ଭଙ୍ଗା ହେଲା ସାଇଫନ୍‌, ବର୍ଷା ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ସମାଧାନ ହେଲା

୪୦ଫୁଟ୍‌ ଡ୍ରେନ୍‌ ଖୋଳା ହେଲା

ଭୁବନେଶ୍ୱର: ଅସରାଏ ବର୍ଷାରେ ଇସ୍କନ ମନ୍ଦିର ସମ୍ମୁଖରେ ଜମୁଥିବା ବର୍ଷା ଜଳ ନିଷ୍କାସନ ପାଇଁ ମଙ୍ଗଳବାର ତନାଘନା ହେବା ପରେ ଆଜି ଏହାର ଅସ୍ଥାୟୀ ସମାଧାନ କରାଯାଇଛି। ଇସ୍କନ ମନ୍ଦିର ପାର୍ଶ୍ୱରୁ କଲଭର୍ଟରେ ପାଣି ଆସିବା ପରେ ବେହେରା ସାହି ନିକଟରେ ଯେଉଁ ସାଇଫନ୍‌ ଦେଇ ପାଣି ଡ୍ରେନ୍‌ରେ ପଡ଼ିଥାଏ ସେହି ସାଇଫନ୍‌କୁ ଆଜି ଭଙ୍ଗାଯାଇଛି। ଜାତୀୟ ରାଜପଥରୁ ବର୍ଷା ପାଣି ବେହେରା ସାହି ଓ ଏହାର ଆଖପାଖ ଅଞ୍ଚଳରେ ପଶି ଯାଇଥିବାରୁ କେତେକ ବ୍ୟକ୍ତି ଏହି ସାଇଫନ୍‌ ଉପରେ କଙ୍କ୍ରିଟ ଢଳେଇ କରିଦେଇଥିଲେ। ଆଜି ଏହି କଙ୍କ୍ରିଟ ଢଳେଇକୁ ୫ଫୁଟ ଗଭୀରରେ ଭଙ୍ଗାଯାଇଛି। ପ୍ରାୟ ୩ ମିଟର ଲମ୍ବରେ ଏହା ଭଙ୍ଗାଯାଇଛି। ବର୍ଷା ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ସମାଧାନ କରାଯାଇଥିଲେ ହେଁ, ଆଗକୁ ବର୍ଷା ହେଲେ କିପରି ଜଳ ନିଷ୍କାସନ ହେଉଛି ତାହା ଦେଖିବା ବାକି ରହିଛି।

ଇସ୍କନ୍‌ ସମ୍ମୁଖ ରାସ୍ତାର ବର୍ଷା ଜଳ ନିଷ୍କାସନରେ ପୋତି ହୋଇଯାଇଥିବା ସାଇଫନ୍‌ ବାଧକ ସାଜୁଥିବାରୁ ଏହାକୁ ତୁରନ୍ତ ଭାଙ୍ଗିବାକୁ ନିଷ୍ପତ୍ତି ହୋଇଥିଲା। ଆଜି ବିଡିଏ, ବିଏମ୍‌ସି ପୂର୍ତ୍ତ ବିଭାଗ ଏବଂ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ମିଳିତ ଟିମ୍‌ ପୁଲିସ ଉପସ୍ଥିତିରେ ଏହି ସାଇଫନ୍‌କୁ ଭାଙ୍ଗିଛନ୍ତିି। ସାଇଫନ୍‌ଟିକୁ ସଂପୂର୍ଣ୍ଣ ଖୋଲିଦେଲେ ବେହେରା ସାହି ଏବଂ ଏହା ଆଖପାଖ ଅଞ୍ଚଳରେ ଘରେ ପାଣି ପଶିଯିବାର ଆଶଙ୍କା ଥିବାରୁ ଆବଶ୍ୟକତା ଅନୁଯାୟୀ ଏହାକୁ ଖୋଳାଯାଇଛି। ଡ୍ରିଲିଂ ମେସିନ୍‌ ଏବଂ ଜେସିବି ମାଧ୍ୟମରେ ଏହାକୁ ଭଙ୍ଗାଯାଇଛି। ସେହିପରି ଏହି ସାଇଫନ୍‌ରୁ ପାଣି ଯେଉଁ ଦୁଇଟି ଡ୍ରେନ୍‌ରେ ନିଷ୍କାସନ ହୁଏ ସେଥିରୁ ଗୋଟିଏ ଡ୍ରେନ୍‌ ପୋତି ହୋଇଯାଇଥିବାରୁ ଯେତିକି ପାଣି ଯାଉଥିଲା ତାହା ଗୋଟିଏ ଡ୍ରେନ୍‌ରେ ନିଷ୍କାସନ ହେଉଥିଲା। ତେଣୁ ଭୋଇ ସାହି ପାର୍ଶ୍ୱରେ ପୋତି ହୋଇଯାଇଥିବା ଡ୍ରେନ୍‌ଟିକୁ ବି ଖୋଳାଯାଇଛି। ଏହି ଡ୍ରେନ୍‌ଟି ପ୍ରାୟ ୬୦ମିଟର ପର୍ଯ୍ୟନ୍ତ ପୋତି ହୋଇ ଯାଇଥିବାବେଳେ ଆଜି ପ୍ରାୟ ୪୦ମିଟର ପର୍ଯ୍ୟନ୍ତ ଖୋଳା ଯାଇଛି। ପ୍ରାୟ ୫ଫୁଟ ଗଭୀରର ଏହି ଡ୍ରେନ୍‌ର ଆଉ ୨୦ଫୁଟ ଗୁରୁବାର ଖୋଳାଯିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଏହି ଡ୍ରେନ୍‌ ନିକଟରେ ଥିବା ଗୋଟିଏ ଦୋକାନ, ସାଇନ୍‌ ବୋର୍ଡକୁ ଉଚ୍ଛେଦ କରାଯାଇଛି। ଏଠାରେ ବେଆଇନ୍‌ ପାର୍କିଂ ହେଉଥିବାବେଳେ ଏହାକୁ ନିଷିଦ୍ଧ କରାଯାଇଛି ବୋଲି କୁହାଯାଇଛି।

ଲାଗିବ ୨ଟି ପମ୍ପ୍‌, ମୁତୟନ ହେବେ ୪ ଅଧିକାର, ବର୍ଷା ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ସମାଧାନ ହେଲା, ବର୍ଷା ହେଲେ ଜଣାପଡ଼ିବ

ଏହାସହ ଇସ୍କନ୍‌ ପାର୍ଶ୍ୱରୁ ପାଣି ଆସି ସାଇଫନ୍‌ ନିକଟସ୍ଥ ଡ୍ରେନ୍‌ରେ ପଡ଼ିବା ପରେ ଏହାକୁ ତୁରନ୍ତ ନିଷ୍କାସନ ପାଇଁ ଏଠାରେ ବିଏମ୍‌ସି ପକ୍ଷରୁ ଦୁଇଟି ବଡ଼ ପାଣି ପମ୍ପ ରଖିବାକୁ ନିଷ୍ପତ୍ତି ହୋଇଛି। ପମ୍ପରେ ପାଣି ଉଠାଇ ପାଇପ୍‌ ଯୋଗେ ମୁଖ୍ୟ ଡ୍ରେନ୍‌ରେ ପକାଯିବ। ସେହିପରି ଏହି ଅଞ୍ଚଳରେ ଯେମିତି ପାଣି ନ ଜମିବ, ଲୋକଙ୍କ ଘରେ ପାଣି ନ ପଶିବ, କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ସମାଧାନ ହେବ ସେଥିପାଇଁ ୪ଜଣ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତିି। ଆଜିର ଉଚ୍ଛେଦ ସମୟରେ ସ୍ଥାନୀୟ ବାସିନ୍ଦା ଏକଜୁଟ୍‌ ହୋଇ ସାଇଫନ୍‌ ନ ଭାଙ୍ଗିବାକୁ କହିଥିଲେ। କିନ୍ତୁ ଉପସ୍ଥିତ ଅଧିକାରୀ ଓ ପୁଲିସ ବୁଝାଇବା ପରେ ସାଇଫନ୍‌ଟିକୁ ଆଂଶିକ ଭଙ୍ଗା ଯାଇଥିଲା। ବିଡିଏର ଅତିରିକ୍ତ କମିସନର୍‌ ତଥା ମେମ୍ବର ଏନଫୋର୍ସମେଣ୍ଟ ଭବାନୀ ଶଙ୍କର ଚଇନିଙ୍କ ନେତୃତ୍ୱରେ ଏହି ସାଇଫନ୍‌ ଭଙ୍ଗା ଏବଂ ଡ୍ରେନ୍‌ ସଫେଇ କାର୍ଯ୍ୟ ହୋଇଥିଲା। ଏହାପରେ ଶ୍ରୀ ଚଇନି କହିଛନ୍ତି ଯେ, ଇସ୍କନ୍‌ ସମ୍ମୁଖରେ ଜମା ହେଉଥିବା ବର୍ଷା ଜଳ ନିଷ୍କାସନ ପାଇଁ ଅସ୍ଥାୟୀ ସମାଧାନ କରାଯାଇଛି। ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ହେଲେ ପୂର୍ତ୍ତ ବିଭାଗ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ।

ଏନ୍‌ଏଚ୍‌ଏଆଇକୁ ଡିପିଆର୍‌ ଦେଲା ପୂର୍ତ୍ତ ବିଭାଗ
ଜାତୀୟ ରାଜପଥ-୧୬ ଉପରେ ସିଆରପି ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଜମୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିପିଆର୍‌ ଆଜି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି। ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା) ଓମ୍‌ ପ୍ରକାଶ ପଟେଲ ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ଧର୍ମାନନ୍ଦ ଷଡ଼ଙ୍ଗୀଙ୍କୁ ଏହି ଡିପିଆର୍‌ ପ୍ରଦାନ କରିଛନ୍ତି। ମୁଖ୍ୟଯନ୍ତ୍ରୀ ଏହା ସହ ଚିଠି ଲେଖି ଜଣାଇଛନ୍ତି ଯେ, ସିଆର୍‌ପି ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ପାଣି ବିଭିନ୍ନ ସ୍ଥାନରେ ନିଷ୍କାସନ ହେଉଥିଲା। କିନ୍ତୁ ଜାତୀୟ ରାଜପଥରେ ଫ୍ଲାଇ ଓଭର ନିର୍ମାଣ ହେବା ପରେ ବର୍ଷା ଜଳ କେବଳ ଗୋଟିଏ ସ୍ଥାନରେ ନିଷ୍କାସନ ହେଉଛି। ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଡିପିଆର୍‌ ପ୍ରସ୍ତୁତ ହୋଇଛି। ଏହାକୁ କାର୍ଯ୍ୟକାରୀ କଲେ ଜାତୀୟ ରାଜପଥ ଉପରେ ଥିବା ଜଳ ନିଷ୍କାସନ ସମସ୍ୟା ଦୂର ହୋଇପାରିବ। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର