କରୋନା ସହାୟତାରୁ ଦହିବରା, ଗୁପ୍‌ଚୁପ୍‌ ବେପାରୀ ବଞ୍ଚିତ : ସର୍ଭେ କେମିତି ହେଲା, କିଏ କଲା? ମାତ୍ର ୧୫ ଜଣ ପାଇଛନ୍ତି ୩ ହଜାର ଟଙ୍କାର ସହାୟତା

ଚନ୍ଦ୍ରଶେଖରପୁର : ଭୁବନେଶ୍ବରର ଗଳିକନ୍ଦିରେ ଦହିବରା ଆଳୁଦମ୍‌ ଦୋକାନ। ସ୍କୁଲ, କଲେଜ ନିକଟରେ ବି ଚାଲିଛି। ରାସ୍ତା ପାର୍ଶ୍ବର ପ୍ରତି ୨୦୦ ମିଟର ବ୍ୟବଧାନରେ ଗୋଟିଏ ଯୋଡ଼ିଏ ଦୋକାନୀଙ୍କୁ ବି ଦେଖିବାକୁ ମିଳୁଥାଏ। ‌ତେ‌ବେ ଏମାନଙ୍କ ସଂଖ୍ୟା‌ କେତେ ହେବ ତାହାର ଖବର କାହା ପାଖରେ ନାହିଁ। କାରଣ ଆଜି ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିକଟରେ ଏମାନଙ୍କ ଠିକ୍‌ ତଥ୍ୟ ନାହିଁ। ପରିଣାମ ସ୍ବରୂପ କରୋନା ସହାୟତାରୁ ବଞ୍ଚିତ ହେଉଛନ୍ତି ରାଜଧାନୀରେ ଜୀବନ ଯନ୍ତ୍ରଣାରେ ଦିନ କାଟୁଥିବା ହଜାର ହଜାର ଦହିବରା ଆଳୁଦମ୍‌ ଓ ଗୁପ୍‌ଚୁପ୍‌ ଦୋକାନୀ। କରୋନା କ୍ଷତିଗସ୍ତ ଭାବେ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବା ନେଇ ଘୋଷଣା ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ସବୁ ବ୍ୟବସାୟୀଙ୍କୁ ସହାୟତା ମିଳିପାରି ନାହିଁ।

ଭୁବନେଶ୍ବର ଦହିବରା ଆଳୁଦମ୍‌ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ କହିଛନ୍ତି ଯେ କ୍ୟାବିନ୍‌ ପକାଇ ବିକ୍ରି କରୁଥିବା ୧୦ରୁ ୧୫ ଜଣଙ୍କୁ ସହାୟତା ମିଳିଛି। ‌ଯେଉଁମାନେ ସକାଳୁ ବୁଲି ବୁଲି ବେପାର କରୁଛନ୍ତି ସେମାନଙ୍କୁ ସହାୟତା ଦିଆଯାଇ ନାହିଁ। ସହାୟତା ପାଇଁ ଯେତେବେଳେ ସର୍ଭେ କରାଯାଉଥିଲା ସେତେବେଳେ ଯେଉଁ ବେପାରୀମାନେ ସ୍ପଟ୍‌ରେ ଥିଲେ ସେମାନଙ୍କୁ ସହାୟତା ମିଳିଛି। ଯେଉଁମାନେ ପଳେଇ ଯାଇଥିଲେ ସେମାନେ ସହାୟତା ପାଇ ନ ଥିବା କୁହାଯାଉଛି। ଭୁବନେଶ୍ବର ଭିତରେ ବେପାର କରୁଥିବା ୧୧୦୦ରୁ ଅଧିକ ଦହିବରା ବେପାରୀଙ୍କୁ ଭଲ ଭାବେ ସର୍ଭେ କରାଯାଇ ସହାୟତା ଦିଆଯାଉ।

ସେପଟେ ଭୁବନେଶ୍ବର ଦହିବରା ଆଳୁଦମ୍‌, ଗୁପ୍‌ଚୁପ୍‌ ବୁଲା ବିକାଳି ସଂଘ ଅଭିଯୋଗ କରିଛନ୍ତି ଯେ ଏବେ ସୁଦ୍ଧା ମାତ୍ର ୭ ଜଣ ଦହିବରା ଆଳୁଦମ୍‌ ବିକାଳିଙ୍କୁ ୩ ହଜାର ଟଙ୍କାର ସହାୟତା ମିଳିଛି।

ସଂଘର ସଦସ୍ୟ ଗଣେଶ୍ବର ସାହୁଙ୍କ କହିବାନୁଯାୟୀ, ସରକାରଙ୍କ ଘୋଷଣା ପାଣିର ଗାର ସଦୃଶ ହୋଇଛି। ଯଦି ହିସାବକୁ ନିଆଯାଏ ରାଜଧାନୀରେ ୪ ହଜାରରୁ ଅଧିକ ଦହିବରା ଆଳୁଦମ୍‌, ଗୁପ୍‌ଚୁପ୍‌ ବ୍ୟବସାୟୀ ରହିଛନ୍ତି। ଏମାନେ ଉଠାଦୋକାନୀ ଭାବେ ରାସ୍ତାପାର୍ଶ୍ବରେ ବେପାର କରୁଥିଲେ ମଧ୍ୟ ସରକାରଙ୍କ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। କେଉଁ ଭଳି ଭାବେ ସର୍ଭେ କରାଗଲା ଓ କେଉଁ ଆଧାରରେ କ୍ଷତି ପୂରଣ ଦିଆଗଲା ତାହା ଆମେ ଜାଣିପାରିଲୁ ନାହିଁ। ସବୁବେଳେ ଆମ୍ଭ ମାନଙ୍କୁ ଅଣଦେଖା କରାଯାଉଛି। ପୂର୍ବରୁ ବାତ୍ୟା ଫନି ସମୟରେ ବି ଏଭଳି ଅଣଦେଖା କରାଯାଇ ଥିଲା। ଏବେ ବି ସମାନ ଅବସ୍ଥା।

ଦହିବରା ଆଳୁଦମ୍‌ ବ୍ୟବସାୟୀ ମନୋଜ କୁମାରଙ୍କ କହିବାନୁଯାୟୀ, ଦୁଇ ମାସ ହେଲା ବେପାର ବନ୍ଦ ହୋଇଗଲାଣି। ଯାହା ରୋଜଗାର କରି ସଞ୍ଚୟ କରିଥିଲୁ ତାହା ଇତି ମଧ୍ୟରେ ଶେଷ ହୋଇଛି। ସବୁ ଦୋକାନ ଖୋଲିବା ଲାଗି ଅନୁମତି ଦିଆଯାଇଥିଲେ ମଧ୍ୟ ଆମମାନଙ୍କ ପାଇଁ କଟକଣା କୋହଳ କରାଯାଇ ନାହିଁ। କିଛି ବ୍ୟବସାୟୀ ବିକ୍ରି କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଭୟ ରହୁଛି। ଯଦି ଅନ୍ୟ ଦୋକାନଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରି ଖୋଲିବାକୁ ଅନୁମତି ମିଳୁଛି, ତେବେ ଆମକୁ ବି ସେଭଳି ଅନୁମତି ଦିଆଯାଉ। ଦହିବରା ବ୍ୟବସାୟୀମାନେ ବି ସାମାଜିକ ଦୂରତା ରକ୍ଷା କରି ଗ୍ରାହକଙ୍କୁ ଖାଦ୍ୟ ଯୋଗାଇ ଦେବେ।

ସମ୍ବନ୍ଧିତ ଖବର