ଅପରାହ୍ଣ ୪ଟାରୁ ରଥଟଣା

ରୁକୁଣା ରଥାଯାତ୍ରା ସମନ୍ଵୟ ବୈଠକ

ପୁରୁଣା ଭୁବନେଶ୍ୱର: ଏଥର ଠିକ୍‌ ସମୟରେ ସମସ୍ତ ରୀତିନୀତି ସଂପନ୍ନ ହେବ। ଅପରାହ୍ଣ ୪ଟା ବେଳେକୁ ଯେପରି ରଥଟଣା ଆରମ୍ଭ ହେବ, ଏଥିପ୍ରତି ଗୁରୁତ୍ୱ ଦେବାକୁ ଆଜି ଅନୁଷ୍ଠିତ ରୁକୁଣା ରଥଯାତ୍ରା ସମନ୍ଵୟ ବୈଠକରେ ଆଲୋଚନା ହୋଇଛି। ସ୍ୱତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟ ସହ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା। ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରୁକୁଣା ରଥଯାତ୍ରାଠାରୁ ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତନ କରିବା ପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଟ୍ରାଫିକ୍‌ ବ୍ୟବସ୍ଥା ଯେପରି ଠିକ୍‌ ରହିବ ସେଥିପାଇଁ ପୁଲିସ ବିଭାଗ ପଦକ୍ଷେପ ଗ୍ରହଣ କରିବ। ରଥଯାତ୍ରା ବେଳେ ରାମେଶ୍ୱର ପାଟଣା ଛକ, ଇଲେକ୍ଟି୍ରିି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‌ କରାଯିବ। ସେହିପରି ଯାତ୍ରାବେଳେ ପର୍ଯ୍ୟାପ୍ତ ପରିମାଣରେ ପାଣି ଅସ୍ଥାୟୀ ଟ୍ୟାପ୍‌ ଜରିଆରେ ଯୋଗାଇ ଦିଆଯିବ। ଥାନା ପରିସର, ବଢ଼େଇବାଙ୍କ ଛକ, ରାମେଶ୍ୱର ମନ୍ଦିର ନିକଟ ଓ ରଥ ପଛ ପଟେ ଏକ ପାଣି ଟାଙ୍କି ରହିବ। ସେହିପରି ରଥ ଉପରେ ଯେପରି ଅଧିକ ଭିଡ଼ ନହୁଏ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ପୁଲିସ ଓ ନିଯୋଗ ପ୍ରତିନିଧି ଏହା ଉପରେ ନଜର ରଖିବେ ବୋଲି କୁହାଯାଇଛି। ରଥ ପାଖରେ ବିଏମ୍‌ସି ପକ୍ଷରୁ ଅଧିକ ଆଲୋକ ବ୍ୟବସ୍ଥା କରାଯିବ। ସେହିପରି ନେତ୍ର ଉତ୍ସବ ଦିନ କେଦାର ଗୌରୀ ନିକଟ ମରିଚୀ କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ନିର୍ମାଣ ଓ ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା ସହ ଯାତ୍ରା ପୂର୍ବରୁ ରାସ୍ତା ମରାମତି କରାଯିବ। ସେହିପରି ରାସ୍ତା କଡ଼ରେ ଥିବା ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା ସହ ଆବଶ୍ୟକ ସ୍ଥଳେ ବ୍ୟାରିକେଡ୍‌ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି ହସ୍ପିଟାଲ୍‌ର ଏକ ଡାକ୍ତରୀ ଦଳ ରଥ ପାଖାପାଖି ରହିବେ। ରଥ ପଛରେ ଓ ଆଗରେ ଆମ୍ବୁଲାନ୍‌ସ ରହିବା ସହ ବିଏମ୍‌ସି ହସ୍ପିଟାଲଠାରେ ସେଣ୍ଟ୍‌ଜୋନ୍‌ ଆମ୍ବୁଲାନ୍‌ସ ରହିବ ବୋଲି ନିଷ୍ପତ୍ତି ହୋଇଛି।

ରଥ ପାଖରେ ପ୍ରବଚନ
ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ରଥଖଳା ପାଖରେ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ। ଏଥିସହ ଭକ୍ତି ସଂଗୀତ ସହ ୭/୮ଜଣ ବିଶିଷ୍ଟ ପଣ୍ଡିତଙ୍କ ଦ୍ଵାରା ପ୍ରବଚନ ପରିବେଷଣ ହେବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବରଦା ପ୍ରସନ୍ନ ଦାଶ ସୂଚନା ଦେଇଥିଲେ ।

ବନ୍ଦ ରହିବ ଆମିଷ ଦୋକାନ
ରଥଯାତ୍ରାଠାରୁ ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ରଥ ଦାଣ୍ଡରେ ଆମିଷ ଦୋକାନ ବନ୍ଦ ରହିବ। ଶ୍ରୀଲିଙ୍ଗରାଜ ମନ୍ଦିରଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଥିବା ପାଷ୍ଟଫୁଡ୍‌ ଓ ଆମିଷ ହୋଟେଲ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ମନ୍ଦିର କାଯ୍ୟର୍ ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା, ମିତେନ୍ଦ୍ର ସମର୍ଥା, ରଥ କାଳେସି ନୃସିଂହ ଖୁଣ୍ଟିଆ, କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ସରୋଜ ମିଶ୍ର ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ମନ୍ଦିର ଚଟାଣରେ ଲାଗିବ ଧଳା ରଙ୍ଗ
ଟାଣ ଖରା ଯୋଗୁଁ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଚଟାଣରେ ଚାଲିବା ଭକ୍ତଙ୍କ ପାଇଁ କଷ୍ଟକର ହେଉଛି। ବହୁ ଭକ୍ତ ଏ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆର୍‌ଏଣ୍ଡି୍‌ବି ବିଭାଗ ପକ୍ଷରୁ ମନ୍ଦିର ଚଟାଣରେ ଧଳା ରଙ୍ଗ ଲାଗାଯିବ। ବେଢ଼ା ଚାରିପଟେ ୩ଫୁଟ୍‌ ଓସାରରେ ଏହି ରଙ୍ଗ ଲାଗାଯିବ। ଏନେଇ ମନ୍ଦିର ପ୍ରଶାସନ ଓ ଏଏସ୍‌ଆଇର ଅନୁମତି ମିଳିଛି ବୋଲି ଆର୍‌ଏଣ୍ଡ୍‌ବି ବିଭାଗ ପକ୍ଷରୁ କୁହାଯାଇଛି।

ଯୋଗଦେଲେ ନାହିଁ ପ୍ରମୁଖ ନିଯୋଗ
ରଥଯାତ୍ରା ସମୟରେ ସେବାୟତମାନଙ୍କ ପ୍ରମୁଖ ଭୂମିକା ରହିଛି। ତେବେ ଆଜିର ବୈଠକରେ ବ୍ରାହ୍ମଣ ନିଯୋଗ, ପୂଜାପଣ୍ଡା ନିଯୋଗ, ବଡ଼ୁ ନିଯୋଗର ପ୍ରତିନିଧି ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ଏନେଇ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚିକାନ୍ତ ପୂୂଜାପଣ୍ଡା କହିଛନ୍ତି ମନ୍ଦିର ପ୍ରଶାସନ ଠାକୁରଙ୍କ ଭେଟ ଟଙ୍କା ନିଜ ହାତକୁ ଆଣୁ ନାହିଁ, ଡାଲା ଭୋଗ ସମ୍ପର୍କରେ କୋର୍ଟ ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଉ ନାହିଁ। ଅବକ୍ଷୟ ମୂର୍ତ୍ତିିର ପୁନରୁଦ୍ଧାର କରା ନଯିବାରୁ ଆମେ ବୈଠକରେ ଯୋଗ ଦେଇ ନାହୁଁ। ବଡ଼ୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡ଼ୁ କହିଥିଲେ, ମହାଶିବରାତ୍ରିରେ ଅଢ଼େଇ ଘଣ୍ଟା ନୀତି ବିଳମ୍ବ ହେଲା। ବଡ଼ୁ ନିଯୋଗ ଠକଣା ସମୟରେ କାର୍ଯ୍ୟ କରିଥିଲା। ଅଥଚ ପ୍ରଶାସନ ପକ୍ଷରୁ ନୀତି ବିଳମ୍ବ କରିଥିବା ସେବାୟତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ବୈଠକରେ ଯୋଗ ଦେଲୁ ନାହିଁ। ତେବେ ରଥଯାତ୍ରାରେ ସହଯୋଗ କରିବୁ ବୋଲି ସେ କହିଥିଲେ। ଏନେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଥିଲେ ଯେ, ସେବାୟତମାନଙ୍କୁ ନେଇ ସ୍ୱତନ୍ତ୍ର ବୈଠକ କରାଯିବ।

ସମ୍ବନ୍ଧିତ ଖବର