ମୂଲ୍ୟବୋଧ ନିର୍ମାଣ ହିଁ ରାଷ୍ଟ୍ର ନିର୍ମାଣ

ସମବେତ ବନ୍ଦେ ମାତରଂ ଗାନ

ଖଣ୍ଡଗିରି: ମୂଲ୍ୟବୋଧ ନିର୍ମାଣ ହିଁ ରାଷ୍ଟ୍ର ନର୍ମାଣ। ଭାରତୀୟ ମହାନ୍‌ ସଂସ୍କୃତି ଓ ପରାମ୍ପରାକୁ ଅକ୍ଷୁଣ୍ଣ ରଖିବା ହେଉଛି ବର୍ତ୍ତମାନର ବଡ଼ ଆହ୍ଵାନ। ସମଗ୍ର ବିଶ୍ୱରେ ଦେଖାଦେଇଥିବା ସମସ୍ୟାର ସମାଧାନ କେବଳ ଭାରତବର୍ଷର ଆଧ୍ୟାତ୍ମିକ ଚିନ୍ତାଧାରାରେ ଓ ଭାରତୀୟ ଦର୍ଶନରେ ନିହିତ ରହିଛି। ପାଶ୍ଚାତ୍ୟ ସଭ୍ୟତା ଆଡ଼କୁ ଧାଉଁଥିବା ଯୁବପିଢ଼ିକୁ ଭାରତୀୟ ଦର୍ଶନର ମୂଲ୍ୟବୋଧ ଆଡ଼କୁ ଆକର୍ଷିତ କରିବା ପ୍ରମୁଖ କର୍ତ୍ତବ୍ୟ। ସେମାନଙ୍କ ଭିତରେ ଦେଶପ୍ରେମ ଜାଗ୍ରତ କରିବା ହେଉଛି ବଡ଼ ପ୍ରସଙ୍ଗ। ଆଜି ନୈତିକ ଓ ସାଂସ୍କୃତିକ ପ୍ରଶିକ୍ଷଣାର୍ଥେ ପ୍ରଚେଷ୍ଟା ଫାଉଣ୍ଡେସନ (ଆଇଏମ୍‌ସିଟି) ପକ୍ଷରୁ ଓୟୁଏଟି ଷ୍ଟାଡିୟମ୍‌ରେ ଭଏସ୍‌ ଅଫ୍‌ ୟୁନିଟ୍‌ ବା ଏକତାର ସ୍ୱର ଅବସରରେ ଆୟୋଜିତ ସମବେତ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମରେ ଅତିଥିମାନେ ଏହା କହିଥିଲେ।

ହିନ୍ଦୁ ଆଧ୍ୟାତ୍ମ ସେବା ମେଳାର ଅଖିଳ ଭାରତୀୟ ସଭାପତି ଗୁଣବନ୍ତ ସିଂହ କୋଠାରୀ କହିଥିଲେ ଯେ, ଭାରତର ପ୍ରତ୍ୟେକ ନାଗରିକ ଭିତରେ ମୂଲ୍ୟବୋଧ ନିର୍ମାଣ କରିବା ଜରୁରି। କାରଣ ଏହା ହିଁ ପ୍ରକୃତ ରାଷ୍ଟ୍ର ନିର୍ମାଣ। ସେହିଭଳି ଆଇଏମ୍‌ସିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ମୁରଲୀମନୋହର ଶର୍ମା ଦେଶପ୍ରେମ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ତେବେ ଅନ୍ୟତମ ଅତିଥି ମେଜର ଜେନେରାଲ୍‌ ଗଗନଦୀପ୍‌ ବକ୍ସି ଏହି ଅବସରରେ ପାକିସ୍ଥାନକୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ୧୯୭୧ ମସିହାର ଯୁଦ୍ଧକୁ ମନେ ପକାଇ ସେ ପାକିସ୍ଥାନକୁ ଚେତାବନୀ ଦେଇଥିଲେ। ଏମିତିକି ସର୍ଜିକାଲ ଷ୍ଟ୍ରାଇକ୍‌ କଥା ବର୍ଣ୍ଣନା କରି ସେ ବାରମ୍ବାର ଏଭଳି ପଦକ୍ଷେପ ନିଆଯିବା ଜରୁରି ବୋଲି କହିଥିଲେ। ପାକିସ୍ଥାନକୁ ସାବାଡ୍‌ କରିବା ପାଇଁ ଆହୁରି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଦରକାର ବୋଲି ସେ ଆହ୍ଵାନ ଦେଇଥିଲେ। ସେହିଭଳି ସୀମା ବିବାଦରେ ମଧ୍ୟ ଚୀନ୍‌ର ଆଭିମୁଖ୍ୟକୁ ସେ କଡ଼ା ସମାଲୋଚନା କରିଥିଲେ। ଚୀନ ମଧ୍ୟ ଭାରତପ୍ରତି ବିପଦ ବୋଲି ମେଜର ବକ୍ସି କହିଥିଲେ। ଆୟୋଜକ କମିଟିର ସଭାପତି ଡ. ବିମଳେନ୍ଦୁ ମହାନ୍ତି, ଉପସଭାପତି ଚକ୍ରଧର ତ୍ରିପାଠୀ ଓ ସମ୍ପାଦକ ଅନୀଲ୍‌ ଧିର୍‌ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। କଳାକାର ଅଶ୍ରୁମୋଚନ ମହାନ୍ତି, ସଂଗୀତକାର ମନ୍ମଥ ମିଶ୍ର ସମବେତ ଗାନ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର