ଅଧୀନରେ ଥିବା ୩ଟି କେନ୍ଦ୍ର ‌ବନ୍ଦ ହୋଇଯାଇଛି। ୨୦୧୫ ମସିହାରେ ଜନୌଷଧୀ କେନ୍ଦ୍ରର ନାଁ ବଦଳାଯାଇ ପ୍ରଧାନମନ୍ତ୍ରୀ ଜନୌଷଧୀ ଯୋଜନା ରଖାଯାଇଥିଲା। ଲୋକଙ୍କୁ ଜେନେରିକ୍ ସହିତ କମ୍ ଦାମରେ ଔଷଧ ଯୋଗାଇବା ଥିଲା ଏହାର ଉଦ୍ଦେଶ୍ୟ। ୨୦୧୬ ମସିହାରେ ପୁଣିଥରେ ଏହାର ନାଁ ବଦଳି ହୋଇଥିଲା ପ୍ରଧାନମନ୍ତ୍ରୀ ଜନୌଷଧୀ ଭାରତୀୟ ପରିଯୋଜନା ବା ପିଏମ୍‌ବିଜେପି, ଯାହାକି ଫାର୍ମାସ୍ୟୁଟିକାଲ ମନ୍ତ୍ରାଳୟ ଅଧୀନରେ ରହିଛି। ଏବେ ଜନୌଷଧୀ କେନ୍ଦ୍ରରେ ୭ଶହ ପ୍ରକାରର ଔଷଧ ଓ ୧୫୪ ପ୍ରକାରର ସର୍ଜିକାଲ ଆଇଟମ୍ ଉପଲବ୍ଧ ହେବ ବୋଲି ଏହାର ୱେବସାଇଟ୍‌ରେ ଉଲ୍ଲେଖ ରହିଛି। ମାତ୍ର ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଅଲଗା। ରେଡକ୍ରସ ଭବନ ପରିସରରେ ଥିବା ଜନୌଷଧୀ କେନ୍ଦ୍ରରେ ସର୍ବାଧିକ ୨୦୦-୨୩୦ ପ୍ରକାରର ଔଷଧ ମିଳୁଥିବା କୁହାଯାଉଛି। ପ୍ରକୃତରେ ଏହାଠାରୁ କମ୍ ସଂଖ୍ୟକ ଔଷଧ ଲୋକଙ୍କ ପାଇଁ ଉପଲବ୍ଧ ହେଉଛି। ସେହିପରି କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ଜନୌଷଧୀ କେନ୍ଦ୍ରରେ ସର୍ବାଧିକ ୧୫୦ ପ୍ରକାରର ଔଷଧ ମିଳୁଛି। ହସ୍ପିଟାଲ ପରିସରରେ ଏହି କେନ୍ଦ୍ରର ଅଧିକା ଚାହିଦା ରହିଥିଲେ ହେଁ ନିୟମିତ ଷ୍ଟକ୍ ଆସୁନାହିଁ। ରୋଗୀ ଫେରି ଯାଉଛନ୍ତି। ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଆବଶ୍ୟକ ଔଷଧ ମିଳୁ ନ ଥିବାରୁ ଲୋକମାନେ ଘରୋଇ ଔଷଧ ଦୋକାନ ଉପରେ ନିର୍ଭର କରୁଛନ୍ତି।

ଓଡ଼ିଶା ରେଡକ୍ରସ ସୋସାଇଟିର ଜଣେ ‌ଅଧିକାରୀଙ୍କ ସୂଚନା ଅନୁସାରେ, ଜନୌଷଧୀ ଆରମ୍ଭ ହେବା ସମୟରେ ରେଡକ୍ରସ ସୋସାଇଟିକୁ ଏହାର ନୋଡାଲ ଏଜେନ୍‌ସି ଭାବେ ଚୟନ କରାଯାଇଥିଲା। ପରବର୍ତୀ ସମୟରେ ବିଭିନ୍ନ କାରଣ ପାଇଁ ଏହି ଚୁକ୍ତି ସ୍ବାକ୍ଷର ହୋଇପାରିଲା ନାହିଁ। ଏଜେନ୍‌ସି ଜରିଆରେ ରାଜ୍ୟରେ ଏହି କେନ୍ଦ୍ର ଚାଲୁଛି। କ୍ୟାପିଟାଲ ହସ୍ପିଟାଲ ଓ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଜନୌଷଧୀ କେନ୍ଦ୍ର ଠିକ୍ ଭାବେ ଆବଶ୍ୟକ ଅର୍ଥ ଡିଷ୍ଟ୍ରିବ୍ୟୁଟରକୁ ପ୍ରଦାନ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ସଂପୃକ୍ତ ଡିଷ୍ଟ୍ରିବ୍ୟୁଟର୍‌ ଏହି ଦୁଇ କେନ୍ଦ୍ର ସମେତ ରେଡକ୍ରସ ଭବନ ପରିସରରେ ଥିବା କେନ୍ଦ୍ରକୁ ମଧ୍ୟ ଔଷଧ ଯୋଗାଇବାରେ ଅବହେଳା କରିଥିଲା। ଯାହାକୁ ନେଇ କିଛି ମାସ ପାଇଁ ରେଡକ୍ରସ କେନ୍ଦ୍ର ପରିସରରେ ଥିବା କେନ୍ଦ୍ରରେ ଔଷଧର ଅଭାବ ଦେଖା ଦେଇଥିଲା। ମାତ୍ର ଏବେ ରେଡକ୍ରସ ସୋ‌ସାଇଟି ପକ୍ଷରୁ ରେଡକ୍ରସ ଭବନରେ ଥିବା ଜନୌଷଧୀ କେନ୍ଦ୍ର‌େର ଡିଷ୍ଟ୍ରିବ୍ୟୁଟର୍‌ ସହ ସିଧାସଳଖ ଦିଲ୍ଲୀରୁ ଔଷଧ କିଣାଯାଉଛି। ଫଳରେ ଔଷଧକୁ ନେଇ କେନ୍ଦ୍ରରେ ଯେଉଁ ଅଭାବ ରହିଥିଲା, ତାହା କିଛି ମାତ୍ରାରେ ପୂରଣ ହୋଇପାରିଛି। କେନ୍ଦ୍ରରେ ଇଞ୍ଜେକ୍‌ଟେବୁଲ ଆଇଟମ୍‌ ରଖିବା ପାଇଁ ଚିନ୍ତା କରାଯାଉଥିଲେ ହେଁ ଲୋକଙ୍କ ଚାହିଦାକୁ ଦେଖି ଏହାକୁ ଅଣାଯିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି। ରେଡକ୍ରସ୍‌ ଭବନ ପରିସରରେ ଥିବା କେନ୍ଦ୍ରକୁ ଔଷଧ ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ କହିବାନୁଯାୟୀ, ଏଠାରେ କମ୍ ଦାମରେ ଔଷଧ ମିଳୁଥିଲେ ହେଁ ନିୟମିତ ଔଷଧ ନ ଥିବାରୁ ବାହାର ଔଷଧ ଦୋକାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ନିୟମିତ ଔଷଧ ନ ଯୋଗାଇବା ପାଇଁ ଏକପ୍ରକାର ଚକ୍ରାନ୍ତ ହେଉଛି। ଜନୌଷଧୀର ନୋଡାଲ ଅଧିକାରୀ ଓମ୍‌ ପ୍ରକାଶ ବର୍ମାଙ୍କ କହିବାନୁଯାୟୀ, ଓଡ଼ିଶାରେ ଏବେ ୧୦୩ଟି ଜନୌଷଧୀ କେନ୍ଦ୍ର ଚାଲୁଛି। ଏବେ ପିଏମ୍‌ବିଜେପି ନାଁରେ ଚାଲୁଛି। କେନ୍ଦ୍ରରେ କେତେ ସଂଖ୍ୟକ ଔଷଧ ଉପଲବ୍ଧ ହେବା କଥା ତାହା ‌ଏହାର ୱେବସାଇଟ୍‌ରେ ଉଲ୍ଲେଖ ରହିଛି। ‌ୱେବସାଇଟ୍‌ରୁ ତଥ୍ୟ ନେଇପାରିବେ। ତେବେ ଜନୌଷଧୀ ‌କେନ୍ଦ୍ରରେ ଅଧିକ ସଂଖ୍ୟକ ଔଷଧ ଉପଲବ୍ଧ ହେବା ନେଇ କୌଣସି ଉତ୍ତର ଦେବାକୁ ମନା କରି ଦେଇଥିଲେ।

ସମ୍ବନ୍ଧିତ ଖବର