ରଘୁନାଥପୁରରେ ବାର୍‌ହା ଆତଙ୍କ, ଯୁବକଙ୍କ ଜୀବନ ବଞ୍ଚାଇଲା ଗାଈ

ବାରଙ୍ଗ: ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଗ୍ରାମରେ ବାର୍‌ହା ଆତଙ୍କ ଦେଖାଦେଇଛି। ୩ ଦିନ ହେବ ଏକ ବଡ଼ ଜଙ୍ଗଲୀ ଦନ୍ତା ବାର୍‌ହା ଗାଁ ପାଖ ଖରିପଡ଼ିଆ ଗହିରରେ ଲୁଚି ରହୁଛି। ଖାଦ୍ୟ ଅନ୍ବେଷଣରେ ଆସିଥିବା ଏହି ବାର୍‌ହାଟି ଲୋକଙ୍କ କ୍ଷେତରେ ପଶି ବ୍ୟାପକ ଫସଲ ଖାଇବା ସହ ନଷ୍ଟ କରି ପକାଉଛି। ଏପିରିକି ସମ୍ମୁଖ‌‌ରେ ପଡ଼ିଲେ ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଉଛି। ଗତକାଲି ସମ୍ବିତ ପଟ୍ଟନାୟକ(୨୭) ନାମକ ଜଣେ ଯୁବକ ଏହି ବାର୍‌ହା ହାବୁଡ଼ରେ ପଡ଼ି ଯାଇଥିଲେ। ବାରିପଟେ ଥିବା ବେଳେ ବାର୍‌ହାଟି ତାଙ୍କୁ ଦେଖିବା କ୍ଷଣି ଆକ୍ରମଣ କରିବାକୁ ଗୋଡ଼ାଇ ଆସିଥିଲା। କିନ୍ତୁ ସୌଭାଗ୍ୟବଶତଃ ସେତିକିବେଳେ ତାଙ୍କର ଦୁଇଟି ଗାଈ ବାର୍‌ହାକୁ ଦେଖି ଗୋଡ଼ାଇ ଆସିଥିଲେ। ସେଥିମଧ୍ୟରୁ ଗୋଟିଏ ଗାଈ ତା’ ମୁନିଆ ଶିଙ୍ଘରେ ବାର୍‌ହାଟିକୁ ଟେକି ଫିଙ୍ଗି ଦେଇଥିଲା। ଫଳରେ ବାର୍‌ହାଟି ପ୍ରାଣ ବିକଳରେ ଗର୍ଜନ କରି ସେଠାରୁ ଦୌଡ଼ି ପଳାଇଥିଲା। ଏହି ଜଙ୍ଗଲୀ ବାର୍‌ହାଟି ନିକଟସ୍ଥ ନନ୍ଦନକାନନ ପାଖ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ବାର୍‌ହା ଉତ୍ପାତ ଯୋଗୁଁ ଲୋକଙ୍କ ପ୍ରାଣହାନି ଘଟିବାର ସମ୍ଭାବନା ଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତେଣୁ ବନ ବିଭାଗ ଜାଲ ପକାଇ ବାର୍‌ହାଟିକୁ ଧରିବା ଲାଗି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର