ରାଜଧାନୀରେ ହୋଇପାରେ କଟକ ଦୁର୍ଘଟଣାର ପୁନରାବୃତ୍ତି

ରାସ୍ତାରୁ ହଟୁନାହାନ୍ତି ଗାଈଗୋରୁ, କିଟ୍‌ ଛକରୁ ନନ୍ଦନକାନନ ରାସ୍ତା ସାଜିଛି ବୁଲା ଗୋରୁଙ୍କ ଚରାଭୂଇଁ

ଚନ୍ଦ୍ରଶେଖରପୁର: ମଇଁଷିକୁ ଧକ୍କା ଦେଇ ମହାନଦୀ ପୋଲରୁ ୩୦ ଫୁଟ୍‌ ତଳକୁ ଖସିପଡ଼ିଲା ବସ୍‌। ଅକାଳରେ ଚାଲିଗଲା ୧୨ ଜଣଙ୍କ ଜୀବନ। ଅନେକ ଏବେ ବି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ରାସ୍ତା ଉପରେ ଚଳପ୍ରଚଳ କରୁଥିବା ମଇଁଷିଟିଏ ପାଇଁ ଯେ ଏତେ ଜୀବନ ଚାଲିଯିବ, ତାହା କେହି କେବେ ବି ଭାବି ନଥିବେ। ରାଜଧାନୀରେ ଏଭଳି ଘଟଣାର ପୁନରାବୃତ୍ତି ନେଇ ଆଶଙ୍କା ବଢ଼ିଯାଇଛି। ସହରର ପ୍ରମୁଖ ରାସ୍ତାରେ ଗାଈଗୋରୁମାନେ ଏଭଳି ଖୁଲମଖୁଲା ବୁଲୁଛନ୍ତି ଯେ କେତେବେଳେ କ’ଣ ହେବ, କହିବା ମୁସ୍କିଲ୍‌। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବୁଲା ଗାଈଗୋରୁଙ୍କୁ କାବୁ କରିବା, ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିୟମ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ବି କିଟ୍‌ ଛକରୁ ନନ୍ଦନକାନନ ରାସ୍ତାରେ ୨୪ ଘଣ୍ଟା ଶତାଧିକ ଗାଈଗୋରୁ ବୁଲୁଛନ୍ତି। ସେମାନଙ୍କୁ ରୋକିବାକୁ କେହି ନାହାନ୍ତି। ନିଜ ଅଞ୍ଚଳରେ ଆସୁ ନ ଥିବା କହି ବିଏମ୍‌ସି ଚୁପ୍‌ ରହିଥିବା ବେଳେ ମାଲିକମାନେ ଗାଈଗୋରୁଙ୍କୁ ଛାଡ଼ିଦେଇ ଅଚିନ୍ତାରେ ରହୁଛନ୍ତି। କିଟ୍‌ ଛକରୁ ନନ୍ଦନକାନନ ରାସ୍ତାରେ ଦିନକୁ ଦିନ ଭିଡ଼ ବଢ଼ୁଥିବାରୁ ବୁଲା ଗାଈଗୋରୁଙ୍କୁ ରାସ୍ତାରୁ ହଟାଇବାକୁ ଦାବି ହେଉଛି। ବିଶେଷକରି ରଘୁନାଥପୁର ଛକ ନିକଟରେ ବୁଲା ଗାଈଗୋରୁଙ୍କ ଭିଡ଼ ଜମୁଛି। ରଘୁନାଥପୁର ରାସ୍ତା ଆରମ୍ଭ ହେବା ପୂର୍ବରୁ ଥିବା ଏକ କେନାଲ ପୋଲ ଉପରେ ଗାଈଗୋରୁ ଚାଲୁଥିବାରୁ ଦୁର୍ଘଟଣା ଆଶଙ୍କା ବଢ଼ିଯାଉଛି।

ବୁଲା ଗାଈଗୋରୁଙ୍କ ଯୋଗୁଁ ପ୍ରତି ସପ୍ତାହରେ ଏହି ରାସ୍ତାରେ ୫ରୁ ଅଧିକ ଦୁର୍ଘଟଣା ହେଉଛି। ଏହି ରାସ୍ତାରେ ପୁଲିସ ପକ୍ଷରୁ ଯାଞ୍ଚ ହେଉଥିଲେ ମଧ୍ୟ ଗାଈଗୋରୁଙ୍କ ପ୍ରତି କାହାର ନଜର ନାହିଁ। ରାସ୍ତାରେ ହଜାର ହଜାର ପର୍ଯ୍ୟଟକ ଯିବା ଆସିବା କରୁଥିବାରୁ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ସେଭଳି କିଛି ହୁଏ, ତେବେ ବହୁ ଲୋକଙ୍କ ଜୀବନ ଯିବା ଥୟ। ଦୁଇ ଦିନ ତଳେ ଏଭଳି ସମସ୍ୟା ନେଇ ଜଣେ ପର୍ଯ୍ୟଟକ ଟୁଇଟର୍‌ ମାଧ୍ୟମରେ ବିଏମ୍‌ସି, ପୁଲିସ କମିସନର୍‌ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ କହିଥିଲେ ଯେ ଗତ କିଛି ବର୍ଷ ହେଲା ରଘୁନାଥପୁର ଅଞ୍ଚଳରେ ବୁଲା ଗାଈଗୋରୁଙ୍କୁ ଦେଖିବାକୁ ମିଳୁଛି। ବିଶ୍ବକପ୍‌ ହକି ଆସୁଥିବାରୁ ଏହା ଭୁବନେଶ୍ବରର ଛବି ଖରାପ କରିପାରେ। ଏହାର ସ୍ଥାୟୀ ସମାଧାନ ହେବା ଆବଶ୍ୟକ। ଜବାବରେ ଆଜି ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ଆମେ ଅନେକ ପଦକ୍ଷେପ ନେଇଛୁ। ଗାଈଗୋରୁଙ୍କୁ ରାସ୍ତାକୁ ନ ଛାଡ଼ିବା ପାଇଁ ଲୋକଙ୍କୁ ସଚେତନ କରୁଛୁ। ବିଏମ୍‌ସି ମଧ୍ୟରେ ଆସୁଥିବା ଅଞ୍ଚଳର ବୁଲା ଗାଈଗୋରୁଙ୍କ କାନ ଫୋଡ଼ା ଯାଇ ଚିହ୍ନଟ କରାଯାଉଛି। ମାଲିକଙ୍କଠାରୁ ଜରିମାନ ଆଦାୟ କରାଯାଉଛି। ଏଠାରେ ପ୍ରଶ୍ନ ଉଠୁଛି କିଟ୍‌ରୁ ରଘୁନାଥପୁର ମଧ୍ୟରେ ଅଧା ଅଞ୍ଚଳ ବିଏମ୍‌ସି ଅଧୀନରେ ଆସୁଥିବା ବେଳେ ଆଉ ଅଧେ ଆସୁନି। ତେଣୁ ଏହି ଅଞ୍ଚଳରୁ ବୁଲା ଗାଈଗୋରୁଙ୍କୁ ହଟାଇବା ଦାୟିତ୍ବ କାହାର। କେବଳ ଏହି ରାସ୍ତା ନୁହେଁ। କଟକ-ପୁରୀ ବାଇପାସ୍‌ରେ ବି ସମାନ ଅବସ୍ଥା। ଦେଢ଼ ବର୍ଷ ତଳେ ଉକ୍ତ ରାସ୍ତାରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଥିଲା। ରାତିରେ ଗାଡ଼ି ବାଡେ଼ଇ ଦେବା ଦ୍ବାରା ୧୦ରୁ ଅଧିକ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିଲା। ତଥାପି ଏବେ ବି ଏହି ରାସ୍ତାରେ ବୁଲା ଗାଈଗୋରୁ ଚଳପ୍ରଚଳ କରୁଛନ୍ତି। କୌଣସି ବଡ଼ ଦୁର୍ଘଟଣାକୁ ଅପେକ୍ଷା ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ଏକ‌ାମ୍ର କ୍ଷେତ୍ରରେ ଷଣ୍ଢଙ୍କ ଉତ୍ପାତ

ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ବୁଲା କୁକୁର ଓ ଷଣ୍ଢଙ୍କ ଉତ୍ପାତ ଏବେ ସ୍ଥାନୀୟ ଅଞ୍ଚଳର ଲୋକ ଓ ପ୍ରଶାସନର ଚିନ୍ତା ବଢ଼େଇ ଦେଇଛି। ପ୍ରାୟ ୨ଶହରୁ ଅଧିକ ଷଣ୍ଢ ଏବେ ଏକାମ୍ର କ୍ଷେତ୍ରରେ ବୁଲାବୁଲି କରୁଛନ୍ତି। ଷଣ୍ଢଗୁଡ଼ିକ ପ୍ରତିଦିନ ପରସ୍ପର ମଧ୍ୟରେ ଲଢ଼େଇ ଲାଗୁଥିବାରୁ ବହୁ ଲୋକ ଆହତ ହେଉଛନ୍ତି। ହକି ବିଶ୍ବକପ୍ ଯୋଗୁଁ ଏକାମ୍ର କ୍ଷେତ୍ରକୁ ଆକର୍ଷଣୀୟ ଢଙ୍ଗରେ ସାଜସଜା କରାଯାଇଛି। ମାତ୍ର ଷଣ୍ଢ ଓ ବୁଲା ଗୋରୁଙ୍କ ଯୋଗୁ ଏହି ସୌନ୍ଦର୍ଯ୍ୟ ନଷ୍ଟ ହେବାର ଆଶଙ୍କା ରହୁଛି। ଏହାକୁ ଦୃଷ୍ଟିରେ ରଖି ଷଣ୍ଢ ଓ ବୁଲା କୁକୁରଙ୍କୁ ଏଠାରୁ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର