କଟକ ରୋଡ୍‌କୁ ରାତିରେ ଭୟ

ମାତୁଛନ୍ତି ଅପରାଧୀ, ପୁଲିସ ଓ ଅବକାରୀ ବିଭାଗ ଚୁପ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡ୍‌ ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। ରାତି ବଢ଼ିବା ମାତ୍ରେ ଅପରାଧୀଙ୍କ ଉପଦ୍ରବ ବଢ଼ିବାରେ ଲାଗୁଛି। କଟକ ରୋଡ୍‌ରୁ ଅଳ୍ପ ଦୂରରେ ଲକ୍ଷ୍ମୀସାଗର ଥାନା ଥିଲେ ମଧ୍ୟ ଅପରାଧୀମାନେ ପୁଲିସକୁ ତିଳେ ମାତ୍ର ଖାତିର କରୁନାହାନ୍ତି। ମାସକ ମଧ୍ୟରେ କଥା କଥାକେ ହତ୍ୟା, ହଣାକଟା, ବୋମାମାଡ଼ ଭଳି ଗୋଟିଏ ପରେ ଗୋଟିଏ ଘଟଣା କମିସନରେଟ୍‌ ପୁଲିସର ନିଦ ହଜାଇ ଦେଲାଣି। ଗତ ମାସକ ମଧ୍ୟରେ କଟକରୋଡ୍‌ ଅଞ୍ଚଳରେ ଚୋରାମଦ ବ୍ୟବସାୟକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ସପ୍ତାହକ ମଧ୍ୟରେ ଜଣେ ସିକ୍ୟୁରିଟି ସଂସ୍ଥା ମାଲିକଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିବା ବେଳେ ଶନିବାର ରାତିରେ ବାର୍‌ ମାଲିକଙ୍କ ମଧ୍ୟରେ ହାଣାକଟା ହୋଇଛି। ଏହିସବୁ ଘଟଣା ପରେ କଟକ ରୋଡ୍‌ ଯେ ଏବେ ଅସୁରକ୍ଷିତ, ତାହା ସ୍ପଷ୍ଟ ହୋଇଛି।

ଏ ସବୁର ମୁଖ୍ୟ କାରଣ କଟକ ରୋଡ୍‌ରେ ଥିବା ମାଳମାଳ ଡ୍ୟାନ୍ସବାର ଓ ବାର୍‌ ବୋଲି ଅଭିଯୋଗ ହେଉଛି। ଡ୍ୟାନ୍ସବାର୍‌ଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିଲେ ହେଁ ଏଗୁଡ଼ିକ ଉପରେ ଅଙ୍କୁଶ ଲଗା ଯାଉ ନାହିଁ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାରଗାର୍ଲଙ୍କ ସହ ଅଶ୍ଳୀଳ ଡ୍ୟାନ୍ସ ଚାଲୁଛି। ସେହିପରି ବିଳମ୍ବିତ ରାତିରେ ଆରମ୍ଭ ହୋଇଯାଉଛି ଚୋରା ମଦ ବ୍ୟବସାୟ। ଏନେଇ ଲକ୍ଷ୍ମୀସାଗର ଥାନାରେ ଗତ ୨ ମାସ ଭିତରେ ୨୦ରୁ ଊର୍ଦ୍ଧ୍ୱ ଅଭିଯୋଗ ହୋଇ ସାରିଲାଣି। କିନ୍ତୁ ପୁଲିସ୍‌ ଓ ଅବକାରୀ ବିଭାଗ ସବୁ ଦେଖି ଚୁପ ରହୁଥିବା ଅଭିଯୋଗ ହେଉଛି। ପାଟ୍ରୋଲିଂ ବ୍ୟବସ୍ଥା ଢିଲା ହେଉଛି ବୋଲି ଏଭଳି ଉପଦ୍ରବ ବଢ଼ି ଚାଲିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, କଟକ ରୋଡ୍‌ରେ ପୁଲିସ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରାଯିବ। ଯେଉଁ ବାରଗୁଡ଼ିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି, ସେଗୁଡ଼ିକ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଟକରୋଡ୍‌ରେ ଘଟିଥିବା ଚର୍ଚିତ ଅପରାଧ
୬ ତାରିଖ: ଷ୍ଟେସନ୍‌ ବଜାର ମୋଚିସାହିରେ ଚୋରା ମଦ କାରବାରକୁ ନେଇ ପି କାମେଶ୍ୱର ରେଡ୍ଡି ନାମକ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା
୧୮ ତାରିଖ: କଳ୍ପନା ଛକରେ ପଦିଆ ସାହୁ ନାମକ ଜଣେ ଯୁବକଙ୍କୁ କାର ଉପରକୁ ଦୁର୍ବୃତ୍ତମାନଙ୍କ ବୋମାମାଡ଼
୧୯ ତାରିଖ: ରେନ୍‌ ଦି ବାର ସମ୍ମୁଖରେ ଜଣେ ଯୁବକଙ୍କୁ ଖଣ୍ଡାଚୋଟ

ସମ୍ବନ୍ଧିତ ଖବର