‘ମାର୍କ୍ସ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ’

ଭୁବନେଶ୍ୱର: ଆଜି ସିପିଆଇ(ଏମ୍‌ଏଲ୍‌) ଲିବରେସନ୍‌ ରାଜ୍ୟ କମିଟି ପକ୍ଷରୁ ସାମ୍ୟବାଦର ଜନକ ମହାନ୍‌ ବିପ୍ଳବୀ ଦାର୍ଶନିକ କାର୍ଲମାର୍କ୍ସଙ୍କ ଦ୍ୱିଶତବାର୍ଷିକ ଜନ୍ମୋତ୍ସବ ଇଡ୍‌କଲ ଅଡିଟୋରିୟମ ସଭାଗୃହରେ ପାଳିତ ହୋଇଥିଲା। ଏହି ଅବସରରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ସିପିଆଇ (ଏମ୍‌ଏଲ୍‌)ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ଉତ୍ସବରେ ପାର୍ଟିର ସାଧାରଣ ସମ୍ପାଦକ କମ୍ରେଡ୍‌ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ‘ସାମାଜିକ ପରିବର୍ତନ ପାଇଁ ସମାନତା, ନ୍ୟାୟ ଓ ଭାତୃତ୍ୱ ସପକ୍ଷରେ ଲଢୁଥିବା ଲୋକେ ମାର୍କ୍ସଙ୍କଠାରୁ ସର୍ବଦା ପ୍ରେରଣା ପାଉଥିବେ। ଆଉ ସମାନତାର ଶତ୍ରୁ ଶୋଷକ, ଧର୍ମାନ୍ଧ, ରୁଢ଼ିବାଦୀମାନଙ୍କୁ ସର୍ବଦା ମାର୍କ୍ସଙ୍କ ଭୟ ଘାରୁଥିବ। ଦେଶର ବିବିଧତା, ଭିନ୍ନମତ, ଗଣତନ୍ତ୍ର ଓ ସମ୍ବିଧାନକୁ ଧ୍ୱଂସ କରିଦେବାକୁ ବସିଥିବା ସାମ୍ପ୍ରଦାୟିକ ଫାସୀବାଦୀମାନଙ୍କ ବିରୋଧରେ ବାମପନ୍ଥୀମାନେ ମିିଳିତ ଭାବେ ଲଢ଼େଇ କରିବାର ସମୟ ଆସିଛି। ସେହିପରି ଉତ୍ସବରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସିପିଆଇ(ଏମ୍‌) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ରାଜ୍ୟ କମିଟି ସଭ୍ୟ ଶଙ୍କର ଦାସଗୁପ୍ତା, ଫରୱାର୍ଡ ବ୍ଲକ ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବିଭିନ୍ନ ବାମପନ୍ଥୀ ଦଳର ଜନ ଆନ୍ଦୋଳନର ସାମାଜିକ ସଂଗଠନର କର୍ମକର୍ତାମାନେ ଗଣତାନ୍ତ୍ରିକ, ପ୍ରଗତିଶୀଳ ବୁଦ୍ଧିଜୀବୀ ଓ ପାର୍ଟିର ସାଥୀ ସମର୍ଥକମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଶେଷରେ ପାର୍ଟିର କେନ୍ଦ୍ର କମିଟି ସଭ୍ୟ ରାଧାକାନ୍ତ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର