ପଦାର୍ଥ ବିଜ୍ଞାନ ସହ ବିଭିନ୍ନ ବିଷୟର ସମ୍ପର୍କ ରହିଛି

ବିଜେବି କଲେଜର ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ୱର : ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ‘ପଦାର୍ଥ ବିଜ୍ଞାନ ଏବଂ ଏହାର ପ୍ରୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା’ ବିଷୟରେ ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ର ଆଜି ଉଦ୍‌ଯାପିତ ହୋଇଯାଇଛି।

ଏଥିରେ ନ୍ୟାସନାଲ ଫିଜିକାଲ ଲାବୋରୋଟାରିର ପୂର୍ବତନ ନିର୍ଦେଶକ ଇଏସ୍‌ ରାଜ ଗୋପାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଭୂତି ଭୂଷଣ ଦେଓ ସ୍ମାରକୀ ବକ୍ତତା ପ୍ରଦାନ କରିଥିଲେ। ସେ କହିଥିଲେ, ପଦାର୍ଥ ବିଜ୍ଞାନ ସହ ଗଣିତ, ଇଂରାଜୀ, ରସାୟନ ବିଜ୍ଞାନ ବିଷୟରେ ଆନ୍ତଃ ସମ୍ପର୍କ ରହିଛି। ଏହି ସବୁ ବିଷୟ ପରସ୍ପର ସହ ଜଡ଼ିତ। ଏଥିସହିତ ଶ୍ରୀ ଗୋପାଳ ପଦାର୍ଥ ବିଜ୍ଞାନର ୪ଟି ରଙ୍ଗ ବିଷୟରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ବକ୍ତା ଭାବେ ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଫିଜିକ୍ସ ଟିଚର୍ସର ସାଧାରଣ ସମ୍ପାଦକ ପୂପତି ଚକ୍ରବର୍ତୀ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ଶର୍ମିଷ୍ଠା ସାହୁ ଓ ପ୍ରଫେସର ବିଜୟ ସୋନମ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍‌ଯାପନୀ ଦିବସରେ ବରିଷ୍ଠ ରେଳ ବିଭାଗ ଅଧିକାରୀ ପ୍ରଦୀପ୍ତ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଆମନ୍ତ୍ରିତ ବକ୍ତା ଭାବେ ନାଇଜର୍‌ର ପ୍ରଫେସର ଅଶୋକ ମହାପାତ୍ର, ଡ. ଶୁଭକାନ୍ତ ବେଦାନ୍ତ, ଡ. ପ୍ରତାପ କୁମାର ସାହୁ, ଏନ୍‌ଆଇଟିର ପ୍ରଫେସର ଶୁକଦେବ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ଆଲୋଚନାଚକ୍ର ଆବାହିକା ତଥା ବିଭାଗୀୟ ମୁଖ୍ୟ ଅରୁନ୍ଧତୀ ମିଶ୍ର ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସହ ଆବାହକ ପ୍ରଶାନ୍ତ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର