ଦୁର୍ଦ୍ଦାନ୍ତ ଅମିତକୁ ଏନ୍‌କାଉଣ୍ଟର୍‌:୧୮ ଚୋରି ମାମଲାରେ ମୁଖ୍ୟ କାର୍ପଟଦାର‌୍‌, ବନ୍ଧୁକ, ଦୁଇ ରାଉଣ୍ତ ଗୁଳି, କାର୍ ଜବତ

କଟକ/ଜଗତପୁର : ଦୀର୍ଘ ଦିନର ବ୍ୟବଧାନ ପରେ କଟକ କମିସନରେଟ୍‌ ପୁଲିସ ପୁଣି ଜଣେ ଅଭିଯୁକ୍ତକୁ ଏନ୍‌କାଉଣ୍ଟର କରିଛି। ଆଜି ସନ୍ଧ୍ୟାରେ ଜଗତପୁର କେନ୍ଦ୍ରାପଡ଼ା କେନାଲ ରୋଡ୍‌ରେ ଦୁର୍ଦ୍ଦାନ୍ତ ଅମିତ ଓରଫ ମନୋଜ ବେହେରା ସହ ମୁହାଁମୁହିଁ ବେଳେ ମନୋଜ ପୁଲିସ ଏନ୍‌କାଉଣ୍ଟରର ଶିକାର ହୋଇଛି। ଅମିତ ଗୁଳି ମାଡ଼ କରି ଖସିଯିବାକୁ ଉଦ୍ୟମ କଲା ବେଳେ ଜଗତପୁର ଥାନା ଆଇଆଇସି ପ୍ରଦୀପ୍ତ କିଶୋର ନାୟକ ଆତ୍ମରକ୍ଷା ପାଇଁ ଗୁଳି ଚାଳନା କରିଥିଲେ। ଗୁଳିଟି ଅମିତର ବାମ ଗୋ଼ଡ଼ ଆଣ୍ଠୁରେ ବାଜିଛି। ତାକୁ ଆହତ ଅବସ୍ଥାରେ ପୁଲିସ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ତା’ ନିକଟରୁ ୭.୬୨ ଏମ୍‌ଏମ୍‌ ପିସ୍ତଲ, ଦୁଇ ରାଉଣ୍ତ ଗୁଳି, ଚାରିଟି ଖାଲି କ୍ୟାଟ୍ରିଜ୍‌ ଏବ˚ ଗୋଟିଏ ନାଲି ରଙ୍ଗର ହୁଣ୍ତାଇ ଆଇ ୧୦ କାର‌୍‌ (ଓଡି ୦୫ ଏସ୍‌ ୯୩୯୩) ଜବତ ହୋଇଛି। ୨୦୧୦ରୁ ୨୦୧୯ ଭିତରେ ମୋଟ ୧୮ଟି ଚୋରି, ଠକେଇ ଭଳି ସ˚ଗିନ ମାମଲା ଅମିତ ବିରୋଧରେ ବିଭିନ୍ନ ସମୟରେ ରୁଜୁ ହୋଇଛି। କଟକ ସଦର ଥାନା, କ୍ୟାପିଟାଲ୍‌ ଥାନା, ଦରଘାବଜାର, କ୍ୟାପିଟାଲ୍‌, ଚନ୍ଦ୍ରଶେଖରପୁର, ଚାଉଳିଆଗଞ୍ଜ, ତମାଣ୍ତୋ, ବାଦାମବାଡ଼ି, ସହିଦନଗର, ଖଣ୍ତଗିରି, ଇନଫୋସିଟି, ଓଲଟପୁର, ପୁରୀ ସମୁଦ୍ରକୂଳ ଥାନା, କୁମ୍ଭାରପଡ଼ା ଏବ˚ ବଳିଆ ପଣ୍ତା ଥାନାରେ ଏହି ଅପରାଧିକ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଜଗତପୁର ଇମାମନଗର ଶିଳ୍ପପତି ଗୌତମ ଭରଙ୍କ ଘରେ ୫ରୁ ୬ଜଣ ଦୁର୍ବୃତ୍ତ ଜୁନ୍‌ ୨୮ ତାରିଖ ସନ୍ଧ୍ୟାରେ ବଡ଼ ଧରଣର ଡକାୟତି ଉଦ୍ୟମ କରିଥିଲେ। ତାଙ୍କ ଘରେ ଜଣେ ମହିଳାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ସୁନା ଅଳଙ୍କାର ଲୁଟି ନେଇଥିଲେ। ଏ ସ˚କ୍ରାନ୍ତରେ ଜଗତପୁର ଥାନାରେ ଦଫା ୪୫୨, ୩୫୪-ଏ, ୩୯୫, ୧୨୦ ବି ଏବ˚ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ବେଳେ ଦୁର୍ଦ୍ଦାନ୍ତ ଅମିତର ସମ୍ପୃକ୍ତି ଥିବା ପୁଲିସ ଖବର ପାଇଥିଲା। ଆଜି ସନ୍ଧ୍ୟା ୬ଟା ୧୫ ବେଳେ ଅମିତ କେନ୍ଦ୍ରାପଡ଼ା କେନାଲ ରାସ୍ତାରେ କେନ୍ଦ୍ରାପଡ଼ା ଆଡ଼କୁ ଏକ ହୁଣ୍ତାଇ ଆଇ ୧୦ କାର‌୍‌ରେ ଖସି ଯାଉଥିବା ସୂଚନା ପାଇ ପୁଲିସ ତାର ପିଛା କରିଥିଲା। ଅମିତର କାର ଆଗରେ ପୁଲିସ ଗାଡ଼ି ରଖି ରାସ୍ତା ବନ୍ଦ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଅମିତ ଗୁଳି ଚଳାଇବାରୁ ଆଇଆଇସି ପ୍ରଦୀପ କିଶୋର ନାୟକ ତା’ ଡାହାଣ ଗୋଡ଼କୁ ଗୁଳି କରିଥିଲେ।

ସମ୍ବନ୍ଧିତ ଖବର