ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଜବତ : ହତ୍ୟା ପରେ ଆତ୍ମହତ୍ୟା!

ପୁରୁଣା ଭୁବନେଶ୍ୱର : କପିଳେଶ୍ବର କୁମ୍ଭାରସାହି କେନାଲ ନିକଟ ବସ୍ତିରୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଶୁକ୍ରବାର ଏକ ଦମ୍ପତିଙ୍କ ମୃତଦେହ ଜବତ କରିଛି। ମୃତ ଦମ୍ପତି ହେଲେ, ରାକେଶ ରାଉତ(୩୨) ଓ ତାଙ୍କ ସ୍ତ୍ରୀ ମୀନାକ୍ଷୀ(୨୬)। ୩ ମାସ ପୂର୍ବେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବନ୍ଦ ଘର ଭିତରୁ ପୁଲିସ ରାକେଶଙ୍କ ଝୁଲନ୍ତା ମୃତଦେହ ଓ ଖଟ ଉପରେ ପଡ଼ିଥିବା ମୀନାକ୍ଷୀଙ୍କ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଥିଲା। ମୀନାକ୍ଷୀଙ୍କ ବେକରେ ସ୍ପଷ୍ଟ କଳା ଦାଗ ରହିଥିବାରୁ ସେମାନଙ୍କ ମୃତ୍ୟୁକୁ ନେଇ ନାନା କଥା ସନ୍ଦେହ କରାଯାଉଛି। ମୀନାକ୍ଷୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ରାକେଶ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟ ନ ମିଳିବା ପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚିବା ଠିକ୍ ହେବ ନାହିଁ ବୋଲି ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି।

ରାକେଶ ଜଣେ ଖବରକାଗଜ ବିକ୍ରେତା। ଗତ ଫେବ୍ରୁଆରିରେ ସେ ମୀନାକ୍ଷୀଙ୍କୁ ବିବାହ କରିଥିଲେ। ବାପା, ମା’ ଓ ସାନଭାଇ ସହ ରାକେଶ ନିଜ ପରିବାରରେ ଏକାଠି ରହୁଥିଲେ। ଆଜି ସକାଳେ ରାକେଶ କୌଣସି କାରଣରୁ ଖବର କାଗଜ ବିକିବାକୁ ଯାଇନଥିଲେ। ତେଣୁ ବିଳମ୍ବରେ ଉଠିଥିଲେ। ବାହାରୁ ନିତ୍ୟକର୍ମ ସାରି ଘରକୁ ଫେରିବା ପରେ ମୀନାକ୍ଷୀଙ୍କ ସହ ସେ ନିଜ ରୁମ୍‌ରେ ରହିଥିଲେ ଓ ଭିତରୁ କବାଟ କିଳି ଦେଇଥିଲେ। କିନ୍ତୁ ଏହା ପରେ ଭିତରେ ଯାହା ଘଟିଥିଲା, ତାହା କାହାକୁ ଜଣାନଥିଲା। ପ୍ରାୟ ସାଢ଼େ ୧୦ଟାରେ ତାଙ୍କ ମା’ ସେମାନଙ୍କୁ ଖାଇବାକୁ ଡାକିଥିଲେ। କିନ୍ତୁ କୌଣସି ଜବାବ ମିଳି ନଥିଲା। ତେଣୁ ଘରଲୋକଙ୍କ ସନ୍ଦେହ ହୋଇଥିଲା ଓ ସେମାନେ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ମାତ୍ର ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ରାକେଶଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିଲା। ମୀନାକ୍ଷୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିଲା। ପରିବାରଲୋକ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ଏହି ଅଘଟଣ ପରେ ପରିବାରଲୋକେ ଅତିଶୟ ଦୁଃଖରେ ଭାଙ୍ଗି ପଡ଼ିଥିବାରୁ ସେମାନଙ୍କଠାରୁ କୌଣସି ତଥ୍ୟ ମିଳିବା ସମ୍ଭବ ହୋଇନାହିଁ। ପୁଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୀନାକ୍ଷୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାକେଶ କିଛି ଦିନ‌ ହେଲା ମାନସିକ ଚାପରେ ରହୁଥିଲେ। ନୂଆ ନୂଆ ବାହା ହୋଇଥିଲେ ମଧ୍ୟ ସେ କୌଣସି କାରଣରୁ ସୁଖୀ ନଥିଲେ। ପାରିବାରିକ ଅଶାନ୍ତି କିମ୍ବା ଅର୍ଥାଭାବ କାରଣରୁ ରାକେଶ ବହୁ ସମୟରେ ମନସ୍ତାପରେ ରହୁଥିବା ଦେଖିବାକୁ ମିଳିଥିଲା। ବହୁ ସମୟରେ ଅର୍ଥାଭାବ ଏଭଳି ଚରମ ପଦକ୍ଷେପ ପାଇଁ ବାଟ କଢ଼ାଏ।

ସମ୍ବନ୍ଧିତ ଖବର