ଗ୍ୟାସ୍ ଷ୍ଟୋର୍ କିପର୍‌ଙ୍କୁ କରୋନା ଘଟଣା: ଗାଁ’ରୁ ବାହାରୁ ନ ଥିଲେ, ଆ‌କ୍ରାନ୍ତ ହେଲେ କେମିତି?

ଗାଁକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଘୋଷଣା

ଚନ୍ଦ୍ରଶେଖରପୁର: କଲ୍ୟାଣପୁର ପଞ୍ଚାୟତ କଳାଝରୀ ଓ ଓସ୍ତପଡ଼ା ଗ୍ରାମ ନିକଟରେ ଥିବା ଗ୍ୟାସ୍ ଷ୍ଟୋରର ଷ୍ଟୋର୍ କିପର୍‌ କରୋନା ଆକ୍ରାନ୍ତ ହେବା ପରେ ଆଜି ସମ୍ପୃକ୍ତ ଗାଁକୁ ପ୍ରଶାସନ ତରଫରୁ ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଗ୍ରାମକୁ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ୍ କରାଯାଇଛି। ନନ୍ଦନକାନନ ଥାନା ପକ୍ଷରୁ ଗ୍ରାମର ବିଭିନ୍ନ ପ୍ରବେଶ ପଥରେ ପାଟ୍ରୋଲିଂ କରାଯାଉଛି।

ଏହାସହ ଗ୍ୟାସ୍ ଗୋଦାମରେ କାମ କରୁଥିବା ସଂପୃକ୍ତ ଯୁବକଙ୍କ ସହ ସଂସ୍ପର୍ଶରେ ଆସିଥିବା ୭ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ସେମାନଙ୍କୁ ଗ୍ୟାସ୍ ଗୋଦାମ କାର୍ଯ୍ୟାଳୟ ନିକଟରେ ଥିବା ମେସ୍‌ରେ ସଙ୍ଗରୋଧରେ ରଖାଯାଇଛି। ଏହାସହ ଗାଁ ଭିତରେ ଲୋକମାନଙ୍କୁ ଏକାଠି ନ ହେବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି। ଅତି ଆବଶ୍ୟକ ପଡ଼ିଲେ ସ୍ଥାନୀୟ ସରପଞ୍ଚଙ୍କ ଅନୁମତି ନେଇ ସେମାନେ ବାହାରକୁ ଯାଇ ପାରିବେ ବୋଲି କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ଥିବା ଲୋକମାନଙ୍କ ମଧ୍ୟରୁ ଯଦି କାହାର ସ୍ବାସ୍ଥ୍ୟ ଖରାପ ରହିଛି ସେମାନେ ଏହାକୁ ନ ଲୁଚାଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଗେଇ ଆସିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସଂକ୍ରମିତ ଯୁବକ ଜଣକ ଗତ ୩ ମାସ ଧରି ଗାଁରୁ ବାହାରକୁ ଯାଇ ନାହାନ୍ତି। ଷ୍ଟୋର୍‌ରେ ରହି ବିଭିନ୍ନ ଗ୍ରାହକମାନଙ୍କୁ ଗ୍ୟାସ୍ ଦେବାରେ ସହଯୋଗ କରିଥିଲେ। ଏଭଳି ପରିସ୍ଥିତିରେ ସେ କିଭଳି ସଂକ୍ରମିତ ହେଲେ ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଷ୍ଟୋରକୁ ଆସିଥିବା କୌଣସି ଗ୍ରାହକଙ୍କ ସଂସ୍ପର୍ଶରେ ଆସି ହୁଏତ ସେ ସଂକ୍ରମିତ ହୋଇପାରିଥାନ୍ତି ବୋଲି ଆଶଙ୍କା କରାଯାଉଛି। ଏପରିକି ସାବିତ୍ରୀ ବ୍ରତ ପୂର୍ବରୁ ଘରକୁ ଯିବାପାଇଁ ସେ ଇଚ୍ଛା କରିଥିଲେ। ମାତ୍ର ତାଙ୍କ ପରିବାର ଲୋକ ଗ୍ରାମକୁ ଆସିବା ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା କରି ଗାଁକୁ ଆସିବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକଙ୍କ ପରାମର୍ଶକ୍ରମେ ସେ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍ ଯାଇ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ରିପୋର୍ଟରେ ସେ ପଜିଟିଭ୍ ଥିବା ଜଣାପଡ଼ିଥିଲା।

ଯୁବକ ଜଣକ ପଜିଟିଭ୍ ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ସାମମଲ ଗ୍ରାମର ଲୋକମାନଙ୍କୁ ସଚେତନ/ସତର୍କ ହୋଇ ରହିବା ପାଇଁ ପରାମର୍ଶ ଦେବା ସହିତ ସରକାରୀ ନିୟମ ପାଳନ କରିବା ପାଇଁ କହିଛନ୍ତି। ସମ୍ପ୍ରତି ଗ୍ରାମକୁ ସିଲ୍ କରାଯିବା ଫଳରେ ସ୍ଥାନୀୟ କୃଷକ ଓ ଶ୍ରମିକ ଶ୍ରେଣୀ ଗରିବ ଲୋକମାନେ ସମସ୍ୟାରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଲୋକ ଆଜି ନିଜ ଠିକାଦାରଙ୍କ ନିକଟକୁ କାମ ପାଇଁ ଯାଉଥିବା ବେଳେ ସେମାନଙ୍କୁ ବାରଣ କରାଯାଇଥିଲା। ଫଳରେ ସେମାନେ କାମ ନ ପାଇ ଫେରି ଆସିଥିଲେ। କେବଳ ଶ୍ରମିକ ନୁହନ୍ତି ସ୍ଥାନୀୟ ଗାଁର ଚାଷୀମାନଙ୍କୁ ମଧ୍ୟ ଆଜି ସମାନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଭୋରରୁ ସେମାନେ ନିଜର ପନି ପରିବା ତୋଳି ହାଟକୁ ବିକ୍ରି କରିବା ପାଇଁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ହାଟୁଆ ଓ ଗ୍ରାହକମାନଙ୍କ ବିରୋଧର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସେମାନେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ସହ ସମାଧାନ ପାଇଁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର