ଆଉ ନିସ୍ତାର ନାହିଁ : ଏଣିକି ଗିରଫ ହେବେ ଆଇନ ଉଲ୍ଲଂଘନକାରୀ

ମହାମାରୀ, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ, କାର୍ଯ୍ୟରେ ଖିଲାପ କଲେ ସରକାରୀ ଅଧିକାରୀଙ୍କୁ ବି ମିଳିବ ଦଣ୍ଡ

ଭୁବନେଶ୍ବର : ସାରା ରାଜ୍ୟରେ ଲକ୍ ଡାଉନ୍ ଚାଲିଥିବା ବେଳେ ବିନା କାମରେ ରାଜରାସ୍ତାକୁ ଆସି ଆଇନ ଉଲ୍ଲଂଘନ କରି ଚାଲିଛନ୍ତି ଜନସାଧାରଣ। କେବଳ ଆଇନ ଉଲ୍ଲଂଘନ କରୁନାହାନ୍ତି, କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ହଇରାଣ ହରକତ କରୁଛନ୍ତି। ବାରମ୍ବାର ସଚେତନତା ପରେ ବି ଚେତୁ ନାହାନ୍ତି ଅମାନିଆ ଯୁବକ। ପୁଲିସ ତିନି ଦିନ ଧରି ସଚେତନ କରି ଚାଲିଛି। ବେପରୁଆ ହେଲେ ସ୍ଥିତି ବିଗିଡ଼ି ଯିବ ବୋଲି ପୁଲିସ, ପ୍ରଶାସନ ବାରମ୍ବାର ଅନୁରୋଧ କରି ଚାଲିଛନ୍ତି। କିନ୍ତୁ କେତେକ ବ୍ୟକ୍ତି, ବିଶେଷ କରି ଯୁବ ବର୍ଗ ଖାମଖିଆଲ ହୋଇ ଚାଲିଛନ୍ତି। କେତେକ ଜାଗାରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି। ଆଉ କେତେକ ସ୍ଥାନରେ ଯୁବକମାନଙ୍କୁ ବସ୍ ଉଠ୍ ହେବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। କାରଣ ପଚାରିଲେ ଏୟାରପୋର୍ଟ, ରେଳ ଷ୍ଟେସନ ବୁଲି ଆସିଥିଲୁ ବୋଲି ପୁଲିସକୁ ଉତ୍ତର ଦେଇଥିଲେ। କିନ୍ତୁ ଆଉ ନିସ୍ତାର ମିଳିବ ନାହିଁ। ଏଥର କଡା଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ। ଟ୍ବିଟର୍ ଆକାଉଣ୍ଟରେ ବି ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇଛି ଓଡ଼ିଶା ପୁଲିସ।

ଜନତା କର୍ଫ୍ୟୁ ଓ ତିନି ଦିନର ଲକ୍ ଡାଉନ୍ ସମୟରେ ଜନସାଧାରଣଙ୍କୁ ବାରମ୍ବାର ବୁଝାଇ ଚାଲିଛି ପୁଲିସ। ଘରୁ ନ ବାହାରି ଲକ୍ ଡାଉନ୍ ସମୟରେ ସାମାଜିକ ଦୂରତ୍ବ ରଖିବା ପାଇଁ ଗଣମାଧ୍ୟମ, ସୋସିଆଲ୍ ମିଡିଆ ଜରିଆରେ ପୁଲିସ ବାରମ୍ବାର ଅନୁରୋଧ କରିବା ପରେ ଏଥର ସିଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣାପଡ଼ିଛି। ଯେଉଁମାନେ ବିନା କାମରେ ବୁଲୁଛନ୍ତି ସେମାନଙ୍କୁ ଗିରଫ କରିବା ସହ ଗାଡ଼ି ମଧ୍ୟ ଜବତ କରିବାର ପୁଲିସ ପାଖରେ କ୍ଷମତା ରହିଛି।

ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକଙ୍କ ମତରେ ୧୨୩ ବର୍ଷ ତଳର ମହାମାରୀ ଆଇନ ଓ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ପୁଲିସ ପାଖରେ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯଥେଷ୍ଟ କ୍ଷମତା ରହିଛି। ଆଇପିସିର ଦଫା-୧୮୮, ୨୬୯, ୨୭୦, ୨୭୧ ଅନୁସାରେ ଆଇନ ଉଲ୍ଲଂଘନକାରୀଙ୍କୁ ତତକ୍ଷଣାତ୍ ପୁଲିସ ଗିରଫ କରିପାରିବ। ଏହା ସହ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା-୫୧ରୁ ୫୮ ଅନୁସାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଯେଉଁଥିରେ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଓ ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯାଇ ପାରିବ। ଯେଉଁ ସରକାରୀ ଅଧିକାରୀ ଡ୍ୟୁଟିରେ ଖିଲାପ କରିବେ କିମ୍ବା ଡ୍ୟୁଟି କରିବା ପାଇଁ ନିର୍ଦ୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ଆଇନଜୀବୀ ବନ ମହାନ୍ତିଙ୍କ କହିବା ଅନୁସାରେ, ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପାଖରେ ଯଥେଷ୍ଟ କ୍ଷମତା ରହିଛି। କିନ୍ତୁ ତେଜରାତି, ପନିପରିବା, ମାଛମାଂସ, ଅଣ୍ଡା, ଦୁଗ୍ଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଯାଉଥିବା ଲୋକଙ୍କୁ ହଇରାଣ ହରକତ ନ କରୁ। ସେମାନଙ୍କୁ ଶାରୀରିକ ନିର୍ଯାତନା ନୁହେଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁଙ୍କ ମତରେ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତରେ ୧୩୦ କୋଟି ଲୋକଙ୍କୁ ସମ୍ଭାଳିବା କଷ୍ଟ। ତେଣୁ ମହାମାରୀ ଆଇନ ଓ ବିପର୍ଯ୍ୟୟ ପରିଚାଳନା ଆଇନର ସହାୟତା ନିଆଯାଉଛି। ଆଇନକୁ ମାନିବା ସହ ଜନସାଧାରଣ ନିଜେ ସଚେତନ ହେବା ଜରୁରୀ। ନଚେତ୍ ଆଗକୁ ସ୍ଥିତି ଆହୁରି ବିଗିଡି ଯିବାର ସମ୍ଭାବନା ରହିଛି। ଏବେଠୁ ଆଇନକୁ ପାଳନ କରିବା ସହ ସଚେତନ ରହିଲେ କରୋନାକୁ ଆମେ ମୁକାବିଲା କରିପାରିବା।

ପ୍ରଥମେ ରାଜ୍ୟ ସରକାର ୭ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର